ବିଜୁ-ନବୀନ ଇନ୍ସସ୍ପେରନାଲ ଫାଉଣ୍ଡେସନକୁ ନେଇ ଶ୍ରୀମୟୀଙ୍କ ପ୍ରଶ୍ନ
ଫାଉଣ୍ଡେସନ ଆଳରେ ବିଜେଡିର କୋଟି କୋଟି ଟଂକା ହଡ଼ପ କରାଯିବାକୁ ମସୁଧା
ବିଜୁ-ନବୀନ ଫାଉଣ୍ଡେସନକୁ ନେଇ ଏକଦା ବିଜେଡିରେ ଥାଇ ଏବେ ଦଳ ଛାଡ଼ିିସାରିଥିବା ବରିଷ୍ଠ ନେତ୍ରୀ ଶ୍ରୀମୟୀ ମିଶ୍ର ବିଜୁ-ନବୀନ ଇନ୍ସସ୍ପେରନାଲ ଫାଉଣ୍ଡେସନର ସତ୍ୟାସତ୍ୟକୁ ନେଇ ପ୍ରଶ୍ନ ଉଠାଇଛନ୍ତି ।
ଏଥିସହ ସମସ୍ତଙ୍କୁ ଗୁପ୍ତରେ ରଖି ଏଭଳି ଏକ ଫାଉଣ୍ଡେସନ ଗଢ଼ିବାର ଆବଶ୍ୟକତା କ’ଣ ବୋଲି ସେ ନବୀନଙ୍କୁ ସିଧାସଳଖ ପ୍ରଶ୍ନ କରିଛନ୍ତି । ସେ ଏଥିସହ ସୋସିଆଲ ମିଡିଆରେ ଏହି ଫାଉଣ୍ଡେସନ ସଂକ୍ରାନ୍ତୀୟ କିଛି ବିସ୍ଫୋରଣକାରୀ ତଥ୍ୟ ରଖିଛନ୍ତି ।
ଟ୍ରଷ୍ଟର ଆଜୀବନ ଅଧ୍ୟକ୍ଷ କାହିଁକି ଭି.ପାଣ୍ଡିଆନ ବୋଲି ସେ ବିଜେଡିକୁ ପ୍ରଶ୍ନ କରିବା ସହ ଓଡ଼ିଶା ବାହାରେ ସୁଦୂର ନୂଆଦିଲ୍ଲୀରେ ଏଭଳି ଫାଉଣ୍ଡେସନ ଗଢ଼ିବାର କ’ଣ ଆବଶ୍ୟକତା ପଡ଼ିଲା ବୋଲି ଶ୍ରୀମୟୀ ପଚାରିଛନ୍ତି ।
ଖାଲି ସେତିକି ନୁହେଁ ବିଜୁବାବୁଙ୍କ ସମ୍ପତିକୁ ହାତେଇବା ପାଇଁ ଏକଦା ନବୀନଙ୍କ ସବୁଠାରୁ ନିକଟତମ ବୋଲାଉଥିବା ଭି.ପାଣ୍ଡିଆନ, ଗତକାଲି ରାଜ୍ୟସଭା ନିର୍ବାଚନରେ ଜିତିଥିବା ସଂତୃପ୍ତ ମିଶ୍ର ଏବଂ ଟ୍ରଷ୍ଟି ଅଶୋକ ସାଂଘାତିକ ଷଡ଼ଯନ୍ତ୍ର କରିଛନ୍ତି ।
ଏହି ଫାଉଣ୍ଡେସନ ଆଳରେ ବିଜେଡିର କୋଟି କୋଟି ଟଂକା ହଡ଼ପ କରାଯିବାକୁ ଏମାନେ ମସୁଧା କରିଥିବା ଶ୍ରୀମୟୀ କହିଛନ୍ତି ।
ସେହିଭଳି ବିଜେଡିରୁ ବହିଷ୍କୃତ ହୋଇଥିବା ପୂର୍ବତନ ବିଧାୟକ ପ୍ରଭାତ ବିଶ୍ୱାଳ ମଧ୍ୟ ଦିଲ୍ଲୀ ସ୍ଥିତ ଏହି ବିଜୁ-ନବୀନ ଇସ୍ପେରାସନାଲ ଫାଉଣ୍ଡେସନକୁ ନେଇ ସମାନ ପ୍ରଶ୍ନ ଉଠାଇଛନ୍ତି ।
ଶ୍ରୀମୟୀଙ୍କ ଅଭିଯୋଗ ଅନୁଯାୟୀ, ଏହି ଫାଉଣ୍ଡେସନରେ ପୂର୍ବତନ ପ୍ରଶାସନିକ ଅଧିକାରୀ ଭି.କାର୍ତିୟେନ ପାଣ୍ଡିଆନ ପ୍ରେସିଡେଂଟ, ସଂତୃପ୍ତ ମିଶ୍ର ସେକ୍ରେଟାରୀ ଓ ଅଶୋକ ବାବୁ ଟ୍ରଷ୍ଟି ଅଛନ୍ତି ।
ନବୀନଙ୍କ ଦିଲ୍ଲୀସ୍ଥିତ ଘରକୁ ଏଥିପାଇଁ ବ୍ୟବହାର କରିବାକୁ ଖୋଦ୍ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ସହମତି ଦେଇବା ସହ ଉକ୍ତ ଅନୁଷ୍ଠାନର ବିଭିନ୍ନ ଦସ୍ତାବିଜରେ ନବୀନଙ୍କ ହସ୍ତାକ୍ଷର ରହିଛି ବୋଲି ସୋସିଆଲ ମିଡିଆରେ ଶ୍ରୀମୟୀ ସ୍ପଷ୍ଟ କରିଛନ୍ତି ।
ଅନ୍ୟପଟେ ଏଭଳି କୌଣସି ଫାଉଣ୍ଡେସନ ନାହିଁ ବୋଲି ବିଜେଡି କହିଛି ।