ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କଲେ ନବୀନ
କଟକ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡ଼ିକାଲ ଅଗ୍ନିକାଣ୍ଡ ଘଟଣାରେ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଇସ୍ତଫା ପାଇଁ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଦାବି କରିଛନ୍ତି ।
ସେ କହିଛନ୍ତି ଯେ ଆମେ ସରକାରରେ ଏକ ଘରୋଇ ହସ୍ପିଟାଲରେ ଅଗ୍ନିକାଣ୍ଡ ଘଟିଥିଲା । ସେହି ଘଟଣାକୁ ନେଇ ତକ୍ରାଳୀନ ସ୍ୱାସ୍ଥ୍ୟମନ୍ତ୍ରୀ ଇସ୍ତଫା ଦେଇଥିଲେ । ତେବେ ସୋମବାରର ଘଟଣା ସେଭଳି କିଛି ନୂଆ ନୁହେଁ, ତେଣୁ ଏହି କ୍ଷେତ୍ରରେ ସ୍ୱାସ୍ଥ୍ୟମନ୍ତ୍ରୀ ତୁରନ୍ତ ଇସ୍ତଫା ଦେବା ଉଚିତ୍ ବୋଲି ଶ୍ରୀ ପଟ୍ଟନାୟକ ଦୃଢ଼ୋକ୍ତିରେ କହିବା ସହ ଦାବି କରିଛନ୍ତି ।
ବିଧାନସଭାରେ ଏସସିବି ଅଗ୍ନିକାଣ୍ଡ ଘଟଣା ପ୍ରସଙ୍ଗ ଉପରେ ବିରୋଧୀ ଦଳର ସଦସ୍ୟମାନେ ଆଲୋଚନା କରିବା ଏବଂ ପାଟିତୁଣ୍ଡ ହେତୁ ବାଚସ୍ପତି ଗୃହକୁ ଦିନ ୪ଟା ପର୍ଯ୍ୟନ୍ତ ମୁଲତବି ଘୋଷଣା କରିଥିଲେ ।
ଅନ୍ୟପକ୍ଷରେ ଜଣାପଡ଼ିଛି ଯେ କଟକ ଏସସିବି ମେଡ଼ିକାଲ ଅଗ୍ନିକାଣ୍ଡ ଘଟଣାରେ ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍ ମୁଖ୍ୟମନ୍ତ୍ରୀ ମୋହଚ ଚରଣ ମାଝୀଙ୍କ ନିର୍ଦେଶକ୍ରମେ ଗଠନ ହୋଇଛି ।
ଉନ୍ନୟନ କମିସନରଙ୍କ ଅଧ୍ୟକ୍ଷତାରେ ୬ଜଣିଆ ଟିମ୍ ଗଠନ କରାଯାଇଛି । କେଉଁ କାରଣରୁ ଅଗ୍ନିକାଣ୍ଡ ଘଟିଲା, ସେ ନେଇ ଏହି ଟିମ୍ ତଦନ୍ତ କରିବ ।
ଅଗ୍ନିଶମ ଆଇଜି, ଇଆଇସି, ସହରାଂଚଳ ଜନସ୍ୱାସ୍ଥ୍ୟ ବିଭାଗ ଇଆଇସି-ଚିଫ୍ ଇଞ୍ଜିନିୟର ବିଲ୍ଡିଂ, ମେଡ଼ିକାଲ ଏଜୁକେସନ ଓ ଟ୍ରେନିଂ ନିର୍ଦେଶକ ପ୍ରମୁଖ ଏହି ଟିମ୍ରେ ସାମିଲ ରହିଛନ୍ତି ।
କମିଟି ଏସସିବି ମେଡ଼ିକାଲ ଘଟଣାସ୍ଥଳ ପରିଦର୍ଶନ କରି ସନ୍ଧ୍ୟା ସୁଦ୍ଧା ମୁଖ୍ୟ ସଚିବଙ୍କୁ ରିପୋର୍ଟ ଦେବ ବୋଲି ଜଣାପଡ଼ିଛି ।