ମୋଜତାବାଙ୍କ ପାଇଁ ୧୦ ନିୟୁତ ଡଲାର ପୁରସ୍କାର ରାଶି
ଇରାନର ନବନିର୍ବାଚିତ ସର୍ବୋଚ ଧର୍ମଗୁରୁ ତଥା ପୂର୍ବତନ ସର୍ବୋଚ ନେତା ସ୍ୱର୍ଗତ ଆୟୋତଲା ଅଲ୍ଲୀ ଖେମିନେଇଙ୍କ ଦ୍ୱିତୀୟ ପୁତ୍ର ମୋଜତାବା ଖେମିନେଇ ଏବଂ ଇରାନ ସେନାର କେତେକ ବରିଷ୍ଠ ଅଧିକାରୀଙ୍କ ସମ୍ପର୍କରେ ସୂଚନା ଦେଲେ ୧୦ ନିୟୁତ ଡଲାର ପୁରସ୍କାର ପ୍ରଦାନ କରାଯିବ ବୋଲି ଆମେରିକୀୟ ବୈଦେଶିକ ମନ୍ତ୍ରଣାଳୟ ଘୋଷଣା କରିଛି ।
ଅନ୍ୟ ଅଧିକାରୀଙ୍କ ମଧ୍ୟରେ ସେନାର ଉପମୁଖ୍ୟ ଅଲୀ ଅସଗର ହେଜାଜି, ଗୃହମନ୍ତ୍ରୀ ଇସ୍କନ୍ଦର ମୋମେନି, ମେଜର ଜେନେରାଲ ୟାହିୟା ରହିମ ସଫାଭୀ, ସୁପ୍ରିମ ନ୍ୟାସନାଲ ସିକ୍ୟୁରିଟି କାଉନସିଲ ସଚିବ ଅଲୀ ଲାରିଜାନି ପ୍ରମୁଖ ସାମିଲ ଅଛନ୍ତି ।
ଏହି ଅଧିକାରୀମାନେ ଇରାନର ‘ଇସଲାମିକ ରିଭୋଲ୍ୟୁସନାରୀ ଗାର୍ଡସ କର୍ପସ’କୁ ପରିଚାଳନା କରୁଛନ୍ତି । ତେବେ ଆତଙ୍କବାଦକୁ ପ୍ରୋତ୍ସାହନ ଦେଉଥିବା ଏବଂ ଆମେରିକୀୟଙ୍କୁ ହତ୍ୟା କରୁଥିବାରୁ ଆମେରିକା ଗତ ୨୦୧୯ରୁ ରିଭୋଲୁ୍ୟସନାରୀ ଗାର୍ଡସକୁ ଆତଙ୍କବାଦୀ ସଂଗଠନ ବୋଲି ଘୋଷଣା କରିସାରିଛି ।
ଅନ୍ୟପଟେ ଯେଉଁ ବ୍ୟକ୍ତି ଏମାନଙ୍କ ସମ୍ପର୍କରେ ସୂଚନା ଦେବେ, ତାଙ୍କୁ ଅନ୍ୟ କୌଣସି ରାଷ୍ଟ୍ରରେ ଥଇଥାନ କରାଯିବ ବୋଲି ଆମେରିକା ପ୍ରତିଶ୍ରୁତି ଦେଇଛି ।