ବିଜେଡି ଓ କଂଗ୍ରେସକୁ କ୍ରସ ଭୋଟିଂ ଡର
ଏତେ ଯଦି ଡର, ତା’ହେଲେ ପ୍ରାର୍ଥୀ ଦେଉଥିଲ କାହିଁକି – ବିଜେପି ?
ଆସନ୍ତା ୧୬ ତାରିଖରେ ରାଜ୍ୟସଭା ପାଇଁ ଭୋଟିଂ ହେବ । କିନ୍ତୁ ଏଥିପୂର୍ବରୁ ରାଜ୍ୟର ଦୁଇ ପ୍ରମୁଖ ବିରୋଧୀ ଦଳ କଂଗ୍ରେସ ଓ ବିଜେଡିଙ୍କୁ ଘାରିଛି କ୍ରସ ଭୋଟିଂର ଡର । ଏହି କ୍ରମରେ ଗୁରୁବାର କଂଗ୍ରେସ ପକ୍ଷରୁ ଦଳୀୟ ନେତାଙ୍କ ପାଇଁ ହ୍ୱିପ ଜାରି କରାଯାଇଛି ।
ପୂର୍ବରୁ ମଧ୍ୟ ବିଜେଡି ଏ ନେଇ ସତର୍କ ରହିବା ସହ ଦଳୀୟ ନେତା ଓ ବିଧାୟକଙ୍କ ପାଇଁ ହ୍ୱିପ ଜାରି କରିସାରିଛି । ଦଳ ପକ୍ଷରୁ ୩ ଧାଡ଼ିଆ ହ୍ୱିପ ଜାରି କରାଯାଇଛି । ଆସନ୍ତା କାଲି ଶୁକ୍ରବାର ୧୩ ତାରିଖରୁ ୧୬ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱର ନ ଛାଡ଼ିବାକୁ ଦଳୀୟ ନେତା ଓ ବିଧାୟକଙ୍କୁ ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ହ୍ୱିପ ଜାରି କରିଛନ୍ତି ।
ତେଣେ ସଦ୍ୟତମ ବିଜେଡିରୁ ବିଜେପିକୁ ଲମ୍ପ ପ୍ରଦାନ କରିଛନ୍ତି ବାଲେଶ୍ୱରର ପୂର୍ବତନ ସାଂସଦ ରବୀନ୍ଦ୍ର ଜେନା ।
ବିଜେପିରେ ମିଶିବା ପରେ ତାଙ୍କ ବିଧାୟିକା ପତ୍ନୀ ସୁବାସିନୀ ଜେନାଙ୍କ ଭୋଟ୍ କେଉଁ ଦଳକୁ ଯିବ ତାହାକୁ ନେଇ ବିଜେଡି ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଟେନସନରେ ଅଛନ୍ତି ।
ତେବେ ଏହି ଦୁଇ ଦଳଙ୍କ ଏଭଳି ଅବସ୍ଥା ଦେଖି ଶାସକ ବିଜେପି ସେମାନଙ୍କୁ ତାତ୍ସଲ୍ୟ କରି ପଚାରିଛି, ଏତେ ଯଦି ଡର, ତା’ହେଲେ ପ୍ରାର୍ଥୀ ଦେଉଥିଲ କାହିଁକି ?