ଯୁଦ୍ଧ ଦ୍ୱାରା ପ୍ରଭାବିତ ହୋଇପାରେ ଆଇପିଏଲ
ଯୁଦ୍ଧ ପରିସ୍ଥିତି ଉପରେ ବିସିସିଆଇ ଓ ଆଇପିଏଲ୍ ପରିଚାଳନା ପରିଷଦର ନଜର
ଇରାନ-ଆମେରିକା ଯୁଦ୍ଧ କାରଣରୁ ଆଗାମୀ ଆଇପିଏଲ ପ୍ରଭାବିତ ହେବାର ଆଶଙ୍କା ଜାତ ହୋଇଛି । ବିଶେଷ କରି ବିଦେଶୀ ଖେଳାଳିଙ୍କ ଆଗମନ, ଯାତାୟାତ ସହିତ ଅନ୍ୟାନ୍ୟ ଲଜିଷ୍ଟିକ୍ ଆହ୍ୱାନ ଆଇପିଏଲ୍ ଆୟୋଜନ କ୍ଷେତ୍ରରେ ପ୍ରତିବନ୍ଧକ ସାଜିବ ବୋଲି ଚିନ୍ତା ପ୍ରକଟ କରାଯାଇଛି ।
ଦୁବାଇ ଓ ଦୋହା ଭଳି ପ୍ରମୁଖ ଯାତାୟାତ କେନ୍ଦ୍ରର ବିମାନଘାଟିଗୁଡ଼ିକ ବନ୍ଦ ଥିବାରୁ ଅନ୍ତର୍ଜାତୀୟ ଖେଳାଳିଙ୍କ ପାଇଁ ଏହା ବଡ଼ ସମସ୍ୟା ସୃଷ୍ଟି କରିବ । ପଶ୍ଚିମ ଏସିଆରେ ଦେଖା ଦେଇଥିବା ଏହି ଯୁଦ୍ଧ ପରିସ୍ଥିତି ଉପରେ ବିସିସିଆଇ ଓ ଆଇପିଏଲ୍ ପରିଚାଳନା ପରିଷଦ ବି ନଜର ରଖିଛନ୍ତି ।
ଅନ୍ୟପକ୍ଷରେ ରନ୍ଧନ ଗ୍ୟାସ ସଂକଟ କାରଣରୁ ହୋଟେଲ ରହଣି ମଧ୍ୟ ଅନ୍ୟତମ ଲଜିଷ୍ଟିକ୍ ସମସ୍ୟା ସୃଷ୍ଟି କରିବାର ଆଶଙ୍କା ରଖୁଛି । ଏସମସ୍ତ ସମସ୍ୟା ବିଶ୍ୱ କ୍ରିକେଟ୍ ଉପରେ ବଡ଼ ପ୍ରଭାବ ମଧ୍ୟ ପକାଇବ ବୋଲି ଆକଳନ କରାଯାଉଛି । ଯୁଦ୍ଧ ପରିସ୍ଥିତି କାରଣରୁ ମାର୍ଚରେ ୟୁଏଇରେ ଖେଳାଯିବାକୁ ଥିବା ଆଫଗାନିସ୍ତାନ-ଶ୍ରୀଲଙ୍କା ସୀମିତ ଓଭର ଶୃଙ୍ଖଳାକୁ ସ୍ଥଗିତ ରଖାଯାଇଛି ।
ବିଶ୍ୱକପ୍ ପରେ ୱେଷ୍ଟଇଣ୍ଡିଜ ଓ ଦକ୍ଷିଣ ଆଫ୍ରିକା ଖେଳାଳିମାନେ ମଧ୍ୟ ସ୍ୱଦେଶ ଫେରିବା ନେଇ ବିମାନ ଉପଲବ୍ଧ ନ ହେବାରୁ ବିଳମ୍ବରେ ବାହୁଡ଼ିଛନ୍ତି । ସମାନ ସମସ୍ୟା ଏବେ ଆଇପିଏଲ୍ ଖେଳାଳିଙ୍କ ପାଇଁ ଅନ୍ତରାୟ ସାଜିପାରେ । ଅନ୍ତର୍ଜାତୀୟ ଖେଳାଳିଙ୍କ ବିଳମ୍ବିତ ଆଗମନ ମଧ୍ୟ ବିଭିନ୍ନ ଆଇପିଏଲ ଦଳର ପ୍ରସ୍ତୁତିକୁ ପ୍ରଭାବିତ କରିବାକୁ ଯାଉଛି ।
ଅନ୍ୟପକ୍ଷରେ ଭାରତର କିଛି ରାଜ୍ୟରେ ନିର୍ବାଚନ ଘୋଷଣାକୁ ନଜରରେ ରଖି ଆଇପିଏଲ୍ ଏହାର ପ୍ରାରମ୍ଭିକ ଖେଳସୂଚୀ ଘୋଷଣା କରିଛି । ମାର୍ଚ ୨୮ରୁ ଏହା ଆରମ୍ଭ ହେବାର ଖେଳସୂଚୀ ରହିଛି ।
ପ୍ରଥମ ୨୦ ମ୍ୟାଚ ପାଇଁ ସୂଚୀ ପ୍ରକାଶ ପାଇଛି । ନିର୍ବାଚନ ତାରିଖ ଘୋଷଣା ପରେ ଅବଶିଷ୍ଟ ଖେଳସୂଚୀ ପ୍ରକାଶ କରାଯିବ ବୋଲି ବିସିସିଆଇ ଉପ ସଭାପତି ରାଜୀବ ଶୁକ୍ଲା ପ୍ରକାଶ କରିଛନ୍ତି ।