ବହିଷ୍କୃତ ବିଧାୟକମାନେ ଗୋଟିଏ ପ୍ଲାଟଫର୍ମରେ କାମ କରନ୍ତୁ : ମୋକିମ
ଓଡ଼ିଶା-ଜନତା-କଂଗ୍ରେସରେ ସାମିଲ ହୁଅନ୍ତୁ
ଗତ ୧୬ ତାରିଖରେ ହୋଇଥିବା ରାଜ୍ୟସଭା ନିର୍ବାଚନରେ ଦଳୀୟ ହ୍ୱିପ୍କୁ ଖାତିର ନକରି ବିଜୁ ଲିଗାସୀକୁ ସମ୍ମାନ ଜଣାଇ ୩ ଜଣ ବିଧାୟକ ରମେଶ ଜେନା, ସୋଫିଆ ଫିର୍ଦୋଶ ଏବଂ ଦାଶରଥୀ ଗମାଙ୍ଗୋ କ୍ରସ୍ ଭୋଟିଂ କଲେ । ସେମାନେ କ୍ରସ ଭୋଟିଂ କରି ଦିଲୀପ ରାୟଙ୍କୁ ଭୋଟ ଦେଇଥିଲେ ।
ଫଳରେ ଏହି ନିର୍ବାଚନରେ ୪ର୍ଥ ଆସନ ପାଇଁ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ବିଜେଡି-କଂଗ୍ରେସର କମନ ପ୍ରାର୍ଥୀ ଦତେଶ୍ୱର ହୋତା ପରାସ୍ତ ହୋଇଛନ୍ତି । ଏହାକୁ ନେଇ ପିସିସି କମିଟି ଏହି ୩ ଜଣ ବିଧାୟକଙ୍କୁ ଦଳରୁ ବହିଷ୍କୃତ କରିଛି ।
ଅନ୍ୟପଟେ କିଛି ମାସ ପୂର୍ବରୁ କଂଗ୍ରେସରୁ ବିତାଡ଼ିତ ହୋଇଥିବା ପୂର୍ବତନ ବିଧାୟକ ତଥା ବର୍ତମାନ ବାରବାଟୀ-କଟକ ବିଧାୟିକା ସୋଫିଆ ଫିର୍ଦୋଶଙ୍କ ପିତା ଇଂ. ମହମ୍ମଦ ମୋକିମ ମୁହଁ ଖୋଲିଛନ୍ତି ।
ସେ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ଯେ, ଏଥରେ ଭୟାତୁର ହେବା ବା ଭାଙ୍ଗିପଡ଼ିବାର କୌଣସି ଆବଶ୍ୟକତା ନାର୍ହି । ଏହି ୩ ଜଣ ବହିଷ୍କୃତ ବିଧାୟକ ଗୋଟିଏ ପ୍ଲାଟଫର୍ମରେ କାମ କରି ରାଜ୍ୟ ତଥା ଦେଶବାସୀଙ୍କ ସେବା ଜାରି ରଖନ୍ତୁ । ସେମାନଙ୍କ ପାଇଁ ତାଙ୍କ ନୂତନ ରାଜନୈତିକ ଦଳ ଓଡ଼ିଶା-ଜନତା-କଂଗ୍ରେସ ଦଳର ଦ୍ୱାର ସର୍ବଦା ଉନ୍ମୁକ୍ତ ହୋଇ ରହିଛି ।
ସେ ଆହୁରି ମଧ୍ୟ ବିଷେଦାଗାର କରିଛନ୍ତି ଯେ, ତାଙ୍କୁ ବିଦା କଲା ପରେ ଝିଅ ସୋଫିଆଙ୍କୁ କଂଗ୍ରେସ ଦଳ ଆଦୌ ସହିପାରୁନଥିଲା । ତାଙ୍କୁ ମଧ୍ୟ ଦଳରେ ଅଣଦେଖା କରାଯାଉଥିଲା ।
ଏପରିକି କଟକରେ କାହାକୁ କଂଗ୍ରେସ ଦଳରେ ମିଶାଯାଉଛି ତାହା ମଧ୍ୟ ସୋଫିଆଙ୍କୁ କଂଗ୍ରେସ ଦଳ ଜଣାଉନଥିଲା କିମ୍ବା ଦଳ ପକ୍ଷରୁ ମହିଳାଙ୍କ କୌଣସି କାର୍ଯ୍ୟକ୍ରମରେ ତାଙ୍କୁ ଦଳ ଆଦୌ ସାମିଲ କରୁନଥିଲା ।
ଏହାକୁ ନେଇ ଝିଅ ସୋଫିଆ ବହୁତ ମାନସିକ ଚାପରେ ଥିଲେ ।
ତେଣୁ ଯାହା ବି ହୋଇଛି ଭଲ ହୋଇଛି । ଏଣିକି ତାଂକ ଝିଅ ଓଡ଼ିଶା-ଜନତା-କଂଗ୍ରେସରେ ସାମିଲ ହୋଇ ଜନତାଙ୍କ ସେବା ଜାରି ରଖିପାରିବେ ବୋଲି ଇଂ. ମୋକିମ କହିଛନ୍ତି ।