ମଧ୍ୟପ୍ରାଚ୍ୟରେ ଓଡ଼ିଆଙ୍କ ପାଇଁ ହେଲ୍ପଲାଇନ ନମ୍ବର
ମଧ୍ୟପ୍ରାଚ୍ୟରେ ବର୍ତମାନ ଇରାନ ଏବଂ ଆମେରିକା-ଇସ୍ରାଏଲ ମଧ୍ୟରେ ଘମାଘୋଟ ଯୁଦ୍ଧ ଲାଗିଛି । ଗତ ସପ୍ତାହରେ ଆମେରିକା ଓ ଇସ୍ରାଏଲ୍ର ଏୟାର ଷ୍ଟ୍ରାଇକ୍ରେ ଇରାନର ସର୍ବୋଚ ନେତା ଆୟୋତୋଲ୍ଲା ଅଲି ଖାମେନେଇ, ଇରାନର ପ୍ରତିରକ୍ଷା ମନ୍ତ୍ରୀ ଅମିର ନାସିଦଜାଦେହ ଓ ମୁଖ୍ୟ କମାଣ୍ଡର ମହମ୍ମଦ ପାକପୋରଙ୍କ ମୃତୁ୍ୟ ପରେ ଇରାନ ରକ୍ତମୁଖା ହୋଇପଡ଼ିଛି । ବର୍ତମାନ ଇରାନ ମଧ୍ୟପ୍ରାଚ୍ୟର ସିରିୟା, ଇରାକ, କୁଏତ ଓ ସଂଯୁକ୍ତ ଆରମ ଏମିରେଟ୍ସରେ ଥିବା ଆମେରିକାର ବିଭିନ୍ନ ସୈନ୍ୟ ଘାଟି ଏବଂ ଇରାନର ପାରସ୍ୟ ଉପସାଗର ଉପକୂଳସ୍ଥ ଆମେରିକାର ବିଭିିିନ୍ନ ସାମରିକ ଘାଟି ଉପରେ ପ୍ରଚଣ୍ଡ ପାଲଟା ଆକ୍ରମଣ ଜାରି ରଖିଛି । ଫଳରେ ଏବେ ମଧ୍ୟପ୍ରାଚ୍ୟରେ ଭୟାବହ ପରଚିସ୍ଥିତି ସୃଷ୍ଟି ହୋଇଛି ।
ଏଣୁ ମଧ୍ୟପ୍ରାଚ୍ୟରେ ରହୁଥିବା ଓଡ଼ିଆମାନଙ୍କ ସୁରକ୍ଷା ଚିନ୍ତା ଏବେ ସରକାରଙ୍କୁ ଘାରିଛି । ସେମାନଙ୍କ ପରିସ୍ଥିତି ଜାଣିବା ଓ ସାହାଯ୍ୟ ଯୋଗାଇବା ନିମନ୍ତେ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ପୌରୋହିତ୍ୟରେ ଏକ ଜରୁରୀକାଳୀନ ବୈଠକ କରାଯାଇ ସରକାରଙ୍କ ପକ୍ଷରୁ ୨ଟି ହେଲ୍ପଲାଇନ ନମ୍ବର ଜାରି କରାଯାଇଛି । ଭାରତୀୟ ବୈଦେଶିକ ବିଭାଗ ପକ୍ଷରୁ ୨୪ ଘଂଟିଆ ଟୋଲ୍ଫ୍ରି ନମ୍ବର -୮୦୦୪୬୩୪୨- ଜାରି କରାଯିବା ସହ ହ୍ୱାଟ୍ସଆପ ନଂ – ୯୭୧୫୪୩୦୯୦୫୭୧ । ସେହିଭଳି ଓଡ଼ିଶା ସରକାରଙ୍କ ପକ୍ଷରୁ ସହାୟତା ଓ ସୂଚନା ନେଇ ଓଡ଼ିଶା ପରିବାର ନିର୍ଦେଶାଳୟ, ରାଜ୍ୟ ଗୃହ (ସ୍ୱରାଷ୍ଟ୍ର) ବିଭାଗ, ରାଜ୍ୟ ଶ୍ରମ ନିର୍ଦେଶାଳୟ, ପ୍ରବାସୀ ଭାରତୀୟଙ୍କ ସୁରକ୍ଷା ପାଇଁ କାର୍ଯ୍ୟ କରୁଥିବା ସଂସ୍ଥା (ପ୍ରୋଟେକ୍ଟର ଅଫ୍ ଏମିଗ୍ରାଂଟାସ)ଙ୍କ ସହିତ ମିଳିତ ଭାବେ ଏକ ୱାର୍କି ଗ୍ରୁପ ଗଠନ କରାଯାଇଛି ।
ଓଡ଼ିଶା ପରିବାର ନିର୍ଦେଶାଳୟର ସ୍ୱତନ୍ତ୍ର କାର୍ଯ୍ୟରତ ଅଧିକାରୀ ପ୍ର୍ରୀତିଶ ପଣ୍ଡା ନୋଡାଲ୍ ଅଧିକାରୀ ଭାବେ ସୂଚନା ଓ ସହାୟତା ପ୍ରଦାନ ନିମନ୍ତେ କାର୍ଯ୍ୟରତ ଅଛନ୍ତି । ତାଙ୍କ ଫୋନ୍ ନମ୍ବର ୯୫୮୩୩୨୧୯୬୪ ନଂ ମଧ୍ୟ ଜାରି କରାଯାଇଛି ବୋଲି ମନ୍ତ୍ରୀ ଶ୍ରୀ ସୂରଜ କହିଛନ୍ତି ।