କାନଭାସରେ ୬୪ ଯୋଗିନୀ
ଏକା-ଦି ୱାନ ଜାତୀୟ କଳା ପ୍ରଦର୍ଶନୀ ଉଦ୍ଘାଟିତ
ଈୁବନେଶ୍ୱରସ୍ଥିତ ବୁଦ୍ଧ ଆର୍ଟ ଗ୍ୟାଲେରୀଠାରେ ଏକ ନିଆରା ଜାତୀୟ ଭ୍ରାମ୍ୟମାଣ କଳା ପ୍ରଦର୍ଶନୀ ଏକା-ଦି ୱାନ୍ ଉଦ୍ଘାଟିତ ହୋଇଛି । କଳାକାର ତଥା ସାମାଜିକ ଉଦ୍ୟୋଗୀ ଡ. ବୀଣା ଉନ୍ନିକ୍ରିଷ୍ଣନଙ୍କ ପରିକଳ୍ପନାରେ ପ୍ରସ୍ତୁତ ଏହି ତିନି ଦିନିଆ ପ୍ରଦର୍ଶନୀ ଆଗାମୀ ୧୬ତାରିଖ ପର୍ଯ୍ୟନ୍ତ ଦର୍ଶକଙ୍କ ପାଇଁ ଖୋଲା ରହିବ ।
ପ୍ରଦର୍ଶନୀଟି ଭୁବନେଶ୍ୱର ଉପକଣ୍ଠ ହୀରାପୁରସ୍ଥିତ ପ୍ରସିଦ୍ଧ ଚଉଷଠି ଯୋଗିନୀ ମନ୍ଦିରର ଆଧ୍ୟାତ୍ମିକ ଐତିହ୍ୟ ଦ୍ୱାରା ଅନୁପ୍ରାଣୀତ । ଏଥିରେ ୬୪ ଯୋଗିନୀଙ୍କ ଏକ ଶକ୍ତିଶାଳୀ ଏବଂ ସମସାମୟିକ ଚିତ୍ରଣ କରାଯାଇଛି ।
ଯୋଗିନୀମାନେ ହେଉଛନ୍ତି – ଜ୍ଞାନ, ସାହସ, ଅନ୍ତଜ୍ଞାନ ଏବଂ ରୂପାନ୍ତରର ପ୍ରତୀକ ତଥା ମାତୃଶକ୍ତିର ପବିତ୍ର ସ୍ୱରୂପ । ଏହି ପ୍ରଦର୍ଶନୀର ସବୁଠାୁ ବଡ଼ ବିଶେଷତ୍ୱ ହେଉଛି ଯେ ପ୍ରଥମ ଥର ପାଇଁ ଜଣେ ମାତ୍ର ଶିଳ୍ପୀଙ୍କଦ୍ୱାରା ୬୪ ଯୋଗିନୀଙ୍କର ସମ୍ପୂର୍ଣ୍ଣ ସଂଗ୍ରହ ଗୋଟିଏ ସ୍ଥାନରେ ସ୍ଥାନ ପାଇଛି ।
ହୀରାପୁର ମନ୍ଦିରର ପବିତ୍ର ପରମ୍ପରା ଆଧାରରେ ଅଙ୍କା ଯାଇଥିବା ମହାମାୟାଙ୍କ ଚିତ୍ର ଏଠାରେ ମୁଖ୍ୟ ଆକର୍ଷଣ ସାଜିଛି । କାର୍ଯ୍ୟକ୍ରମକୁ ଓଡ଼ିଶା ଲଲିତା କଳା ଏକାଡ଼େମୀର ସଚିବ ତଥା ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଉପ ନିର୍ଦେଶକ ଶ୍ରୀମତୀ ଦେବଯାନୀ ଭୂୟାଁ ପ୍ରଦୀପ ପ୍ରଜ୍ୱଳନ କରି ଉଦ୍ଘାଟନ କରିଛନ୍ତି । ସେ ଡ. ଉନ୍ନିକ୍ରିଷ୍ଣନଙ୍କ ଏହି ଅନନ୍ୟ ପୟାସକୁ ପ୍ରଶଂସା କରିଥିଲେ ।
ପ୍ରଦର୍ଶନୀ ସମ୍ପର୍କରେ ସୂଚନା ଦେଇ ଡ. ବୀଣା ଉନ୍ନିକ୍ରିଷ୍ଣନ କହିଛନ୍ତି ଯେ ଏହା ଦେଶର ୧୬ଟି ରାଜ୍ୟରେ ୧୦,୦୦୦ କିଲୋମିଟରରୁ ଅଧିକ ଅତିକ୍ରମ କରୁଥିବା ମହତ୍ୱାକାଂକ୍ଷୀ ୬୪ ଯୋଗିନୀ ଟ୍ରେଲ୍ର ଏକ ଅଂଶ ବିଶେଷ ।
ଚେନ୍ନାଇରୁ ଆରମ୍ଭ ହୋି ଏହି ଯାତ୍ରା କେରଳ ଏବଂ କୋଏମ୍ବାଟୁର ଦେଇ ଭୁବନେଶ୍ୱରରେ ପହଂଚିଛି । ଭାରତର ପ୍ରାଚୀନ ନାରୀ ଶକ୍ତି ପରମ୍ପରାକୁ ଆଧୁନିକ ଯୁଗର ଦୃଶ୍ୟକଳା ସହ ଯୋଡ଼ିବା ଏହି ପ୍ରକଳ୍ପର ମୁଖ୍ୟ ଲକ୍ଷ୍ୟ ।
ସର୍ବସାଧାରଣଙ୍କ ପାଇଁ ଏହି ପ୍ରଦର୍ଶନୀ ସମ୍ପୂର୍ଣ୍ଣ ମାଗଣା ରଖାଯାଇଛି । ସାଂସ୍କୃତିକ ପ୍ରଚାର ପ୍ରସାରକୁ ଗୁରୁତ୍ୱ ଦେଇ ଏଠାରେ ଥିବା କୌଣସି ବି କଳାକୃତିକୁ ବିକ୍ରୟ ପାଇଁ ଉଦ୍ଦିଷ୍ଟ କରାଯାଇ ନାହିଁ ।