ଭାନିଦାର ବନ୍ଦରରେ ଏଲପିଜି ଜାହାଜ ନନ୍ଦାଦେବୀ
ପହଂଚିଲା ୪୬ ହଜାର ମେଟ୍ରିକ ଟନର ଏଲପିଜି ଗ୍ୟାସ
ଗତ ଫେବୃଆରୀ ୨୮ ତାରିଖରୁ ଇରାନ ଏବଂ ଆମେରିକା-ଇସ୍ରାଏଲ ମଧ୍ୟରେ ଆରମ୍ଭ ହୋଇଥିବା ଭୟାନକ ଯୁଦ୍ଧ ଏବେ ଆହୁରି ତୀବ୍ର ହୋଇଛି । କେହି କାହାରିକୁ ଛାଡ଼ୁନାହାନ୍ତି ।
ଗୋଟିଏ ପଟେ ଆମେରିକା-ଇସ୍ରାଏଲର ପ୍ରଚଣ୍ଡ ଆକ୍ରମଣରେ ଇରାନର ରାଜଧାନୀ ତେହେରାନ ସମେତ ଅନେକ ସହର ଓ ତୈଳ ଡିପୋ ଛାରଖାର ହୋଇଯାଇଥିବାବେଳେ ଇରାନ ମଧ୍ୟ ମୁହଁତୋଡ଼ ଜବାବ ଦେଉଛି ।
ଇରାନର ଆକ୍ରମଣରେ ଇସ୍ରାଏଲର ତେଲ ଅଭିଭ ସମେତ ଅନେକ ଗୁରୁତ୍ୱପୂର୍ଣ୍ଣ ସହର ଓ ସାମରିକ କାର୍ଯ୍ୟାଳୟ, ମଧ୍ୟପ୍ରାଚ୍ୟର ବିଭିନ୍ନ ଦେଶରେ ଥିବା ଆମେରିକାର ସୈନ୍ୟ ଘାଟି, ପାରସ୍ୟ ଉପସାଗରରେ ମୁତୟନ ଥିବା ଆମେରିକାର ଯୁଦ୍ଧପୋତ ଏବଂ ତା’ର ସହଯୋଗୀ ରାଷ୍ଟ୍ର ୟୁଏଇର ବିଭିନ୍ନ ସହର ଏବଂ ଦୁବାଇ ସହର ଉପରେ ଘନଘନ ମିସାଇଲ ଓ ଡ୍ରୋନ ଆକ୍ରମଣ ଜାରି ରଖି ପ୍ରଭୂତ କ୍ଷତି କରିଚାଲିଛି ।
ଆହୁରି ମଧ୍ୟ ଇରାନର ତା’ର ରଣନୀତି ବଦଳାଇ ଏବେ ଆମେରିକା ଏବଂ ଇସ୍ରାଏଲ ସମେତ ମଧ୍ୟପ୍ରାଚ୍ୟର ଅନ୍ୟାନ୍ୟ ଆମେରିକାର ସହଯୋଗୀ ରାଷ୍ଟ୍ରଙ୍କ ବିରୋଧରେ ତୈଳଯୁଦ୍ଧ ଆରମ୍ଭ କରିଛି ।
ଅର୍ଥାତ ଗୋଟିଏ ପଟେ ଓମାନ ଏବଂ ଇରାନ ମଧ୍ୟରେ ଥିବା ଷ୍ଟ୍ରେଟ୍ ଅଫ୍ ହର୍ମୁଜକୁ ବନ୍ଦ କରିବା ସହ ମଧ୍ୟପ୍ରାଚ୍ୟର ବିଭିନ୍ନ ରାଷ୍ଟ୍ରରେ ଥିବା ତୈଳଡିପୋଗୁଡ଼ିକୁ ମିସାଇଲ ମାରି ଧ୍ୱଂସ କରୁଛି । ଫଳରେ ସାରା ବିଶ୍ୱ ଏବେ ତୈଳ ଓ ରନ୍ଧନ ଏଲପିଜି ଗ୍ୟାସକୁ ନେଇ ସଂକଟରେ ।
ତେବେ ଇତିମଧ୍ୟରେ ଭାରତକୁ ଆଶ୍ୱସ୍ତି ମିଳିଛି ।
ଗତ ୧୬ ତାରିଖରେ ଏଲପିଜି ଗ୍ୟାସ ନେଇ ଶିବାଲିକ ଜାହାଜ ମୁନ୍ଦ୍ରା ବନ୍ଦରରେ ପହଂଚିଥିବାବେଳେ ଆଜି ଆଉ ଏକ ଭାରତୀୟ ପଣ୍ୟବାହୀ ଜାହାଜ ନନ୍ଦାଦେବୀ ଗୁଜରାଟର ଭାନିଦାର ବନ୍ଦରରେ ପହଂଚିଛି ।
ଏଥିରେ ମଧ୍ୟ ୪୬ ହଜାର ମେଟ୍ରିକ ଟନର ଏଲପିଜି ଗ୍ୟାସ ବୋଝେଇ ହୋଇଥିବାବେଳେ ଏହାକୁ ଚଳାଉଛନ୍ତି ନାବିକ ଥିବା ଓଡ଼ିଆ ପୁଅ ବଲାଙ୍ଗିରର ଧୀରଜ ଅଗ୍ରୱାଲ । ଜାହଜ ସହିତ ଧୀରଜ ଗୁଜରାଟରେ ପହଂଚିଛନ୍ତି ।