ଓଡ଼ିଆଙ୍କୁ ଫେରାଇବାର ବ୍ୟବସ୍ଥା କରାଯାଉ : ନବୀନ
କେନ୍ଦ୍ର ଓ ରାଜ୍ୟ ସରକାର ପଦକ୍ଷେପ ଗ୍ରହଣ କରିବା ଆବଶ୍ୟକ ହୋଇପଡ଼ିଛି
ମଧ୍ୟପ୍ରାଚ୍ୟ ଯୁଦ୍ଧ ଭିତରେ ମୋହନ ସରକାରଙ୍କୁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଅନୁରୋଧ କରି କହିଛନ୍ତି ଯେ ଯୁଦ୍ଧ ଯୋଗୁଁ ବିଭିନ୍ନ ସ୍ଥାନରେ ଫସି ରହିଥିବା ଓଡ଼ିଆ ଭାଷାଭାଷୀଙ୍କୁ ଫେରାଇ ଅଣାଯାଉ । ଇରାନ-ଆମେରିକା ଯୁଦ୍ଧ ସୋମବାର ସୁଦ୍ଧା ୧୦ଦିନ ଅତିକ୍ରମ କରିଥିବାବେଳେ ଏହା ଅଧିକ ତୀବ୍ର ହେବାକୁ ଲାଗିଛି, ଯାହାର ପ୍ରଭାବ ସମଗ୍ର ବିଶ୍ୱରେ ଦେଖିବାକୁ ମିଳିଛି ।
ସେଠାରେ ଫସି ରହିଥିବା ଭାରତୀୟମାନେ ଅଧକ ହନ୍ତସନ୍ତ ହେଉଛନ୍ତି । ତେଣୁ ସେମାନଙ୍କୁ ସୁରକ୍ଷିତ ଭାବେ ଫେରାଇ ଆଣିବା ନିମନ୍ତେ ବିଜେପି ସୁପ୍ରିମୋ ଶ୍ରୀ ପଟ୍ଟନାୟକ ଚିନ୍ତା ପ୍ରକଟ କରିଛନ୍ତି ।
ସେ କହିଛନ୍ତି ଯେ ମୁଁ ବୁଝିପାରୁଛି ଯେ ମଧ୍ୟପ୍ରାଚ୍ୟ ଦେଶଗୁଡ଼ିକରେ ଲକ୍ଷ ଲକ୍ଷ ଓଡ଼ିଆ ଲୋକ ଫସି ରହିଛନ୍ତି ।
ସେମାନେ କେତେ କଷ୍ଟରେ ରହିଥିବେ । ତେଣୁ ମୁଁ ଓଡ଼ିଶା ସରକାର ଏବଂ ଭାରତ ସରକାରଙ୍କୁ ଅନୁରୋଧ କରୁଛି ଯେ ଫସି ରହିଥିବା ଓଡ଼ିଆ ଭାଷାଭାଷୀମାନେ କିପରି ସୁରକ୍ଷିତ ଭାବେ ନିଜ ଘରକୁ ଫେରିବେ, ସେହି ଅନୁସାରେ ତୁରନ୍ତ ପଦକ୍ଷେପ ଗ୍ରହଣ କରନ୍ତୁ ।
ମାର୍ଚ ୫ତାରିଖ ସୁଦ୍ଧା ମୋଟ ୧୪,୯୯୨ଜଣ ଫସି ରହିଥିବା ଯାତ୍ରୀଙ୍କୁ ଭାରତ ଫେରାଇ ଅଣାଯାଇଛି । ତଥାପି, ମଧ୍ୟପ୍ରାଚ୍ୟରେ ହଜାର ହଜାର ଭାରତୀୟ ଏବେବି ଅଟକି ରହିଛନ୍ତି ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି । ତେଣୁ ସେମାନଙ୍କ ସୁରକ୍ଷା ଦୃଷ୍ଟିରୁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ପଦକ୍ଷେପ ଗ୍ରହଣ କରିବା ଆବଶ୍ୟକ ହୋଇପଡ଼ିଛି ।