ଅନୁଜ ଅଗ୍ନିହୋତ୍ରୀ ସିଏସ୍ଇ ଟପ୍ପର
ୟୁନିୟନ ପବ୍ଲିକ ସର୍ଭିସ୍ (ୟୁପିଏସସି) ସିଭିଲ୍ ସର୍ଭିସେସ୍ ପରୀକ୍ଷା (ସିଏସ୍ଇ)ର ଚୂଡ଼ାନ୍ତ ଫଳାଫଳ ପ୍ରକାଶ କରିଛି । ଏହି ପରୀକ୍ଷାରେ ଅଂଶ ଗ୍ରହଣ କରିଥିବା ପ୍ରାର୍ଥୀମାନେ କମିସନର ଅଫିସିଆଲ୍ ୱେବ୍ସାଇଟ୍ରୁ ସେମାନଙ୍କ ଫଳାଫଳ ଯାଂଚ ଓ ଡାଉନ୍ଲୋଡ଼ କରିପାରିବେ । ୟୁପିଏସ୍ସି ସିଭିଲ୍ ସର୍ଭିସେସ୍ ପରୀକ୍ଷା ୨୦୨୫ ପାଇଁ ସାକ୍ଷାତକାର ୨୦୨୬ ଫେବୃଆରୀ ୨୭ତାରିଖରେ ସମାପ୍ତ ହୋଇଥିଲା ।
ଏହାର ଫଳାଫଳ ପ୍ରକାଶ ପାଇଛି ।
ୟୁନିୟନ ପବ୍ଲିକ୍ ସର୍ଭିସ୍ କମିସନ (ୟୁପିଏସସି) ଆଜି ସିଭିଲ୍ ସର୍ଭିସ୍ ପରୀକ୍ଷା ୨୦୨୫ ଚୂଡ଼ାନ୍ତ ଫଳାଫଳ ଲିଖିତ ଓ ବ୍ୟକ୍ତିତ୍ୱ ପରୀକ୍ଷା (ସାକ୍ଷାତକାର)ରେ ପ୍ରାର୍ଥୀଙ୍କ ପ୍ରଦର୍ଶନ ଆଧାରରେ ଚୂଡ଼ାନ୍ତ ଫଳ ପ୍ରସ୍ତୁତ କରାଯାଇଛି । ଏଥିରେ ରାଜସ୍ଥାନର ଡା. ଅନୁଜ ଅଗ୍ନିହୋତ୍ରୀ ଶୀର୍ଷ ସ୍ଥାନରେ ରହିଥିବାବେଳେ ତାମିଲନାଡୁର ରାଜେଶ୍ୱରୀ ସୁବେ ଏମ୍ ଏକମାତ୍ର ମହିଳା ଟପ୍ପର ଭାବେ ଦ୍ୱିତୀୟ ସ୍ଥାନ ଅଧିକାର କରିଥିବା ଜଣାପଡ଼ିଛି ।
ଏହା ପୂର୍ବରୁ ଜଣେ ଇଲେକ୍ଟ୍ରିକାଲ ଇଞ୍ଜିନିୟର ସୁବେ ତାମିଲନାଡୁ ରାଜ୍ୟ ପ୍ରଶାସନିକ ପରୀକ୍ଷାରେ କୃତକାର୍ଯ୍ୟ ହେବା ପରେ ତାମିଲନାଡୁ ସରକାରରେ ଡେପୁଟି କଲେକ୍ଟର (ଉପ ଜିଲାପାଳ) ହୋଇଥିଲେ । ସିଭିଲ ସର୍ଭିସ୍ ପରୀକ୍ଷା ବିଶ୍ୱର ସବୁଠାରୁ କଠିନ ପ୍ରତିଯୋଗିତାମୂଳକ ପରୀକ୍ଷା ମଧ୍ୟରୁ ଅନ୍ୟତମ ବୋଲି ମନେ କରାଯାଇଥାଏ ।
ପ୍ରତିବର୍ଷ ଲକ୍ଷ ଲକ୍ଷ ଆଶାୟୀ ପରୀକ୍ଷା ଦିଅନ୍ତି, କିନ୍ତୁ କେବଳ ଅଳ୍ପ କେତେକ ପ୍ରିଲିମନାରୀ ପରୀକ୍ଷା, ମୁଖ୍ୟ ପରୀକ୍ଷା ଓ ବ୍ୟକ୍ତିତ୍ୱ ପରୀକ୍ଷା ଭଳି ତିନିଟି ପର୍ଯ୍ୟାୟରେ ଉତୀର୍ଣ୍ଣ ହେବା ପରେ ଚୂଡ଼ାନ୍ତ ତାଲିକାରେ ସ୍ଥାନ ପାଇଥାଆନ୍ତି । ଏହି ପରୀକ୍ଷାରେ ଉତୀର୍ଣ୍ଣ ପ୍ରାର୍ଥୀମାନଙ୍କୁ ସେମାନଙ୍କ ମେରିଟ୍ ଓ ପସନ୍ଦ ଅନୁସାରେ ଭାରତୀୟ ପ୍ରଶାସନିକ ସେବା (ଆଇଏଏସ୍), ଭାରତୀୟ ପୁଲିସ ସେବା (ଆଇପିଏସ୍), ଭାରତୀୟ ବୈଦେଶିକ ସେବା (ଆଇଏଫ୍ଏସ୍), ଭାରତୀୟ ରାଜସ୍ୱ ସେବା (ଆଇଆର୍ଏସ୍), ଭାରତୀୟ ବାଣିଜ୍ୟ ସେବା ଏବଂ ଅନ୍ୟ ଗ୍ରୁପ୍ ଓ ଗ୍ରୁପ୍ ବି କେନ୍ଦ୍ରୀୟ ସେବାରେ ନିଯୁକ୍ତି ଦିଆଯାଇଥାଏ ।
ସିିଭିଲ୍ ସର୍ଭିସ୍ ପରୀକ୍ଷା ୨୦୨୫ ଦ୍ୱାରା କେନ୍ଦ୍ର ସରକାରଙ୍କ ବିଭିନ୍ନ ପ୍ରଶାସନିକ ସେବାରେ ୯୭୯ଟି ପଦବୀ ପୂରଣ କରିବାକୁ ୟୁପିଏସ୍ସି ଲକ୍ଷ୍ୟ ରଖିଛି । ଚୂଡ଼ାନ୍ତ ଫଳାଫଳ ଘୋଷିତ ହେବାର ୧୫ଦିନ ମଧ୍ୟରେ ସମସ୍ତ ପ୍ରାର୍ଥୀଙ୍କ ମାର୍କସିଟ୍ ଆୟୋଗର ୱେବ୍ସାଇଟ୍ରେ ଅପଲୋଡ଼ କରାଯିବ ବୋଲି ୟୁପିଏସ୍ସି କହିଛି ।
ପ୍ରାର୍ଥୀମାନେ ମାର୍କ ଡାଉନ୍ଲୋଡ କରିବା ପାଇଁ ୩୦ଦିନ ପର୍ଯ୍ୟନ୍ତ ଅନ୍ଲାଇନ୍ରେ ଉପଲବ୍ଧ ରହିବା ଚୂଡ଼ାନ୍ତ ମେରିଟ୍ ତାଲିକାରେ ସ୍ଥାନ ପାଇଥିବା ପ୍ରାର୍ଥୀମାନେ ବର୍ତମାନ ସେମାନଙ୍କ ର୍ୟାଙ୍କ ଓ ସେବା ପସନ୍ଦ ଆଧାରରେ ବିଭିନ୍ନ କେନ୍ଦ୍ରୀୟ ସେବାରେ ନିଯୁକ୍ତ ହେବେ ।