ଆଫଗାନିସ୍ତାନର ହସ୍ପିଟାଲ ଉପରେ ପାକର ଏୟାରଷ୍ଟ୍ରାଇକ
ଆମେ ମାରିଛୁ ୪ଶହରୁ ଅଧିକ ତାଲିବାନ : ପାକିସ୍ତାନ
ଗତ ୧୬ ତାରିଖ ରାତିରେ ପାକିସ୍ତାନ ବାୟୁସେନା ପ୍ରଚଣ୍ଡ ବୋମାମାଡ଼ କରି ୪ ଶହରୁ ଅଧିକ ତାଲିବାନ ଯୋଦ୍ଧାଙ୍କୁ ମାରିଛି ବୋଲି ପାକିସ୍ତାନ ସରକାର ଦାବି କରିଛନ୍ତି । ପାକିସ୍ତାନ ନିଜର ଭୁଲକୁ ଛୁପାଇବା ପାଇଁ କାବୁଲରେ ଥିବା ତାଲିବାନର ବିଭିନ୍ନ ସୈନ୍ୟ ଠିକଣାଗୁଡ଼ିକ ଉପରେ ଆକ୍ରମଣ କରିଥିବା ସଫେଇ ଦେଉଛି ।
କିନ୍ତୁ ଏହା ସମ୍ପୂର୍ଣ୍ଣ ମିଛ ବୋଲି ଆଫଗାନିସ୍ତାନ କହିଛି । ପ୍ରକୃତରେ ପାକିସ୍ତାନ ଏହି ଆକ୍ରମଣ କାବୁଲରେ ଥିବା ଏକ ହସ୍ପିଟାଲ ଉପରେ ନିର୍ମମ ଭାବେ ବୋମାମାଡ଼ କରି ପ୍ରାୟ ୪ଶହରୁ ଊଦ୍ଧ୍ୱର୍ ନିରୀହ ଲୋକଙ୍କ ପ୍ରାଣ ନେଇଛି ବୋଲି ଆଫଗାନିସ୍ତାନରେ ଥିବା ତାଲିବାନ ସରକାର ନିନ୍ଦା କରିଛି ।
ଅନ୍ୟପଟେ ଭାରତ ମଧ୍ୟ ନିରୀହ ଲୋକଙ୍କ ଉପରେ ପାକିସ୍ତାନର ଏଭଳି ବିମାନ ଆକ୍ରମଣକୁ ଘୋର ନିନ୍ଦା କରିଛି । ପାକିସ୍ତାନର ବାୟୁସେନା ଆଫଗାନିସ୍ତାନର କାବୁଲ ସହରର ବିଭିନ୍ନ ଜନବସତି ଏବଂ ହସ୍ପିଟାଲ ଉପରେ ଆକ୍ରମଣ କରିଛି । ଗତ ୧୬ ତାରିଖ ବିଳମ୍ବିତ ରାତିରେ ହୋଇଥିବା ଏହି ଆକ୍ରମଣରେ ପ୍ରାୟ ୪ ଶହରୁ ଅଧିକ ଲୋକ ମୃତ୍ୟବରଣ କରିଥିବାବେଳେ ଶତାଧିକ ଲୋକ ଆହତ ହୋଇଥିବା ଜଣାପଡ଼ିଛି ।
ସୂଚନାଥାଉ କି, ଗତ ମାସ ଫେବୃଆରୀ ୨୨ ତାରିଖରେ ପାକିସ୍ତାନ ବାୟୁସେନା ପକ୍ଷରୁ ସୀମାବର୍ତୀ ଆଫଗାନିସ୍ତାନ ଅଂଚଳ ଉପରେ ପ୍ରଚଣ୍ଡ ବୋମାମାଡ଼ କରିଥିଲା ।
ଏହାର ଜବାବରେ ଆଫଗାନିସ୍ତାନର ତାଲିବାନ ଯୋଦ୍ଧାମାନେ ସୀମା ନିକଟରେ ଥିବା ପାକିସ୍ତାନର ଏକାଧିକ ସୈନ୍ୟ ପୋଷ୍ଟ ଉପରେ ଆକ୍ରମଣ କରି ବହୁ ପାକ୍ ସେନାଙ୍କୁ ହତ୍ୟା କରିଥିଲେ ।
ଏହାର ଜବାବରେ ଗତ ଫେବୃଆରୀ ୨୭ ତାରିଖରେ ପାକିସ୍ତାନ ପକ୍ଷରୁ କରାଯାଇଥିବା ଏକ ଏୟାର ଷ୍ଟ୍ରାଇକବେଳେ ଏହାର ଏକ ଏଫ-୧୬ ଯୁଦ୍ଧବିମାନକୁ ଆଫଗାନିସ୍ତାନ ମାରି ଖସାଇ ଦେଇଥିଲା ।