ଫୋକସରେ ଟେକ୍ନୋଲୋଜି ଶିକ୍ଷା: ସାରାଦେଶରେ AI ଟୁଲ୍ ମାଧ୍ୟମରେ ହେବ ପାଠପଢା
ଭବିଷ୍ୟତର ଶିକ୍ଷାଦାନ ଉପରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଫୋକସ । ଆଜି ଅନୁଗୋଳ ଜିଲ୍ଲାରେ ସ୍ଵାଧୀନତା ସଂଗ୍ରାମୀ ତଥା ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସ୍ଵର୍ଗତ ପବିତ୍ର ମୋହନ ପ୍ରଧାନଙ୍କ ୧୧୮ ତମ ରାଜ୍ୟସ୍ତରୀୟ ଜୟନ୍ତୀ ସମାରୋହରେ ଯୋଗଦେଇ AI ଟୁଲ୍ ମାଧ୍ୟମରେ ପାଠପଢାକୁ ଦେଇଥିଲେ ଗୁରୁତ୍ବ । ଏହାସହ 170 କୋଟିରୁ ଅଧିକ ଟଙ୍କାର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ଶିଳାନ୍ୟାସ ଓ ଉଦଘାଟନ କରାଯାଇଥିଲା ।
ଦେଶରେ ଶିକ୍ଷାକ୍ଷେତ୍ରରେ ବୈପ୍ଲବିକ ପରିବର୍ତ୍ତନ ନେଇ ଏଭଳି ମତ ରଖିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସ୍ଵାଧୀନତା ସଂଗ୍ରାମୀ ତଥା ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସ୍ଵର୍ଗତ ପବିତ୍ର ମୋହନ ପ୍ରଧାନଙ୍କ ୧୧୮ ତମ ରାଜ୍ୟ ସ୍ତରୀୟ ଜୟନ୍ତୀ ସମାରୋହ ଅବସରରେ ପାଲଲହଡା ନିର୍ବାଚନ ମଣ୍ଡଳୀର ପବିତ୍ର ନଗର ଠାରେ ଆୟୋଜିତ ସମାରୋହରେ ଯୋଗ ଦେଇଥିଲେ ରାଜ୍ୟପାଳ ଓ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ।
ଏହି ଅବସରରେ ପବିତ୍ର ମୋହନ ସ୍ମୃତି ପୀଠ ଉଦଘାଟନ ସହ ପ୍ରତିମୂର୍ତ୍ତି ଉନ୍ମୋଚନ କରି ଉଭୟ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଏହାସହ ପ୍ରାୟ ୧୭୦ କୋଟିରୁ ଅଧିକ ଟଙ୍କାର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ଶିଳାନ୍ୟାସ ଓ ଉଦଘାଟନ କରାଯାଇଥିଲା । ପାଲଲହଡ଼ା ନିର୍ବାଚନମଣ୍ଡଳୀ ପାଇଁ ପ୍ରାୟ ୧୫୩ କୋଟି ଟଙ୍କାର ୨୬ଟି ନୂତନ ପ୍ରକଳ୍ପର ଶିଳାନ୍ୟାସ ଏବଂ ୧୬ କୋଟି ଟଙ୍କାର ୬ଟି ପ୍ରକଳ୍ପର ଉଦଘାଟନ କରାଯାଇଛି ।
ପବିତ୍ର ମୋହନଙ୍କ ସ୍ମୃତିକୁ ସମ୍ମାନ ଜଣାଇ ପବିତ୍ରନଗର ଠାରେ ୩ କୋଟି ଟଙ୍କା ବ୍ୟୟରେ ନିର୍ମିତ ସ୍ମୃତି ପୀଠ ଜନସାଧାରଣଙ୍କ ପାଇଁ ଉତ୍ସର୍ଗୀକୃତ ହୋଇଛି । ଖମାର ଠାରେ ୧୧ କୋଟି ଟଙ୍କାର ସିଏଚସି ଭବନ ଏବଂ ପବିତ୍ରନଗର ଓ ବିରୁ ଠାରେ ପିଏଚସି କୋଠାର ଉଦଘାଟନ ହୋଇଛି ।