୨୮ରେ ୧୫୮ ବାର ଆସୋସିଏସନର ନିର୍ବାଚନ
୩୮ହଜାରରୁ ଅଧିକ ଭୋଟର ମତ ଦେବେ
ରାଜ୍ୟ ଆଇନଜୀବୀ ପରିଷଦର ସାଧାରଣ ବୈଠକ ନିଷ୍ପତି ଅନୁସାରେ ଚଳିତବର୍ଷ ମାର୍ଚ ୨୮ରେ ରାଜ୍ୟର ସମସ୍ତ ୧୫୮ଟି ଅନୁବନ୍ଧିତ ବାର ଆସୋସିଏସନର ନିର୍ବାଚନ ହେବ । ଏହ ନିର୍ବାଚନରେ ୩୮.୮୮୩ଜଣ ଭୋଟର ମତଦାନ କରିବେ । ଏ ସଂକ୍ରାନ୍ତରେ ଓଡ଼ିଶା ରାଜ୍ୟ ଆଇନଜୀବୀ ପରିଷଦ ଅଧ୍ୟକ୍ଷ ସୀତାଂଶୁ ମୋହନ ଦ୍ୱିବେଦୀ ସୂଚନା ଦେଇଛନ୍ତି ।
ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ଦ୍ୱିବେଦୀ କହିଛନ୍ତି ଯେ ରାଜ୍ୟ ଆଇନଜୀବୀ ପରିଷଦଦ୍ୱାରା ପ୍ରସ୍ତୁତ ଓ ପ୍ରକାଶିତ ଚୂଡ଼ାନ୍ତ ଭୋଟର ତାଲିକ ବାର ଆସୋସିଏସନକୁ ପଠାଯାଇଛି । ସ୍ୱଚ୍ଛ, ଅବାଧ ଏବଂ ନିରପେକ୍ଷ ନିର୍ବାଚନ ଅନୁଷ୍ଠିତ ପାଇଁ ସମସ୍ତ ନିର୍ବାଚନ ଅଧିକାରୀଭ୍କୁ ନିର୍ବାଚନ ସଂକ୍ରାନ୍ତୀୟ ଅଧିନିୟମ ଅନୁଯାୟୀ ଆବଶ୍ୟକ ନିର୍ଦେଶାବଳୀ ପ୍ରଦାନ କରାଯାଇଛି । ପ୍ରଚାର ସମୟରେ କୌଣସି ବ୍ୟାନର, ହୋଡିଂ ଇତ୍ୟାଦି ଆସୋସିଏସନର ପରିସର ତଥା ନ୍ୟାୟାଳୟ ପରିସର ମଧ୍ୟରେ ପ୍ରଦର୍ଶିତ କରାଯାଇପାରିବ ନାହିଁ ।
ଏଥିରେ ବ୍ୟତୀକ୍ରମ ହେଲେ ସଂପୃକ୍ତ ନିର୍ବାଚନ ଅଧିକାରୀ ତଥା ଅନ୍ୟ ବ୍ୟକ୍ତି ବିଶେଷ ଯେଉଁମାନେ ଏହି ନିର୍ବାଚନକୁ ବିଶୃଙ୍ଖଳା କରିବେ, ସେମାନଙ୍କ ବିରୋଧରେ ରାଜ୍ୟ ପରିଷଦ ତରଫରୁ ଦୃଢ଼ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।
ସମସ୍ତ ନିର୍ବାଚନ ଅଧିକାରୀଙ୍କୁ ପରିଷଦ ପକ୍ଷରୁ ନିର୍ଦେଶ ଦିଆଯାଇଛି ଯେ ଅବାଧ ଓ ସ୍ୱଚ୍ଛ ନିର୍ବାଚନକୁ ସୁନିଶ୍ଚିତ କରିବା ପାଇଁ ୨୮ ତାରିଖ ସକାଳ ୭ଟା ୩୦ମିନିଟ୍ରୁ ୩ଟା ପର୍ଯ୍ୟନ୍ତ ହେବାକୁ ଥିବା ଭୋଟ ଗ୍ରହଣର ସମ୍ପୂର୍ଣ୍ଣ ପ୍ରକ୍ରିୟାକୁ ଭିଡ଼ିଓଗ୍ରାଫି କରି ତୁରନ୍ତ ତାହାର ଏକ କପି ରାଜ୍ୟ ଆଇନଜୀବୀ ପରିଷଦକୁ ପଠାଇବେ ବୋଲି ଶ୍ରୀ ଦ୍ୱିବେଦୀ ସୂଚନା ଦେଇଛନ୍ତି ।