ମାଣ୍ଡିଆକୁଦ ଓ ଡାମ୍ବାରେ ଦନ୍ତା ଆତଙ୍କ
ଦୁଇ ଦିନରେ ୩ ମୃତ
ରାଜଗାଙ୍ଗପୁର ନିକଟସ୍ଥ ମାଣିଆକୁଦ ଅଂଚଳରେ ଏକ ଦନ୍ତାହାତୀ ଆତଙ୍କ ସୃଷ୍ଟି କରିଛି । କୁଆରମୁଣ୍ଡା ଅଂଚଳରୁ ନଦୀ ପାରି ଆସିଥିବା ହାତକୁ ବନ ବିଭାଗ ଗତକାଲି ଜଙ୍ଗଲକୁ ଘଉଡାଇ ଦେଇଥିଲେ, କିନ୍ତୁ ଶନିବାର ପୁଣି ହାତୀ ରେଳ ଧାରଣା ପାରି ହୋଇ ରାଜରାସ୍ତାକୁ ପହଂଚିବାଦ୍ୱାରା ସାଧାରଣରେ ଆତଙ୍କ ସୃଷ୍ଟି ହୋଇଛି ।
ପରିସ୍ଥିତିକୁ କିପରି ଶୀଘ୍ର ଆୟତ କରିହେବ ସେଥିପାଇଁ ସ୍ଥାନୀୟ ଲୋକମାନେ ବନ ବିଭାଗ ନିକଟରେ କହିଛନ୍ତି । ପରିସ୍ଥିତିକୁ ଗୁରୁତ୍ୱ ଦେଇ ବନ ବିଭାଗ କର୍ମଚାରୀମାନେ ତତ୍ପରତା ପ୍ରକାଶ କରିଥିବା ଜଣାପଡ଼ିଛି ।
ସେହିପରି ଜି ଉଦୟଗିରି ପାବୁରିଆ ସେକ୍ସନ ଅନ୍ତର୍ଗତ ଡାମ୍ବା ଅଂଚଳରେ ହାତୀ ଆତଙ୍କ ଯୋଗୁଁ ଅଂଚଳରେ କୋକୁଆ ଭୟ ସୃଷ୍ଟି ହୋଇଛି । ଉତର ଘୁମୁସର ବନାଂଚଳରୁ ଫେରୁଥିବା ଏକ ଦନ୍ତା ଦୁଇଜଣଙ୍କ ଜୀବନ ନେଇଛି । ମୃତକ ବାମଦେବ ପ୍ରଧାନ (୬୩) ଏବଂ କୀର୍ତନ ବଗର୍ତି (୬୧) ଜଣାପଡ଼ିଛି ।
ଶନିବାର ଭୋରରେ ମଧ୍ୟ ଜଣଙ୍କର ମୃତ୍ୟୁ ଘଟିଥିବା ଜଣାପଡ଼ିଛି । ଫଳରେ ମୃତକ ସଂଖ୍ୟା ୩କୁ ପହଂଚିଛି । ମୃତକ ପାବୁରିଆ ଅଂଚଳର ଦୁରିତ ପ୍ରଧାନ ବୋଲି ଜଣାପଡ଼ିଛି । ସେ ଶିକାର କରିବାକୁ ସିନ୍ଦରୀଗୁଡ଼ା ଜଙ୍ଗଲକୁ ଯାଇଥିବାବେଳେ ଦନ୍ତା ଆକ୍ରମଣର ଶିକାର ହୋଇଥିଲେ ।
ଘଟଣା ଘଟିବା ପରେ ସମଗ୍ର ଅଂଚଳରେ କୋକୁଆ ଭୟ ସୃଷ୍ଟି ହୋଇଛି । ଖବର ପାଇ ବନ ବିଭାଗ ଟିମ୍ ଘଟଣାସ୍ଥଳରେ ପହଂଚି ପରିସ୍ଥିତି ଉପରେ ନଜର ରଖିଥିବା ଦେଖାଯାଇଛି ।