ସାତବର୍ଷରେ ୪୦ହଜାର ଡେଙ୍ଗୁ ରୋଗୀ ଚିହ୍ନଟ
‘ଡେଙ୍ଗୁ’ ସଂପ୍ରତି ଏକ ପ୍ରମୁଖ ସ୍ୱାସ୍ଥ୍ୟ ସମସ୍ୟା ଭାବେ ଉଭା ହୋଇଛି । କେବଳ ବର୍ଷା ନୁହେଁ, ସାଧାରଣ ଦିନଗୁଡ଼ିକରେ ମଧ୍ୟ ଏହି ମାରଣ ରୋଗ ସାଧାରଣଙ୍କ ସମ୍ମୁଖକୁ ଆସିଛି ।
ଜଣାପଡ଼ିଛି ଯେ ଗତ ୭ବର୍ଷ ମଧ୍ୟରେ ରାଜ୍ୟରେ ପ୍ରାୟ ୪୦,୫୨୯ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛି ।
ରାଜ୍ୟରେ ଗତ ଦୁଇବର୍ଷ ହେଲା ଡେଙ୍ଗୁରେ ଅଙ୍କୁଶ ଲାଗିଥିଲେ ବି ଚିକିତ୍ସା ନବସୃଜନ ଏବଂ ମିଳିତ ସହଯୋଗ ପାଇଁ ସ୍ୱାସ୍ଥ୍ୟ ବିଶେଷଜ୍ଞ ମତ ରଖିଛନ୍ତି । ଏହା ବ୍ୟତୀତ ଡେଙ୍ଗୁ ପାଇଁ ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତ ହେଉଥିବାବେଳେ ଡେଙ୍ଗୁ ଟିକାର ପରୀକ୍ଷଣ ଚାଲିଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଜଣାପଡ଼ିଛି ।
ଡେଙ୍ଗୁ ମୁକାବିଲା ଓ ଚିକିତ୍ସା ନିମନ୍ତେ ଏବେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସମସ୍ତ ଜିଲା ସ୍ୱାସ୍ଥ୍ୟକେନ୍ଦ୍ରକୁ ମାର୍ଗଦର୍ଶିକା ଜାରି କରାଯାଇ ପର୍ଯ୍ୟାପ୍ତ ପରିମାଣର ପରୀକ୍ଷଣ କିଟ ଦିଆଯାଇଛି । ଆଗକୁ ଶିକ୍ଷାନୁଷ୍ଠାନଗୁଡ଼ିକରେ ସଚେତନତା କରାଯିବ । ଆସନ୍ତା ୧୬ ତାରିଖ (ଶନିବାର) ବିଶ୍ୱ ଡେଙ୍ଗୁ ଦିବସ ଅବସରରେ ଦୃଶ୍ୟସଂଚାରୀ ଜରିଆରେ ବୈଠକ କରାଯିବ ବୋଲି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
୨୦୨୩ ମସିହାରୁ ରାଜ୍ୟରେ ଡେଙ୍ଗୁ ଆକ୍ରାନ୍ତ ସଂଖ୍ୟା ହ୍ରାସ ପାଉଛି । ଚଳିତବର୍ଷ ଯେପରି ସମସ୍ୟା ଦେଖା ନ ଦେବ ସେଥିପାଇଁ ଆଗାମୀ ମାର୍ଗଦର୍ଶିକା ଜାରି କରାଯାଇ ସମସ୍ତ ଜିଲାର ସିଡିଏମଓଙ୍କୁ ନିର୍ଦେଶ ଦିଆଯାଇଛି । ଅନ୍ୟପକ୍ଷରେ ପରୀକ୍ଷଣ ପାଇଁ ୪୦ଟି କେନ୍ଦ୍ର ସହିତ ଦୁଇଟି ଏଆରଏଲ କେନ୍ଦ୍ର ରହିଛି ।
ଆଗକୁ ଏହା ବୃଦ୍ଧି କରାଯିବା ନେଇ ଯୋଜନା ରହିଥିବା ଜଣାପଡ଼ିଛି । ଡେଙ୍ଗୁର ଏପର୍ଯ୍ୟନ୍ତ କୌଣସି ନିଶ୍ଚିତ ଚିକିତ୍ସା ନାହିଁ ବା ଔଷଧ ନାହିଁ । ତେବେ ଦୁଇଟି ପର୍ଯ୍ୟାୟରେ ଚିକିତ୍ସା କରାଯାଇଥାଏ । ଗତ ୨୦୨୦-୨୬ ମସିହା ମଧ୍ୟରେ ମୋଟ ୪୦ହଜାରରୁ ଊର୍ଦ୍ଧ ଡେଙ୍ଗୁ ଆକ୍ରାନ୍ତ ହୋଇଥିବାବେଳେ ୨୦୨୩ରେ ସର୍ବାଧିକ ଚିହ୍ନଟ ହୋଇଥିବା ଜଣାପଡ଼ିଛି ।
ଗତବର୍ଷ ୨୬୩୫ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଥିବାବେଳେ ଚଳିତବର୍ଷ ଏହା ଯେପରି ନୟନ୍ତ୍ରଣାଧୀନ ରହେ ସେଥିପ୍ରତି ଗୁରୁତ୍ୱ ଦିଆଯାଇଛି ।