ଭାରତକୁ ଆସିୁଛି ୯୨ ହଜାର ଟନ୍ ଏଲପିଜି
ଦୁଇ ଜାହାଜ ଆସନ୍ତା ୧୬ ବା ୧୭ ତାରିଖରେ ଭାରତରେ ପହଂଚିବ
ମଧ୍ୟପ୍ରାଚ୍ୟରେ ଇରାନ ଏବଂ ଆମେରିକା-ଇସ୍ରାଏଲ ମଧ୍ୟରେ ଲାଗିଥିବା ଯୁଦ୍ଧ କ୍ରମେ ଭୟଙ୍କର ଦିଗକୁ ଗତି କରୁଛି । ଏହାର ପ୍ରଭାବ ସିଧାସଳଖ ସାରା ବିଶ୍ୱ ଉପରେ ପଡ଼ିଛି ।
କାରଣ ମଧ୍ୟପ୍ରାଚ୍ୟର ଓମାନ ଏବଂ ଇରାନର ସଂକୀର୍ଣ୍ଣ ଜଳପଥ ଷ୍ଟ୍ରେଟ୍ ଅଫ୍ ହର୍ମୁଜ ଦେଇ ବିଭିନ୍ନ ଦେଶର ପଣ୍ୟବାହୀ ଜାହାଜଗୁଡ଼ିକ ଅଶୋଧିତ ତୈଳ, ପେଟ୍ରୋଲ, ଡିଜେଲ ଏବଂ ରନ୍ଧନ ଗ୍ୟାସ ନେଇ ଆସିଥାନ୍ତି ।
କିନ୍ତୁ ମଧ୍ୟପ୍ରାଚ୍ୟ ଯୁଦ୍ଧ ଚାଲିଥିବାରୁ ଇରାନ ଏହି ଷ୍ଟ୍ରେଟ୍ ଅଫ୍ ହର୍ମୁଜକୁ ବନ୍ଦ କରି ରଖିଛି । ଫଳରେ ସମଗ୍ର ବିଶ୍ୱବାସୀ ତେଲ ଓ ରନ୍ଧନ ଗ୍ୟାସ୍କୁ ନେଇ ଚିନ୍ତିତ ହୋଇପଡ଼ିଛନ୍ତି । ଏହାର ପ୍ରଭାବ ଭାରତ ଉପରେ ମଧ୍ୟ ପଡ଼ିଛି ।
ଭାରତର ବିଭିନ୍ନ ମହାନଗରର ହୋଟେଲ ଏବଂ ରେଷ୍ଟୁରାଂଟଗୁଡ଼ିକ ରନ୍ଧନ ଗ୍ୟାସ ସଂକଟ ପାଇଁ ପ୍ରାୟତଃ ବନ୍ଦ କରିସାରିଛନ୍ତି ।
ଏପରିକି ରାଜ୍ୟ ରାଜଧାନୀ ଭୁବନେଶ୍ୱର ସମେତ ଅନ୍ୟ କେତେକ ସହରର ରାସ୍ତାକଡ଼ରେ ଥିବା ବିଭିନ୍ନ ଢାବା ଓ ଛୋଟ ଛୋଟ ହୋଟେଲଗୁଡ଼ିକରେ ମଧ୍ୟ ଉଭୟ ଆମିଷ ଓ ନିରାମିଷ ଥାଳିର ଦର ୨୦ରୁ ୩୦ ଟଂକା ପର୍ଯ୍ୟନ୍ତ ବଢ଼ିସାରିଛି ।
ଏପରିସ୍ଥଳେ ଗତ ୩ ଦିନ ପ୍ରଥମ ତେଲ ଜାହାଜ ଷ୍ଟ୍ରେଟ୍ ଅଫ୍ ହର୍ମୁଜରୁ ଆସି ମୁମ୍ବାଇ ବନ୍ଦରରେ ପହଂଚିଥିଲାବେଳେ ଏବେ ଇରାନରୁ ଅନ୍ୟ ଏକ ଜାହାଜରେ ପ୍ରାୟ ୯୨ ହଜାର ଟନ୍ ଏଲପିଜି ନେଇ ଭାରତୀୟ ଜାହାଜ ବାହାରି ସାରିଛି ବୋଲି ଖବର ପହଂଚିଛି ।
ଏହା ହର୍ମୁଜ ପ୍ରଣାଳୀରୁ ବାହାରିସାରିଛି । ଆଉ ୨ରୁ ୩ ଦିନ ମଧ୍ୟରେ ଦୁଇଟି ଭାରତୀୟ ଜାହାଜରେ ଏହା ମୁନ୍ଦ୍ରା ଏବଂ କାଣ୍ଡଲା ବନ୍ଦରରେ ପହଂଚିବ ବୋଲି କେନ୍ଦ୍ର ଜାହାଜ ମନ୍ତ୍ରଣାଳୟ କହିଛି । ଏହି ଦୁଇ ଜାହାଜ ଆସନ୍ତା ୧୬ ବା ୧୭ ତାରିଖରେ ଭାରତରେ ପହଂଚିବ ବୋଲି ସୂଚନା ମିଳିଛି ।