୫୫ଯୋଡ଼ାଙ୍କ ହାତଗଣ୍ଠି ପଡ଼ିଲା
ମୁଖ୍ୟମନ୍ତ୍ରୀଂକ ସୁନ୍ଦର ପଦକ୍ଷେପ : ବରକନ୍ୟା ବିବାହ ଯୋଜନା
ଯୌତୁକ ପ୍ରଥା ବିରୋଧରେ ସାମାଜିକ ବାର୍ତା ଓ କନ୍ୟାମାନଙ୍କ ସମ୍ମାନକୁ ସୁନିଶ୍ଚିତ କରିବାର ଏକ ଦୃଢ଼ ପଦକ୍ଷେପ ବୋଲି ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି ।
ଗୁରୁବାର ଜବାହରଲାଲ ନେହେରୁ ଇଣ୍ଡୋର ଷ୍ଟାଡ଼ିୟମ ପରିସରରେ ଜିଲାସ୍ତରୀୟ ସାମୁହିକ ବିବାହ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି ।
ଏହି ଯୋଜନା ଅଧିନରେ ୧୮ବର୍ଷରୁ ଊର୍ଦ୍ଧ କନ୍ୟାମାନଙ୍କୁ ୬୦ହଜାର ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରାଯାଉଛି । ଯେଉଁଥିରୁ ୪୫ହଜାର ଟଙ୍କା ସିଧାସଳଖ ନଗଦ ହସ୍ତାନ୍ତର ମାଧ୍ୟମରେ କନ୍ୟାମାନଙ୍କ ବ୍ୟାଙ୍କ ଖାତାକୁ ପଠାଇ ଦିଆଯାଉଛି । ଅବଶିଷ୍ଟ ୧୫ହଜାର ଟଙ୍କା ବିବାହ ଆୟୋଜନ ଓ ପରିଚାଳନା ନିମନ୍ତେ ଖର୍ଚ କରାଯାଉଛି ବୋଲି କୁହାଯାଇଛି ।
ଏହି ସମସ୍ତ କାର୍ଯ୍ୟ ଜିଲା ଓ ବ୍ଲକ ସ୍ତରରେ ମହିଳା ଓ ଶିଶୁ ବିକାଶ ବିଭାଗର ପ୍ରତ୍ୟକ୍ଷ ତତ୍ୱାବଧାନରେ ସମ୍ପାଦିତ ହେଉଛି । ଏହା ମାଧ୍ୟମରେ ରାଜ୍ୟର ଅନେକେ କନ୍ୟା ଉପକୃତ ହୋଇପାରିବେ ବୋଲି ଉପମୁଖ୍ୟମନ୍ତ୍ରୀ ସୂଚାଇଛନ୍ତି । ମହିଳା ଓ ଶିଶୁ ବିକାଶ ବିଭାଗ କମିସନର ଡ. ମୃଣାଳିନୀ ଦରସ୍ୱାଲ ସ୍ୱାଗତ ଭାଷଣ ଦେଇଥିବାବେଳେ ଜିଲାପାଳ ଦତାତ୍ରେୟ ଭାଉସାହେବ ସିନେ୍ଦ ଧନ୍ୟବାଦ ଦେଇଥିଲେ ।
ସମନ୍ୱିତ ଶିଶୁ ବିକାଶ ଓ ସମାଜ ମଙ୍ଗଳ ନିର୍ଦେଶିକା ମନୀଷା ବାନାର୍ଜୀ, କଟକ ମହାନଗର ନିଗମ କମିସନର କିରଣଦୀପ କୌର ସହୋତା ଉପସ୍ଥିତ ଥିଲେ । କଟକ ଜିଲାର ବିଭିନ୍ନ ବ୍ଲକରୁ ୫୫ ଯୋଡ଼ା ବରକନ୍ୟା ବିବାହ ବନ୍ଧରେ ଆବଦ୍ଧ ହୋଇଥିଲେ । ଅତିରିକ୍ତ ଜିଲାପାଳ ଡ. ଇପ୍ସିତା ପ୍ରିୟଦର୍ଶିନୀ ମିଶ୍ର କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।