କେନ୍ଦ୍ରୀୟ ଗାଇଡ୍ଲାଇନ୍ର ଖୋଲା ଉଲ୍ଲଂଘନ; ବାଲି ପାଇଁ ଭୁଶୁଡ଼ିଯିବ ବ୍ରିଜ୍ !
ଭୁବନେଶ୍ଵର/ପୁରୀ: ଦିନରାତି ଚାଲିଛି ବାଲି ଖୋଳା । ରାଜଧାନୀର ଛାତି ଉପରେ ଲୁଟ୍ ହେଉଛି ବାଲି, ବ୍ରିଜ ତଳୁ ବାଲି ଉଠାଇ ନେଇଛନ୍ତି ବାଲି ମାଫିଆ । ପୁରୀ ରେ ବି ସମାନ ଚିତ୍ର । କେନ୍ଦ୍ରୀୟ ଗାଇଡ୍ଲାଇନ୍କୁ ଖୋଲାଖୋଲି ଉଲ୍ଲଂଘନ କରି ମାଫିଆ ବାଲି ଉଠାଇ ନେଉଛନ୍ତି ।
ରାଜଧାନୀର କୁଆଖାଇ ବ୍ରିଜ୍ର ଅନତି ଦୂରରୁ ଉଠୁଛି ବାଲି । ବ୍ରିଜର ଗୋଟିଏ କିଲୋମିଟର ପରିଧି ଭିତରେ ବାଲି ନ ଉଠାଇବା କଥା । ହେଲେ ଏଠି ଯେପରି ସବୁ ଦେଖି ଆଖି ବନ୍ଦ କରି ଦିଆଯିବା ପରି ମନେ ହେଉଛି । ରାଜଧାନୀର ଛାତି ଉପରେ ଖୁଲମଖୁଲା ଚାଲିଛି ବାଲି ଲୁଟ୍ ।
ଏଥିସହ ପଢ଼ନ୍ତୁ: ସୁନା-ରୁପାକୁ ନେଇ କାହିଁକି ଚର୍ଚ୍ଚାରେ ବାବା ଭେଙ୍ଗାଙ୍କ ଭବିଷ୍ୟବାଣୀ ?
କେବଳ ଭୁବନେଶ୍ୱର ନୁହେଁ ପୁରୀ ରେ ବି ସମାନ ଚିତ୍ର । ବ୍ରିଜର ଏକ କିଲୋମିଟର ଭିତରେ ଖନନ ବନ୍ଦ କରିବାକୁ ପୁରୀ ଜିଲ୍ଲା ମାଇନିଂ ଅଧିକାରୀଙ୍କୁ ଚିଠି ଲେଖିଛନ୍ତି ପୁରୀ ଗ୍ରାମ୍ୟ ନିର୍ମାଣ ବିଭାଜନ ଅଧିକ୍ଷଣ ଯନ୍ତ୍ରୀ । ତଥାପି ବ୍ରିଜ୍ ତଳୁ ବାଲି କୋରି ନେଉଛନ୍ତି ବାଲି ମାଫିଆ । ଆଉ ଏହି ସ୍ଥିତିରୁ ଆଶଙ୍କା କରାଯାଉଛି, ଏବେ ବିପଦରେ ପୁରୀ ଜିଲ୍ଲାର ୩୫ ବ୍ରିଜ୍ ।
ବାଲି ଖନନ ପାଇଁ କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରାଳୟ ଜାରି କରିଥିବା ଗାଇଡ୍ଲାଇନ୍ ଅନୁସାରେ, ବଡ଼ ବ୍ରିଜ ଓ ଜାତୀୟ ରାଜପଥର ଗୋଟିଏ କିଲୋମିଟର ପରିଧି ଭିତରେ ବାଲି ଉଠାଯାଇ ପାରିବ ନାହିଁ । ହେଲେ ବାଲି ଚାଲାଣ ସହଜ କରିବାକୁ ଲିଜ୍ ମିଳିଥିବା ଜାଗା ଠାରୁ ବାଲି ଉଠାଇବା ପରେ ବ୍ରିଜ୍ ତଳୁ ବାଲି ଖୋଳି ନେଉଛନ୍ତି ବାଲି ମାଫିଆ ।