ଇରାକରେ ଜଣେ ଭାରତୀୟଙ୍କ ମୃତ୍ୟୁ
ଆମେରିକାର ଅଶୋଧିତ ତୈଳ ଟ୍ୟାଙ୍କର ସଫେସିଆ ବିଷ୍ଣୁର ମୁଖ୍ୟ ଯନ୍ତ୍ରୀ ଦେବାନନ୍ଦନ ପ୍ରସାଦ ସିଂଙ୍କ ମୃତ୍ୟୁ
ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ, ଭାରତକୁ ଏକ ଦୁଃଖଦ ଖବର ମିଳିଛି । ଏହି ସଂଘର୍ଷରେ ଆଉ ଜଣେ ଭାରତୀୟଙ୍କ ମୃତ୍ୟୁ ହୋଇଛି । ପୂର୍ବରୁ ଓମାନ ଉପକୂଳରେ ଇରାନ ଆକ୍ରମଣରେ ଦୁଇଜଣ ଭାରତୀୟଙ୍କର ମୃତ୍ୟୁ ଘଟିଥିଲା । ଏବେ ଇରାକରେ ହୋଇଥିବା ଏକ ଆକ୍ରମଣରେ ଜଣେ ଭାରତୀୟଙ୍କ ମୃତ୍ୟୁ ଘଟିଥିବାବେଳେ ଜଣେ ନିଖୋଜ ଥିବା ଜଣାପଡ଼ିଛି ।
ଆମେରିକାର ମାଲିକାନାରେ ଥିବା ଅଶୋଧିତ ତୈଳ ଟ୍ୟାଙ୍କର ସଫେସିଆ ବିଷ୍ଣୁ ଉପରେ ଇରାକର ବାସରା ନିକଟରେ ଆକ୍ରମଣ ହୋଇଥିଲା । ଏଥିରେ ସେହି ଜାହାଜରେ ଥିବା ମୁଖ୍ୟ ଯନ୍ତ୍ରୀ ମୁମ୍ବାଇର ପଶ୍ଚିମ କାଣ୍ଡିଆଭାଲିର ଦେବାନନ୍ଦନ ପ୍ରସାଦ ସିଂଙ୍କ ମୃତ୍ୟୁ ହୋଇଛି ।
ମିଳିଥିବା ସୂଚନା ଅନୁସାରେ ତୈଳ ମାଲବାହୀ ଜାହାଜରେ ଥିବା ବାକି ୧୫ଜଣ ଭାରତୀୟ ନାବିକଙ୍କୁ ସୁରକ୍ଷିତ ଭାବେ ସ୍ଥାନାନ୍ତର କରାଯାଇଛି । ବାଗଦାଦରେ ଥିବା ଭାରତୀୟ ଦୂତାବାସ ଇରାକ କର୍ତୃପକ୍ଷଙ୍କ ସହ ଯୋଗାଯୋଗରେ ଥିବାବେଳେ ଉଦ୍ଦାର ହୋଇଥିବା ଭାରତୀୟ ନାବିକଙ୍କ ସମ୍ପର୍କରେ ଆଲୋଚନା ଚାଲିଛି ।
ନାବିକମାଙ୍କୁ ସମସ୍ତ ସମ୍ଭାବ୍ୟ ସହାୟତା ଯୋଗାଇ ଦିଆଯିବ । ଉପଯୁକ୍ତ ସୁରକ୍ଷା ବ୍ୟବସ୍ଥା କରାଯିବ । ଗତକାଲି ସଂଘର୍ଷରେ ଦୁଇଜଣ ଭାରତୀୟଙ୍କ ମୃତ୍ୟୁ ସମ୍ପର୍କରେ ଭାରତୀୟ ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ରଣଧୀର ଜୟସୱାଲ ନିଶ୍ଚିତ କରିଛନ୍ତି ।