ସାଉଦିରେ ଭାରତୀୟଙ୍କ ମୃତ୍ୟୁ ହୋଇନି : ଭାରତୀୟ ଦୂତାବାସ
ମଧ୍ୟ ପ୍ରାଚ୍ୟରେ ଚାଲିଥିବା ଯୁଦ୍ଧର ୯ମ ଦିନରେ ଇରାନ ସାଉଦି ଆରବ ଉପରେ ଏକାଧିକ କ୍ଷେପଣାସ୍ତ୍ର ଆକ୍ରମଣ କରିଥିଲା । ଏକ କ୍ଷେପଣାସ୍ତ୍ର ଏକ ଆବାସିକ ଅଂଚଳରେ ପଡ଼ିଥିଲା । ଏହି ଇରାନୀ ଆକ୍ରମଣରେ ଜଣେ ଭାରତୀୟ ନାଗରିକଙ୍କ ମୃତ୍ୟୁ ଖବର ପ୍ରକାଶ ପାଇଥିଲା । କିନ୍ତୁ ରିଆଦରେ ଥିବା ଭାରତୀୟ ଦୂତାବାସ ସୋମବାର ସ୍ପଷ୍ଟ କରିଛି ଯେ ଆକ୍ରମଣରେ କୌଣସି ଭାରତୀୟ ନାଗରିକଙ୍କ ମୃତ୍ୟୁ ହୋଇନାହିଁ ଏବଂ କହିଛି ଯେ ସେମାନେ ସାଉଦି କର୍ତୁପକ୍ଷଙ୍କ ସହିତ ଯୋଗାଯୋଗରେ ଅଛନ୍ତି ।
ସାଉଦି ସିଭିଲ ଡିଫେନ୍ସର ଜଣେ ଅଧିକାରୀ ରବିବାର କହିଥିଲେ ଯେ, ଅଲ୍-ଖାର୍ଜ ସହରରେ ହୋଇଥିବା ଘଟଣାରେ ମୃତ ଦୁଇଜଣଙ୍କ ମଧ୍ୟରେ ଜଣେ ଭାରତୀୟ ଏବଂ ଜଣେ ବାଂଲାଦେଶୀ ନାଗରିକ ଅଛନ୍ତି । କିନ୍ତୁ ଭାରତୀୟ ଦୂତାବାସ ଏବେ ଭାରତୀୟ ନାଗରିକଭ୍କ ମୃତ୍ୟୁ ଖବରକୁ ମିଥ୍ୟା ବୋଲି କହିଛି ।
ଅନ୍ୟପକ୍ଷରେ ଯୁଦ୍ଧ ଯୋଗୁଁ ମଧ୍ୟପ୍ରାଚ୍ୟରେ ଅଟକି ରହିଥିବା ଭାରତୀୟଙ୍କ ମଧ୍ୟରୁ ଶନିବାର ସୁଦ୍ଧା ୫୨ହଜାର ନାଗରିକ ସ୍ୱଦେଶ ପ୍ରତ୍ୟାବର୍ତନ କରି ସାରିଛନ୍ତି । ମଧ୍ୟପ୍ରାଚ୍ୟର କେତେକ ରାଷ୍ଟ୍ର ସେମାନଙ୍କର ଆକାଶସୀମାକୁ ଆଂଶିକ ଖୋଲା ରଖିବା ଫଳରେ ଏହି ଭାରତୀୟଙ୍କ ପ୍ରତ୍ୟାବର୍ତନ ସମ୍ଭବ ହୋଇପାରି ବୋଲି ବିଦେଶ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ।
ଫେବୃଆରୀ ୨୮ରେ ଯୁଦ୍ଧ ଲାଗିବା ପରେ ଏହି ରାଷ୍ଟ୍ରରେ ରହିଥିବା ଭାରତୀୟଙ୍କ ପାଇଁ ମାର୍ଗଦର୍ଶିକା ଜାରି କରାଯାଇଥିଲା । ଜରୁରୀ କାର୍ଯ୍ୟ ବ୍ୟତୀତ ବାହାରକୁ ନ ବାହାରିବାକୁ ସେମାନଙ୍କୁ ପରାମର୍ଶ ଦିଆଯାଇଥିଲା । ଆବଶ୍ୟକ ପଡ଼ିଲେ ସଂପୃକ୍ତ ରାଷ୍ଟ୍ରରେ ଥିବା ଭାରତୀୟ ଦୂତାବାସ ସହ ଯୋଗାଯୋଗ କରିବାକୁ ମଧ୍ୟ କୁହାଯାଇଥିଲା ।
ଏହି ନାଗରିକଙ୍କୁ ସହାୟତା ଯୋଗାଇବାକୁ ଭାରତୀୟ ଦୂତାବାସରେ ଚବିଶ ଘଂଟିଆ ହେଲପ ଲାଇନ୍ ଖୋଲାଯାଇଛି । ମାର୍ଚ ୧ରୁ ୭ତାରିଖ ମଧ୍ୟରେ ୩୩ହଜାର ଭାରତୀୟ ଘରୋଇ ଏୟାର ଇଣ୍ଡିଆ ଏବଂ ଇଣ୍ଡିଗୋ ଏୟାରଲାଇନ୍ସ ଯୋଗେ ସ୍ୱଦେଶ ଫେରିଥିବାବେଳେ ଅନ୍ୟମାନେ ବିଦେଶୀ ଏୟାରଲାଇନ୍ସର ସୁବିଧା ପାଇଥିବା ଜଣାପଡ଼ିଛି ।