ସିପିଇଟି ପରୀକ୍ଷା : ବଢ଼ିଲା ଆବେଦନ ସମୟ
କମନ ପିଜି ଏଂଟ୍ରାନ୍ସ ଟେଷ୍ଟ (ସିପିଇଟି) ପରୀକ୍ଷା ପାଇଁ ଆବେଦନ କରିବାର ସମୟସୀମାକୁ ବୃଦ୍ଧି କରାଯାଇଛି ।
ଆବେଦନର ସମୟ ସୀମାକୁ ମାର୍ଚ ୧୮ତାରିଖ ପର୍ଯ୍ୟନ୍ତ ବୃଦ୍ଧି ପାଇଛି । ସିପିଇଟି ପରୀକ୍ଷା ପାଇଁ ଆଗ୍ରହୀ ଥିବା ଛାତ୍ରଛାତ୍ରୀମାନେ ୧୮ତାରିଖ ରାତ୍ରି ୧୧ଟା ୪୫ମିନିଟ୍ ପର୍ଯ୍ୟନ୍ତ ସାମ୍ସ ପୋର୍ଟାଲକୁ ଯାଇ ନିଜର କମ୍ ଆପ୍ଲିକେସନ ଫର୍ମ (ସିଏଏଫ୍) ପୂରଣ କରିପାରିବେ ।
ପୂର୍ବରୁ ନିର୍ଦ୍ଦାରିତ ହୋଇଥିବା ସମୟସୀମା ଅନୁସାରେ ସିପିଇଟି ପରୀକ୍ଷା ଆବେଦନ ପାଇଁ ମାର୍ଚ ୧୫ତାରିଖ ଶେଷ ରହିଥିଲା । କିନ୍ତୁ ଛାତ୍ରଛାତ୍ରୀଙ୍କ ବୃହତର ସ୍ୱାର୍ଥ ଓ ଭବିଷ୍ୟତକୁ ଦୃଷ୍ଟିରେ ରଖି ଆବେଦନର ସମୟସୀମାକୁ ବୃଦ୍ଧି କରିବା ନିମନ୍ତେ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ନିଷ୍ପତି ନିଆଯାଇଛି ।
ସୂଚନାଯୋଗ୍ୟ ଯେ ୨୦୨୬-୨୭ ଶିକ୍ଷାବର୍ଷରେ ସ୍ନାତକୋତର ପାଠ୍ୟକ୍ରମରେ ନାମ ଲେଖାଇବାକୁ ଆଗ୍ରହୀ ଥିବା ଛାତ୍ରଛାତ୍ରୀମାନଙ୍କୁ କମନ ପିଜି ଏଂଟ୍ରାନ୍ସ ଟେଷ୍ଟ (ସିପିଇଟି) ପରୀକ୍ଷାରେ ଅଂଶଗ୍ରହଣ କରିବାକୁ ପଡ଼ିବ । ଏପ୍ରିଲ ମାସ ୨୭ ତାରିଖରୁ ମେ ମାସ ୧୦ତାରିଖ ପର୍ଯ୍ୟନ୍ତ ବିଭିନ୍ନ ସ୍ନାତକୋତର ବିଷୟ ପାଇଁ ସିପିଇଟି ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେବ ।
ସିପିଇଟି ପ୍ରବେଶିକା ପରୀକ୍ଷାରେ ରଖିଥିବା ମାର୍କ ଆଧାରରେ ହିଁ ଛାତ୍ରଛାତ୍ରୀମାନଙ୍କୁ ସ୍ନାତକୋତର ପାଠ୍ୟକ୍ରମ ପାଇଁ ଚୟନ କରାଯିବ ।
ଏଥିସହ ୨୦୨୬ ମସିହା ଜୁଲାଇ ୧୦ ତାରିଖ ସୁଦ୍ଧା ସମସ୍ତ ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟମାନଙ୍କରେ ସ୍ନାତକୋତର ପାଠ୍ୟକ୍ରମକୁ ଆରମ୍ଭ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି ।
ଏହାଦ୍ୱାରା ସଠିକ୍ ସମୟରେ ସ୍ନାତକୋତର ପାଠ୍ୟକ୍ରମର ପାଠପଢ଼ା ସମାପ୍ତ ହେବା ସହ ସଠିକ୍ ସମୟରେ ପରୀକ୍ଷା କରାଯାଇ ଫଳାଫଳ ମଧ୍ୟ ଘୋଷଣା କରାଯାଇପାରିବ, ଯାହାଦ୍ୱାରା ଓଡ଼ିିଶାର ସମସ୍ତ ଛାତ୍ରଛାତ୍ରୀ ଉପକୃତ ହେବା ସମ୍ଭବ ।