ଶିଶୁ ସୁରକ୍ଷା ପ୍ରତି ଅଧିକ ଗୁରୁତ୍ୱ ଦିଆଯାଉଛି : ଡିଜିପ
ଓଡ଼ିଶା ପୁଲିସ ଏବଂ ୟୁନିସେଫ୍ର ମିଳିତ ସହଯୋଗରେ ଶନିବାର ଭୁବନେଶ୍ୱରସ୍ଥିତ ପୁଲିସ ଭବନଠାରେ ଜୁଭେନଟିକା-ଡିଜିଟାଲ ଅଧିକାର ଏବଂ ଶିଶୁଙ୍କ ସୁରକ୍ଷା ଶୀର୍ଷକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଛି ।
ଏହି ଡିଜିଟାଲ ଦୁନିଆରେ ଶିଶୁମାନେ ସମ୍ମୁଖୀନ ହେଉଥିବା ଆହ୍ୱାନ ଏବଂ ସମ୍ଭାବନାଗୁଡ଼ିକର ମୁକାବିଲା ପାଇଁ ପ୍ରଶାସକ, ବରିଷ୍ଠ ପୁଲିସ ଅଧିକାରୀ, ଶିକ୍ଷାବିତ୍, ଅଭିଭାବକ, ଛାତ୍ରଛାତ୍ରୀ ଓ ଶିଶୁ ଅଧିକାର ବିଶେଷଜ୍ଞଙ୍କୁ ଏକାଠି କରିବା ଏହି କାର୍ଯ୍ୟକ୍ରମର ମୂଳ ଲକ୍ଷ୍ୟ ଥିଲା ଏବଂ ଅନ୍ଲାଇନ୍ ପରିବେଶରେ ଶିଶୁଙ୍କ ଅଧିକାର ଏବଂ କଲ୍ୟାଣକୁ ସୁରକ୍ଷିତ ରଖିବା ପାଇଁ ପରିବାର, ସମାଜ ଓ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ କିପରି ସହଯୋଗ କରିହେବ ସେ ସମ୍ପର୍କରେ ଆଲୋଚନା ହୋଇଥିଲା ।
ରାଜ୍ୟ ଆରକ୍ଷୀ ମହା ନିର୍ଦେଶକ ଯୋଗେଶ ବାହାଦୁର ଖୁରାନିଆ ଶିଶୁମାନଙ୍କ ପ୍ରତି ଥିବା ସାଇବର ବିପଦ ଓ ଏହାର ମୁକାବିଲା ପାଇଁ ଆଇନ୍ ପ୍ରଣୟନକାରୀ ସଂସ୍ଥାର ଦାୟିତ୍ୱ ପ୍ରସଙ୍ଗରେ ଆଲୋକପାତ କରିଥିଲେ ।
ଆରକ୍ଷୀ ମହା ନିର୍ଦେଶକ (କ୍ରାଇମବ୍ରାଂଚ) ବିନୟତୋଷ ମିଶ୍ର କହିଥିଲେ ଯେ ଭାରତର ଇଂଟରନେଟ୍ ବ୍ୟବହାରକାରୀଙ୍କ ସଂଖ୍ୟା ୨୦୧୧ରେ ୧୨୫ ମିଲିୟନରୁ ବୃଦ୍ଦି ପାଇ ୨୦୨୧ରେ ତାହା ୮୪୫ମିଲିୟନରେ ପହଂଚିଛି ।
ସାଇବର ୱିଙ୍ଗର ଚିଲଡ୍ରେନ୍ ଆଣ୍ଡ ୱିମେନ୍ ଅନ୍ଲାଇନ୍ ଆବ୍ୟୁଜ୍ ମନିଟରିଂ ୟୁନିଟ୍ ପକ୍ଷରୁ ଅନ୍ଲାଇନ୍ରୁ କ୍ଷତିକାରକ ତଥା ଅଶ୍ଲୀଳ ବିଷୟବସ୍ତୁ ହଟାଇବା ପାଇଁ ନିଆଯାଉଥିବା ପଦକ୍ଷେପ ସମ୍ପର୍କରେ ସୂଚନା ଦେଇଥିଲେ । ସେହିପରି ଅତିରିକ୍ତ ଆରକ୍ଷୀ ମହା ନିର୍ଦେଶକ ସାଇନି ଏସ୍ ଇଂଟରନେଟ୍ର ସୁରକ୍ଷିତ ବ୍ୟବହାର ପାଇଁ ଶିଶୁ, ଅଭିଭାବକ ଏବଂ ଶିକ୍ଷକମାନଙ୍କୁ ସଚେତନ କରିବା ଉପରେ ଗୁରୁତ୍ୱ ଦେଇଥିଲେ ।
ୟୁନିସେଫ୍ ଓଡ଼ିଶାର କ୍ଷେତ୍ର କାର୍ଯ୍ୟାଳୟ ମୁଖ୍ୟ ପ୍ରଶାନ୍ତ କୁମାର ଦାସ କହିଥିଲେ ଯେ ଶିଶୁମାନେ ଡିଜିଟାଲ ଦୁନିଆର କେବଳ ନିଷ୍କ୍ରିୟ ବ୍ୟବହାରକାରୀ ନୁହଁନ୍ତି, ସେମାନେ ହେଉଛନ୍ତି ଶିକ୍ଷାର୍ଥୀ ଏବଂ ସ୍ରଷ୍ଟା । ତେଣୁ ଡିଜିଟାଲ ସୁରକ୍ଷା ଆଲୋଚନାରେ ସେମାନଙ୍କ ସ୍ୱର ରହିବା ଆବଶ୍ୟକ ।
ଓଡ଼ିଶା ପୁଲିସ ତରଫରୁ ରକ୍ଷା ସାଥୀ ସ୍ୱେଚ୍ଛାସେବୀ କାର୍ଯ୍ୟକ୍ରମ ଏବଂ ଶିଶୁ କଲ୍ୟାଣ ପୁଲିସ ଅଧିକାରୀଙ୍କ ପାଇଁ ଉନ୍ନତ ପ୍ରଶିକ୍ଷଣ ଆରମ୍ଭ କରାଯିବ, ଗଣଶିକ୍ଷା ବିଭାଗ ପାଠ୍ୟକ୍ରମରେ ନିରାପତ୍ତା ଶିକ୍ଷା ଏବଂ ଡିଜିଟାଲ ହାଇଜିନ୍ ଓ ସାଇକୋ-ସୋସିଆଲ୍ ଫାଷ୍ଟ ଏଡ୍ ଅନ୍ତର୍ଭୁକ୍ତ କରାଯିବ ।
ପୁଲିସ ଏବଂ ଗଣ ଶିକ୍ଷା ବିଭାଗ ମିଳିତ ଭାବେ ଅଭିଭାବକ, ଶିକ୍ଷକ ବୈଠକରେ ଶିଶୁ କଲ୍ୟାଣ ପୁଲିସ ଅଧିକାରୀମାନଙ୍କ ଅଂଶଗ୍ରହଣ ନିଶ୍ଚିତ କରିବେ । ଏଥିପାଇଁ ୟୁନିସେଫ୍ ଓଡ଼ିଶା ପକ୍ଷରୁ ଏକ ସ୍ୱତନ୍ତ୍ର ପ୍ରଶିକ୍ଷଣ ପାଠ୍ୟକ୍ରମ ପ୍ରସ୍ତୁତକରାଯିବ ବୋଲି ଆଲୋଚନା କରାଯାଇଥିଲା ।