କାରାଗାରରେ କଏଦୀଙ୍କ ଆତ୍ମହତ୍ୟା
ବଲାଙ୍ଗିର ଜିଲା କାରାଗାରରେ ଆଜୀବନ କାରାଦଣ୍ଡ ଭୋଗୁଥିବା ଜଣେ କଏଦୀ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି ।
ମୃତ କଏଦୀ ଜଣକ ବଲାଙ୍ଗିର ଜିଲା ଲୋଇସିଂହା ବ୍ଲକ ସଦର ଥାନା କୁସଙ୍ଗ ଗାଁର ଭୀଷ୍ମଦେବ ସାହୁ ଓରଫ ଗୋପାଳ (୩୭) ।
ଶନିବାର ଭୋରରେ ସେ ଆତ୍ମହତ୍ୟା କରିଥିବା ନେଇ ଜିଲା କାରାଗାର ପକ୍ଷରୁ ସୂଚନା ଦିଆଯାଇଛି । ପତ୍ନୀଙ୍କୁ ଯୌତୁକ ଦାବିରେ ନିର୍ଯ୍ୟାତନା ସହ ହତ୍ୟା ଅଭିଯୋଗରେ ବଲାଙ୍ଗିର ସଦର ପୁଲିସ ଗତ ୨୦୨୧ ମସିହା ଜୁନ୍ ୯ ତାରିଖରେ ତାଭ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା ।
ପରେ ଦୋଷୀ ସାବ୍ୟସ୍ତ ହୋଇ ଆଜୀବନ ଜେଲ ଦଣ୍ଡ ପାଇଁ ବିଚାରପତି ଶୁଣାଇଥିଲେ । ସେବେଠାରୁ ସେ ବନ୍ଦୀ ଭାବେ ବଲାଙ୍ଗିର ଜିଲା କାରାଗାରରେ ରହି ଆସୁଥିଲେ । ଜଣେ ଅନ୍ତେବାସୀଙ୍କୁ ଆକ୍ରମଣ କରିବା ଅଭିଯୋଗରେ ପରେ ସୁରକ୍ଷା ଦୃଷ୍ଟିରୁ ତାଙ୍କୁ ଜିଲା କାରାଗାରର ହାଇ ସିକ୍ୟୁରିଟି ବ୍ଲକର ୨ନଂ ୱାର୍ଡ଼ରେ ରଖାଯାଇଥିଲା । ଗତ ଫେବୃଆରୀ ୨୦ରେ ସେ ଜାମିନରେ ବାହାରି ଘରକୁ ଯାଇଥିଲେ ।
୧୫ଦିନ ଗାଁରେ ରହିବା ପରେ ଗତ ୭ତାରିଖ ଜିଲା କାରାଗାରକୁ ଫେରିଥିଲେ । ଶନିବାର ଭୋର ପ୍ରାୟ ସାଢ଼େ ୪ଟାରେ ସେ ଆତ୍ମହତ୍ୟା କରିଥିବା ସନେ୍ଦହ କରାଯାଉଛି । ଜେଲ କର୍ମଚାରୀ ଏହା ଜାଣିବା ପରେ ଅଧିକ୍ଷକଙ୍କୁ ସୂଚନା ଦେଇଥିଲେ ।
ପରେ ତାଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇ ମୃତ ବୋଲି ଘୋଷଣା କରାଯାଇଥିବା ଜଣାପଡ଼ିଛି । ଖବର ପାଇ ବଲାଙ୍ଗିର ଟାଉନ ପୁଲିସ ମୃତଦେହ ଜବତ ସହ ବ୍ୟବଚ୍ଛେଦ ପାଇଁ ବଲାଙ୍ଗୀର ଭୀମଭୋଇ ହସ୍ପିଟାଲକୁ ପଠାଇଥିଲେ ।
ତେବେ ଏହା ଆତ୍ମହତ୍ୟା ନା ହତ୍ୟା ତାହା ଜାଣିବା ପାଇଁ ଘଟଣାର ତଦନ୍ତ ଓ କ୍ଷତିପୂରଣ ଦେବାକୁ ମୃତକଙ୍କ ପରିବାର ପକ୍ଷରୁ ଦାବି କରାଯାଇଛି ।