ବିଜୁ ଲିଗାସୀକୁ କଂଗ୍ରେସ ବିଧାୟକଙ୍କ ସଲାମ
ଦିଲୀପଙ୍କ ସପକ୍ଷରେ ଦେଲେ ଭୋଟ
ରାଜ୍ୟସଭା ନିର୍ବାଚନ ଫଳାଫଳ ପରେ ରାଜ୍ୟ ରାଜନୀତିରେ ବହୁକିଛି ଘଟିଛି ଯାହା ଜନସାଧାରଣଙ୍କୁ ଆଶ୍ଚର୍ଯ୍ୟଚକିତ କରିଛି । ଏଥିରେ କଂଗ୍ରେସର ହ୍ୱିପକୁ ଖାତିର ନ କରି ୩ ବିଧାୟକ ବିଜେପି ସମର୍ଥିତ ସ୍ୱାଧୀନ ପ୍ରାର୍ଥୀ ଦିଲୀପ ରାୟଙ୍କୁ କ୍ରସ ଭୋଟିଂ କରିଛନ୍ତି ।
ସେମାନେ ହେଲେ ରମେଶ ଜେନା, ସୋଫିଆ ଫିର୍ଦୋଷ ଏବଂ ଦାଶରଥି ଗମାଙ୍ଗୋ ।
ରାଜ୍ୟସଭା ନିର୍ବାଚନର ଚତୁର୍ଥ ଆସନ ପାଇଁ କଂଗ୍ରେସ-ବିଜେଡିର କମନ୍ ପ୍ରାର୍ଥୀ ଦତେଶ୍ୱର ହୋତାଙ୍କୁ ନେଇ ସେମାନେ ଘୋର ଅସନ୍ତୁଷ୍ଟ ଥିଲେ । ଏପରିକି ପ୍ରାର୍ଥୀ ଘୋଷଣା ପୂର୍ବରୁ ଆମକୁ କେହି କିଛି ପଚାରିନଥିଲେ ବୋଲି ବାରବାଟୀ-କଟକ ବିଧାୟିକା ସୋଫିଆ ଫିର୍ଦୋଷ ରାଜ୍ୟସଭା ଭୋଟିଂ ପୂର୍ବରୁ ଖୋଲାଖୋଲି କହି ନିଜର ଅସନ୍ତୋଷ ପ୍ରକଟ କରିଛନ୍ତି ।
ସେହିପରି ଗଞ୍ଜାମ ଜିଲାର ସାନଖେମୁଣ୍ଡି ବିଧାୟକ ରମେଶ ଜେନା ମଧ୍ୟ ନିଜର ଅସନ୍ତୋଷ ପ୍ରକଟ କରି ଦିଲୀପଙ୍କ ସପକ୍ଷରେ ଭୋଟ ଦେଇଛନ୍ତି । କାରଣ ଆଇନଜୀବୀ ପୀତବାସ ପଣ୍ଡାଙ୍କ ହତ୍ୟାକାଣ୍ଡରେ ସେ ଗିରଫ ହେଲାବେଳେ ଦଳ ତାଙ୍କ ହାତ ଛାଡ଼ି ଦେଇଥିଲା । ଏପରିକି ତାଙ୍କୁ କୌଣସି ଦଳ ପକ୍ଷରୁ ଆଶ୍ୱସନା ବି ମିଳିନଥିଲା । ତେଣୁ ସେ ପ୍ରତିଶୋଧ ନେବାକୁ ସୁଯୋଗ ଉଣ୍ଡୁଥିଲେ ।
ସେହିଭଳି ଆଉ ଜଣେ ଅସନ୍ତୁଷ୍ଟ ମୋହନା ବିଧାୟକ ଦାଶରଥି ଗମାଙ୍ଗୋ ମଧ୍ୟ ଦିଲୀପଙ୍କୁ ଭୋଟ ଦେଇଛନ୍ତି । ତାଙ୍କୁ ନେଇ ଗତ କିଛି ଦିନ ହେବ ମିଡିଆରେ ହାଇଡ୍ରାମା ଚାଲିଥିଲା । ସେ ତାଙ୍କ ଫୋନ ସୁଇଚ୍ଅଫ୍ ରଖିବା ସହ କୌଣିସି ଏକ ଅଜ୍ଞାତ ସ୍ଥାନରେ ଆତ୍ମଗୋପନ କରିଥିଲେ । ଏପରିକି ପିସିସି ପକ୍ଷରୁ ତାଙ୍କୁ ଏଥିପାଇଁ ସୋ କଜ ନୋଟିସ ଜାରି କରାଯିବା ସହ ଦଳୀୟ କାର୍ଯ୍ୟାଳୟରେ ହାଜର ହେବାକୁ ନିର୍ଦେଶ ମଧ୍ୟ ଜାରି କରାଯାଇଥିଲା ।
ତଥାପି ଏହାର କୌଣସି ପ୍ରଭାବ ଦାଶରଥିଙ୍କ ଉପରେ ପଡ଼ିନଥିଲା ।
ତେବେ ସେମାନେ ପ୍ରବାଦ ପୁରୁଷ ବିଜୁବାବୁଙ୍କୁ ସମ୍ମାନ ଦିଅନ୍ତି । ବିଜୁ ଲିଗାସୀକୁ ସମ୍ମାନ ଦେଇ ଦିଲୀପ ରାୟଙ୍କୁ ସେମାନେ ତାଙ୍କର ବିବେକାନୁମୋଦିତ ଭୋଟ ଦେଇଛନ୍ତି ବୋଲି ପ୍ରତିକ୍ରିୟାରେ ବିଧାୟିକା ସୋଫିଆ ଏବଂ ରମେଶ ଓ ଦାଶରଥୀ କହିଛନ୍ତି ।