ଯୁଦ୍ଧ ସଂକଟ : ଋୁଷରୁ ଆସୁଛି ତେଲ
ଯୁଦ୍ଧ ସଂକଟ : ଋୁଷରୁ ଆସୁଛି ତେଲ
ଆମେରିକା ଲଗାଇଥିବା କଟକଣା ସାମୟିକ ହଟାଇବା ପରେ ଭାରତ ପୁଣି ଥରେ ରୁଷରୁ ବିପୁଳ ପରିମାଣର ତୈଳ କ୍ରୟ ଆରମ୍ଭ କରିଛି । ଭାରତୀୟ ତୈଳ କମ୍ପାନୀଗୁଡ଼ିକ ରୁଷରୁ ୩୦ ନିୟୁତ ବ୍ୟାରେଲ ତେଲ କିଣିଛନ୍ତି । ମଧ୍ୟପ୍ରାଚ୍ୟ ଯୁଦ୍ଧ ପାଇଁ ତେଲ ବଜାରରେ ଅସ୍ଥିରତା ସୃଷ୍ଟି ହୋଇଥିବାବେଳେ ଏହି ତେଲ ବଜାରରେ ସ୍ଥିରତା ଫରାଇ ଆଣିବାରେ ସହାୟକ ହେବ ବୋଲି ଆଶା କରାଯାଉଛି ।
ଆମେରିକା କଟକଣା ଲଗାଇବା ପରେ ଗତବର୍ଷଠାରୁ ଭାରତ ରୁଷରୁ ତେଲ କିଣା ବନ୍ଦ କରି ସାଉଦି ଆରବ ଓ ଇରାନରୁ ଅଧିକ ତେଲ କିଣୁଥିଲା । କିନ୍ତୁ ଇରାନ ସହ ଇସ୍ରାଏଲ ଓ ଆମେରିକା ଯୁଦ୍ଧ କରିବା ପରେ ଏହି ଯୋଗାଣ ପ୍ରଭାବିତ ହୋଇଛି । ସେଥିପାଇଁ ସାମୟିକ ଆଶ୍ୱସ୍ତି ସ୍ୱରୂପ ୩୦ଦିନ ପାଇଁ ରୁଷରୁ ଭାରତ ତେଲ କିଣିପାରିବ ବୋଲି ଆମେରିକା ଅନୁମତି ଦେଇଛି ।
ଭାରତୀୟ କମ୍ପାନୀ ଇଣ୍ଡିଆନ ଅଏଲ୍ ଓ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ରୁଷରୁ ଅଧିକ ତେଲ କିଣୁଛନ୍ତି । ଇଣ୍ଡିଆନ ଅଏଲ ୧୦ ନିୟୁତ ବ୍ୟାରେଲ ତେଲ ରୁଷରୁ କିଣିଛି । ରିଲାଏନ୍ସ ମଧ୍ୟ ସମାନ ପରିମାଣର ତେଲ କ୍ରୟ କରିଛି । ଯୁଦ୍ଧ ପୂର୍ବରୁ ରୁଷ ତେଲ ରିଆତିରେ ମିଳୁଥିଲା ।
ଏବେ କିନ୍ତୁ ତାହା ବ୍ରେଂଟ କରୁଡ ଦରଠାରୁ ୨ରୁ ୮ଡଲାର ପର୍ଯ୍ୟନ୍ତ ପ୍ରିମିୟମରେ ବିକ୍ରି ହେଉଛି । ଆମେରିକା କଟକଣା ହଟାଇବା ପରେ ବିଭିନ୍ନ ବନ୍ଦର ଓ ସମୁଦ୍ର ପଥରେ ଥିବା ରୁଷ ତେଲ ଜାହାଜଗୁଡ଼ିକ ଭାରତ ଆଡ଼କୁ ମୁହାଁଇଛନ୍ତି । ଯାତ୍ରା ଆରମ୍ଭ କରିବା ପୂର୍ବରୁ ଏହି ଜାହାଜଗୁଡ଼ିକ ସିଙ୍ଗାପୁର ଅଭିମୁଖେ ଯାତ୍ରା କରୁଥିଲେ ।
ଚୀନ ଲାଗି ତେଲ ଲୋଡ କରିଥିବା କିଛି ଜାହାଜ ମଧ୍ୟ ନିଜ ଦିଗ ପରିବର୍ତନ କରି ଭାରତ ଆସୁଛନ୍ତି । ପାରମ୍ପରିକ ଭାବେ ରୁଷଠାରୁ ଭାରତ ତେଲ କିଣୁ ନଥିଲା । ମାତ୍ର ୨୦୨୨ରେ ରୁଷ-ୟୁକ୍ରେନ୍ ଯୁଦ୍ଧ ପରେ ବିପୁଳ ରିଆତିରେ ରୁଷ ତେଲ ବିକ୍ରି କରିବା ପରେ ଭାରତ ସର୍ବାଧିକ ପରିମାଣର ତେଲ ସେଠାରୁ କିଣିଥିଲା ।
ଭାରତର ସେହି ଆଭିମୁଖ୍ୟକୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସହ୍ୟ କରି ପାରି ନଥିଲେ ।
ଯୁଦ୍ଧ ଲାଗି ରୁଷକୁ ଭାରତ ପାଣ୍ଠି ଯୋଗାଉଥିବା ଅଭିଯୋଗ କରିବା ପରେ ବିଭିନ୍ନ ଉପାୟରେ ଭାରତକୁ ଚାପରେ ରଖିବାକୁ ଉଦ୍ୟମ କରିଥିଲେ ।
ଶେଷରେ ଉଭୟ ଆମେରିକା ଓ ୟୁରୋପୀୟ ରାଷ୍ଟ୍ରଗୁଡ଼ିକ ରୁଷ ତେଲ ଉପରେ କଟକଣା ଲଗାଇବା ପରେ ଭାରତକୁ ଆଉ ସେହି ତେଲ କିଣିବା ସହଜ ହୋଇ ନଥିଲା ।
ସେଥିପାଇଁ ଗତବର୍ଷଠାରୁ ତାହା ରୁଷ ତେଲ ମଗାଇବା ଏକ ପ୍ରକାର ବନ୍ଦ କରି ଦେଇଥିଲା । ସଂପ୍ରତି ଭାରତ ପୁଣି ରୁଷରୁ ବିପୁଳ ପରିମାଣର ତୈଳ କ୍ରୟ ଆରମ୍ଭ କରିବା ବିଷୟକୁ ଅନେକେ ସ୍ୱାଗତ କରିଛନ୍ତି ।