ନୀତିଶ ଯିବେ ରାଜ୍ୟସଭା
ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ରାଜ୍ୟସଭାକୁ ଯିବାକୁ ଇଚ୍ଛା ପ୍ରକାଶ କରିଛନ୍ତି । ସେ ଏ ସଂକ୍ରାନ୍ତରେ ଟ୍ୱିଟ୍ କରି ଘୋଷଣା କରିଛନ୍ତି । ତେବେ ନୀତିଶଙ୍କ ଅନୁପସ୍ଥିତିରେ ତାଙ୍କ ପୁତ୍ର ନିଶାନ୍ତ କୁମାର ଜେଡିୟୁର ମଙ୍ଗ ସମ୍ଭାଳିବା ସହ ଉପମୁଖ୍ୟମନ୍ତ୍ରୀର ଦାୟିତ୍ୱ ତୁଲାଇବେ ।
ଆସନ୍ତା ଏପ୍ରିଲ ୧୦ତାରିଖ ପର୍ଯ୍ୟନ୍ତ ନୀତିଶ କୁମାର ବିହାରର ମୁଖ୍ୟମନ୍ତ୍ରୀ ରହିବେ । ଏହାପରେ ସେ ରାଜ୍ୟସଭାକୁ ଯିବେ ବୋଲି ଟ୍ୱିଟ୍ ଜରିଆରେ ସ୍ପଷ୍ଟ କରିଛନ୍ତି । ସେ ତାଙ୍କର ସୋସିଆଲ ଆକାଉଂଟ ଏକ୍ସରେ ଏ ସଂକ୍ରାନ୍ତୀୟ ସୂଚନା ଦେବା ସହ ଆଗକୁ ମଧ୍ୟ ନୂତନ ସରକାର ଓ ବିହାରବାସୀଙ୍କ ସହିତ ତାଙ୍କର ସମ୍ପର୍କ ପୂର୍ବବତ ରହିବ ବୋଲି ଲେଖିଛନ୍ତି ।
ନୀତିଶଙ୍କ ଏହି ଟ୍ୱିଟ୍ ପରେ ବିହାରର ରାଜନୀତି ସରଗରମ ହେବାରେ ଲାଗିଛି । ତାଙ୍କ ଅନୁପସ୍ଥିତିରେ ବିଜେପି ରାଜ୍ୟ ଶାସନ ଭାର ସମ୍ଭାଳିବ ଏବଂ ବିଜେପିରୁ ହିଁ କେହି ଜଣେ ମୁଖ୍ୟମନ୍ତ୍ରୀ ହେବେ ବୋଲି ଅନୁମାନ କରାଯାଉଛି । ବିଜେପିରୁ କିଏ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ହେବେ ତାକୁ ନେଇ ଅଙ୍କକଷା ଆରମ୍ଭ ହୋଇସାରିଛି ।
ଅନ୍ୟପଟେ ବିହାରରେ ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ଏହି ଘୋଷଣାକୁ ସହଜରେ ଗ୍ରହଣ କରିପାରନାହାନ୍ତି ଜେଡିୟୁକର୍ମୀ ଓ ନେତା । ନୀତିଶଙ୍କ ପରେ ହୁଏତ ବିଜେପିର କେହି ଜଣେ ବିହାରର ମୁଖ୍ୟମନ୍ତ୍ରୀ ହୋଇପାରନ୍ତି ବୋଲି ଆକଳନ ହେଉଛି ।
ଏହାକୁ ନେଇ ଜେଡିୟୁ ନେତା ଓ କର୍ମୀ ଘୋର ଅସନ୍ତୋଷ ବ୍ୟକ୍ତ କରିବା ସହ ନୀତିଶଙ୍କ ଘର ଆଗରେ ଦୀର୍ଘ ସମୟ ଧରି ହୋହଲ୍ଲା ଲାଗି ରହିଛି । କାରଣ ବିହାରର ରାଜନୀତି ଇତିହାସରେ ପ୍ରଥମ ଥର ପାଇଁ ବିଜେପିରୁ କେହି ଜଣେ ମୁଖ୍ୟମନ୍ତ୍ରୀ ହେବାର ସମ୍ଭାବନା ସୃଷ୍ଟି ହୋଇଛି ।