ଯୁଦ୍ଧ ନେଇ ଟ୍ରମ୍ପ-ପୁଟିନ ବାର୍ତାଳାପ
ଦୁଇ ମହାଶକ୍ତି ଏକ ଘଂଟା ଧରି ବାର୍ତାଳାପ କରିଥିଲେ
ବିଶ୍ୱର ଦୁଇ ମହାଶକ୍ତିର ମୁଖିଆ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧକୁ ନେଇ ଟେଲିଫୋନରେ ବାର୍ତାଳାପ କରିଛନ୍ତି । ଟେଲିଫୋନ୍ କଲ୍ ସମୟରେ ଇରାନ ଯୁଦ୍ଧ ଏବଂ ୟୁକ୍ରେନ୍ ବିବାଦ ଉପରେ ଦୁଇ ମହାଶକ୍ତିର ରାଷ୍ଟ୍ରପତି ଆଲୋଚନା କରିଥିଲେ । ଏହି ଆଲୋଚନା ସମୟରେ ଆମେରିକା-ଇସ୍ରାଏଲ ସହିତ ଇରାନର ଯୁଦ୍ଧ ଓ ରୁଷ ସହିତ ୟୁକ୍ରେନ୍ ଯୁଦ୍ଧର ସମାଧାନ ପାଇଁ ଆମେରିକାର ପ୍ରତିନିଧିମାନଙ୍କ ସହିତ ଚାଲିଥିବା ଦ୍ୱିପାକ୍ଷିକ ଆଲୋଚନା ଉପରେ ଗୁରୁତ୍ୱ ଦିଆଯାଇଥିବା ନେଇ ପୁଟିନଙ୍କ କୂଟନୈତିକ ପରାମର୍ଶଦାତା ସୂଚନା ଦେଇଛନ୍ତି । ଡିସେମ୍ବର ପରେ ପ୍ରଥମ ଥର ପାଇଁ ଦୁଇ ମହାଶକ୍ତି ଏକ ଘଂଟା ଧରି ଫୋନ୍ରେ ବାର୍ତାଳାପ କରିଥିଲେ । ପୁଟିନଙ୍କ କୂଟନୈତିକ ପରାମର୍ଶଦାତା କହିଛନ୍ତି ଯେ ପୁଟିନ ଇରାନ ବିରୁଦ୍ଧରେ ଆମେରିକା-ଇସ୍ରାଏଲ ଯୁଦ୍ଧର “ଶୀଘ୍ର ରାଜନୈତିକ ଏବଂ କୂଟନୈତିକ ସମାଧାନ’ ପାଇଁ ଆହ୍ୱାନ କରିଛନ୍ତି, ଯାହା ରୁଷ ପାଇଁ ଏକ ପ୍ରମୁଖ ସହଯୋଗୀ ହୋଇଛି । ତାହା ସହ ୟୁକ୍ରେନ୍ର ଯୁଦ୍ଧ ସ୍ଥିତି ସମ୍ପର୍କରେ ମଧ୍ୟ ଟ୍ରମ୍ପକୁ ପୁଟିନ ଜଣାଇଥିଲେ । ଏହି ଯୁଦ୍ଧରେ ଯେଉଁଠାରେ ରୁଷ ସୈନ୍ୟମାନେ ବହୁତ ସଫଳତା ସହିତ ଅଗ୍ରଗତି କରୁଛନ୍ତି ବୋଲି ପୁଟିନ ଟ୍ରମ୍ପକୁ କହିଛନ୍ତି ।