କଫ୍ ସିରପ : ଯୁବପିଢ଼ୀ ନିଶାସକ୍ତ
ସମୟ ଯେତେ ଗଡ଼ୁଛି ଯୁବପିଢ଼ୀ ସେତେ ପରିମାଣରେ ନିଶାସକ୍ତ ହେବାକୁ ଲାଗିଛନ୍ତି । ଏଥିପ୍ରତି ପ୍ରଶାସନର ନଜର ରହିଥିଲେ ସୁଦ୍ଧା କାହିଁକି କେଜାଣି ପରିସ୍ଥିତି ବଦଳିପାରୁ ନାହିଁ । କେବଳ ଗଞ୍ଜେଇ, ମଦ, ଅଫିମ, ବ୍ରାଉନ୍ ସୁଗର ନୁହେଁ, ଏବେ ବଜାରରେ ଆଉ ଏକ ନୂତନ ନିଶାରେ ଯୁବପିଢ଼ୀ ନିଶାସକ୍ତ ହେବାକୁ ଲାଗୁଥିବା ଦେଖାଯାଉଛି । କାରଣ ବହୁସ୍ଥାନରେ କଫ୍ ସିରପ୍ ପିଇ ଯୁବପିଢ଼ୀର ଏକାଂଶ ମତୁଆଲା ରହୁଥିବା ପରିଲକ୍ଷିତ ହୋଇଛି ।
ବେଆଇନ୍ କଫ୍ ସିରପ ଚୋରା ଚାଲାଣରେ ପଶ୍ଚିମ ଓଡ଼ିଶା ଚରାଭୂଇଁ ପାଲଟିଥିବାବେଳେ ଖୋଦ୍ ଦୈତ୍ୟନଗରୀ ମଧ୍ୟ ଏଥିରୁ ବାଦ୍ ପଡ଼ି ନଥିବା ପରିଲକ୍ଷିତ ହୁଏ । ଯାହାଦ୍ୱାରା ସାଧାରଣ ଯୁବପିଢ଼ୀ ଏହାକୁ ପିଇ ସାମାନ୍ୟ ନିଶାରେ ମତୁଆଲା ରହୁଛନ୍ତି । ବର୍ଷବର୍ଷ ଏଭଳି ଚାଲିବାଦ୍ୱାରା ସାଧାରଣ ଅଭିଭାବକ ସେମାନଙ୍କ ଭବିଷ୍ୟତକୁ ନେଇ ଚିନ୍ତାରେ ପଡ଼ିଛନ୍ତି । ପୁଲିସ ପ୍ରଶାସନ ପକ୍ଷରୁ ବିଭିନ୍ନ ସମୟରେ ଏବଂ ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରହିଛି, କିନ୍ତୁ ଏହି ବେଆଇନ କାରବାରରେ ରୋକ ଲାଗି ପାରୁ ନାହିଁ । ଯାହାଦ୍ୱାରା ଯୁବପିଢ଼ୀ ଆଜି ବିଭ୍ରାନ୍ତ ହୋଇପଡ଼ିଛନ୍ତି । ଦେଖାଯାଇଛି ଯେ କଫ, କାଶ ବନ୍ଦ ନିମିତ ଯେଉଁ କଫ୍ ସିରଫ ବଜାରରେ ବିକ୍ରି ହେଉଛି, ସେହି ତରଳ ପଦାର୍ଥକୁ ଖାଇ ଯୁବପିଢ଼ୀ ନିଶାସକ୍ତ ହେଉଛନ୍ତି ।
। ଉଲ୍ଲେଖଯୋଗ୍ୟ ଯେ ନାମିଦାମୀ କମ୍ପାନୀର କଫ୍ ସିରଫ ବେଆଇନ୍ ଭାବେ ବଜାରରେ ବହୁ ପରିମାଣରେ ସରବରାହ କରାଯାଉଛି, ଯାହାକୁ ପିଇ ଯୁବପିଢ଼ୀ ମତୁଆଲା । ପୁଲିସ ଚଢ଼ଉରେ ଏହାକୁ କିଛିଟା ଆୟତ କରାଯାଉଥିଲେ ସୁଦ୍ଧା କିଛି ଦିନ ପରେ ଯାହାକୁ ତାହା । କମିସନରେଟ୍ ପୁଲିିସର ତଥ୍ୟ ଅନୁସାରେ ୨୦୨୩ ମସିହାରେ ମାତ୍ର ୫୯୬ଟିି ବୋତଲ ଜବତ ହୋଇଥିଲା ।
୨୦୨୪ରେ ତାର ପରିମାଣ ୧୬୯ ଲିଟର ଅତିକ୍ରମ କରିଥିଲା । ଆଉ ପରବର୍ଷ ଅର୍ଥାତ୍ ୨୦୨୫ ମସିହାରେ ତାହା ୧୮୬୬ଲିଟର କଫ୍ ସିରଫ ଜବତ ହୋଇଛି । ଏହି ତଥ୍ୟକୁ ତୁଳନାରେ କଲେ ସାଧାରଣ ଯୁବପିଢ଼ୀ କେତେ ବିପଦଗ୍ରସ୍ତ ଓ ବିଭ୍ରାନ୍ତ, ତାହା ସହଜରେ ଅନୁମାନ କରିହେବ ।
ମୂଳତଃ କଫ୍ ସିରପର ବିକ୍ରି ସମ୍ପର୍କିତ ସୂଚନା ଆଗୁଆ ଗୁଇନ୍ଦା ନ ପାଇବା ଓ ନିୟମିତ ଚଢ଼ଉ, ଯାଂଚ ଇତ୍ୟାଦି କରା ନଯିବା କାରଣରୁ ଏଭଳି ବେଆଇନ୍ ଚାଲାଣ ବୃଦ୍ଧି ପାଇବାକୁ ଲାଗିବା ସହ ଏହି ନିଶା ବିକ୍ରି ଓ ସେବନ ଦିନକୁ ଦିନ ବୃଦ୍ଧି ପାଉଛି ବୋଲି ବୁଦ୍ଧିଜୀବୀଙ୍କ ବକ୍ତବ୍ୟ ।
ମୂଳତଃ ସିକିମ୍, ଉତରାଖଣ୍ଡ, ହିମାଚଳପ୍ରଦେଶ ଆଦି ଅଂଚଳରେ ଏହି କଫ୍ ସିରଫ ପ୍ରସ୍ତୁତ କାରଖାନାମାନ ରହିଛି । ସେଠାରୁ ଉତରପ୍ରଦେଶ, ମଧ୍ୟପ୍ରଦେଶ, ଛତିଶଗଡ଼, ପଶ୍ଚିମବଙ୍ଗ ଓ ଝାଡ଼ଖଣ୍ଡକୁ ଚୋରା ଚାଲାଣ ହେଉଛି । ବିଶେଷ କରି କଲକାତା ଓ ରାୟପୁର ବାଟ ଦେଇ କଫ୍ ସିରଫ ଓଡ଼ିଶାକୁ ପ୍ରବେଶ କରୁଛି ।
ନକଲି ବିଲ୍ ପ୍ରସ୍ତୁତ କରାଯାଇ ବିଭିନ୍ନ ସ୍ଥାନକୁ ଚାଲାଣ କରାଯାଉଛି । ଯାହାଦ୍ୱାରା ସହଜରେ ଏହାକୁ ଟ୍ରେସ୍ କରାଯାଇ ପାରୁନାହିଁ । ତେବେ ଯାହା ହେଉ ନା କାହିଁକି ରାଜ୍ୟର ଯୁବପିଢ଼ୀ ଯେପରି ସୁରକ୍ଷିତ ରୁହନ୍ତି ସେଥିପ୍ରତି କେବଳ ପୁଲିସ କିମ୍ବା ପ୍ରଶାସନ ନୁହଁନ୍ତି, ସାଧାରଣଙ୍କୁ ମଧ୍ୟ ଏହି କ୍ଷେତ୍ରରେ ସଚେତନତା ସୃଷ୍ଟି ସହ ଏହା ବିରୋଧରେ କଠୋର ପଦକ୍ଷେପ ଗ୍ରହଣ କରିବାର ଆବଶ୍ୟକତା ପଡ଼ିଛି ।