ଇରାନକୁ ପୁଣି ଧମକାଇଲେ ଟ୍ରମ୍ପ
ହର୍ମୁଜରେ ବାଧା ଦେଲେ ୨୦ ଗୁଣା ଆକ୍ରମଣ ହେବ
ମଧ୍ୟପ୍ରାଚ୍ୟରେ ଇରାନ ଏବଂ ଆମେରିକା-ଇସ୍ରାଏଲ ମଧ୍ୟରେ ଚାଲିଥିବା ଯୁଦ୍ଧ ୧୦ମ ଦିନ ପାର କରିସାରିଲାଣି । ଇତିମଧ୍ୟରେ ଆମେରିକା-ଇସ୍ରାଏଲର ମିଳିତ ଆକ୍ରମଣରେ ଇରାନର ପ୍ରଭୂତ କ୍ଷତି ମଧ୍ୟ ଘଟିସାରିଲାଣି ।
ଏଥିରେ ରାଜଧାନୀ ତେହେରାନ ସମେତ ଅନେକ ସହରରେ ଥିବା ଶତାଧିକ କୋଠାବାଡ଼ି ଧରାଶାୟୀ ହୋଇପଡ଼ିଥିବାବେଳେ ମୃତକଙ୍କ ସଂଖ୍ୟା ହଜାରେ ଉପରକୁ ଟପିସାରିଲାଣି । ଆହତଙ୍କ ସଂଖ୍ୟା ନ କହିଲେ ଭଲ । ଲୋକେ ଖାଇବା ଓ ପାଣି ବିନା ହାହାକାର ହେଉଛନ୍ତି; କିନ୍ତୁ ତଥାପି ମୁଣ୍ଡ ନଉଁନି ଇରାନ ।
ଏଣୁ ଇରାନକୁ ପୁଣି ଧମକାଇଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଯଦି ଇରାନ ତା’ର ଜିଦରେ ଅଡ଼ି ବସି ଷ୍ଟ୍ରେଟ୍ ଅଫ୍ ହର୍ମୋଜକୁ ବନଦ କରି ତେଲ ନ ଦିଏ ତା’ଲେ ତା’ ଉପରେ ଆହୁରି ପ୍ରଚଣ୍ଡ ଆକ୍ରମଣ କରାଯିବ ବୋଲି ଟ୍ରମ୍ପ କହିଛନ୍ତି ।
ଆଗକୁ ଆହୁରି ୨୦ ଗୁଣା ଅଧିକ ଆକ୍ରମଣ କରାଯିବ । ହାର୍ମୁଜ ପ୍ରଣାଳୀକୁ ସୁରକ୍ଷିତ ରଖିବା ପାଇଁ ଆମେରିକାର ନୌସେନା ତତ୍ପର ହୋଇଛି ଏବଂ ଆମେରିକା ତା’ର ମିତ୍ର ରାଷ୍ଟ୍ରର ଜାହାଜଗୁଡ଼ିକୁ ହାର୍ମୁଜ ପ୍ରଣାଳୀ ଦେଇ ସୁରକ୍ଷିତ ଭାବେ ଯାତାୟାତ କରାଇବାକୁ ନିଶ୍ଚୟ ଯତ୍ନଶୀଳ ରହିବ ।
ଇତିମଧ୍ୟରେ ହୋଇଥିବା ଆକ୍ରମଣରେ ଇରାନର ନୌସେନା ସମ୍ପୂର୍ଣ୍ଣ ଧ୍ୱଂସ ପାଇସାରିଥିବାବେଳେ ତା’ର ୮୦ ପ୍ରତିଶତ ମିସାଇଲ ଲଂଚର ସିଷ୍ଟମକୁ ଧ୍ୱଂସ କରାାଯାଇଛି ବୋଲି ଟ୍ରମ୍ପ ଦାବି କରିଛନ୍ତି ।
ଅନ୍ୟପଟେ ଟ୍ରମ୍ପଙ୍କ ଏହି ଧମକକୁ ଖାତିର ନ କରି ଇରାନ ତା’ର କଡ଼ା ଜବାବ ରଖିଛି । ଏହି ଯୁଦ୍ଧ କେବେ ସରିବ ତାହା ଆମେରିକା ନୁହେଁ ଆମେ ସ୍ଥିର କରିବୁ ବୋଲି ଇରାନ କହିଛି ।
ଆମେରିକା ସୈନ୍ୟ ଚାହିଁଲେ ବି ଯୁଦ୍ଧ ବନ୍ଦ କରିପାରିବେ ନାହିଁ । ଆମେ ଆଗକୁ ଆଉ ଟୋପୋଏ ବି ତେଲ ଦେବୁ ନାହିଁ ବୋଲି ଇରାନ ସ୍ପଷ୍ଟ କରିଛି ।