ଦୁଇ ଇନ୍ଧନ ବିମାନ ଧକ୍କା, ୪ ମୃତ
ଇରାନ ବିରୁଦ୍ଧରେ ସାମରିକ ଅଭିଯାନ ଜାରି ରହିଛି । ଏହି ଅଭିଯାନ ମଧ୍ୟରେ ଆମେରିକା ଓ ଇସ୍ରାଏଲ ଏକ ବଡ଼ ଧରଣର ସାମରିକ କ୍ଷତିର ସମ୍ମୁଖୀନ ହୋଇଥିବା ଜଣାପଡ଼ିଛି ।
ଶୁକ୍ରବାର ଆମେରିକା ବାୟୁସେନାର ଏକ ଗୁରୁତ୍ୱପୂର୍ଣ୍ଣ ଇନ୍ଦନ ଯୋଗାଣ ବିମାନ କେସି-୧୩୫ ଦୁର୍ଘଟଣାଗ୍ରସ୍ତ ହୋଇଛି । ଘଟଣାରେ ବିମାନରେ ଥିବା ୬ଜଣ କ୍ରୁର ସଦସ୍ୟଙ୍କ ମଧ୍ୟରୁ ୪ଜଣ ପ୍ରାଣ ହରାଇଛନ୍ତି । ଆମେରିକାର କେନ୍ଦ୍ରୀୟ କମାଣ୍ଡ ଅନୁଯାୟୀ ଏହି ଯୁଦ୍ଧରେ ଆନୁଷ୍ଠାନିକ ଭାବେ ଆମେରିକା ଏପର୍ଯ୍ୟନ୍ତ ୪ଟି ବିମାନ ହରାଇଲାଣି ।
ସେଂଟକମ୍ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଦୁର୍ଘଟଣାରେ ଦୁଇଟି ବିମାନ ସାମିଲ ଥିଲେ । ସୋସିଆଲ୍ ମିଡ଼ିଆ ଭାଇରାଲ ହେଉଥିବା ଭିଡ଼ିଓରେ ଦେଖାଯାଇଛି ଯେ ଦ୍ୱିତୀୟ ଆମେରିକୀୟ ଇନ୍ଧନ ଟ୍ୟାଙ୍କଟି କ୍ଷତିଗ୍ରସ୍ତ ଅବସ୍ଥାରେ ତେଲ ଅଭିଭ ବିମାନବନ୍ଦରରେ ଜରୁରୀକାଳୀନ ଅବତରଣ କରିଛି ।
ବିମାନର ପଛ ଅଂଶ ଗୁରୁତର ଭାବେ କ୍ଷତିଗ୍ରସ୍ତ ହୋଇଛି । ଇନ୍ଧନ ଭରିବା ସମୟରେ ଦୁଇଟି ଟ୍ୟାଙ୍କର ବିମାନ ପରସ୍ପର ସହ ଧକ୍କା ହୋଇଥିଲା । ଫଳରେ ଗୋଟିଏ ବିମାନ ଖସି ପଡ଼ିଥିବାବେଳେ ଅନ୍ୟଟି କୌଣସି ପ୍ରକାରରେ ଅବତରଣ କରିବାରେ ସଫଳ ହୋଇଛି ।
ଅନ୍ୟପକ୍ଷରେ ସେଂଟକମ୍ ସ୍ପଷ୍ଟ କରିଛି ଯେ ଏହି ଦୁର୍ଘଟଣାରେ ଶତ୍ରୁପକ୍ଷର ଗୁଳିମାଡ଼ର କୌଣସି ପ୍ରମାଣ ମିଳିପାରି ନାହିଁ । ଏଭଳି ଏକ ଗୁରୁତ୍ୱପୂର୍ଣ୍ଣ ବିମାନର କ୍ଷତି ଆମେରିକା ପାଇଁ ଏକ ଝଟକା ହୋଇଛି । ଉଦ୍ଧାର କାର୍ଯ୍ୟ ଜାରି ରହିଥିବା ସହ ତଦନ୍ତ କାର୍ଯ୍ୟ ଅବ୍ୟାହତ ରହିଛି ।