୫୭ ବେଆଇନ ଗ୍ୟାସ ସିଲିଣ୍ଡର ଜବତ
ମଧ୍ୟପ୍ରାଚ୍ୟରେ ଇରାନ ଓ ଆମେରିକା ମଧ୍ୟରେ ଚାଲିଥିବା ପ୍ରାୟ ୫୨ ଦିନରୁ ଅଧିକ ଘମାଘୋଟ ଯୁଦ୍ଧ ପାଇଁ ସମଗ୍ର ମଧ୍ୟପ୍ରାଚ୍ୟରେ ଉତେଜନା ଲାଗି ରହିଛି । ବିଶେଷ କରି ଇରାନ ହର୍ମୁଜ ପ୍ରଣାଳୀକୁ ବନ୍ଦ କରିରଖିଥିବାରୁ ସେଠାରୁ ଆସୁଥିବା ତୈଳ ଓ ଏଲପିଜି ଗ୍ୟାସର ଆମଦାନୀ ପ୍ରଭାବିତ ହୋଇଛି ।
ଫଳରେ ଭାରତରେ ରନ୍ଧନ ଗ୍ୟାସ ସିଲିଣ୍ଡରର ସଂକଟ ଦେଖାଦେଇଛି ।
ଏହାର ସୁଯୋଗ ନେଇ କେତେକ ଅସାଧୁ ବ୍ୟବସାୟୀ ଗ୍ୟାସ ସିଲିଣ୍ଡରର କଳାବଜାରି କରିବା ଆରମ୍ଭ କରିଦେଇଛନ୍ତି ।
ତେବେ ଗ୍ୟାସ କଳାବଜାରୀ କରୁଥିବା ବ୍ୟକ୍ତିଙ୍କୁ କଠୋର ଦଣ୍ଡ ଦିଆଯିବାକୁ ସରକାର ଘୋଷଣା କରିଥିବାବେଳେ ଆଜି ଯାଜପୁରରେ ଗୋଟିଏ ଦୋକାନରୁ ୫୭ଟି ଗ୍ୟାସ ଭର୍ତି ସିଲିଣ୍ଡରକୁ ଯୋଗାଣ ବିଭାଗ ଅଧିକାରୀ ଜବତ କରିଛନ୍ତି ।
ଖବରପାଇ ଚଣ୍ଡିଖୋଲ ସ୍ୱାଇଁ ମାର୍କେଟ ନିକଟରେ ଥିବା ଏକ ଦୋକାନରୁ ୫୭ଟି ଗ୍ୟାସ ଭର୍ତି ସିଲିଣ୍ଡରକୁ ଜବତ କରିଛନ୍ତି । ଚଢ଼ଉବେଳେ ଦୋକାନ ମାଲିକ ଫେରାର ଥିବାବେଳେ ମାଜିଷ୍ଟ୍ରେଟ୍ଙ୍କ ଉପସ୍ଥିତିରେ ଏହି ସିଲିଣ୍ଡରଗୁଡ଼ିକୁ ଜବତ କରାଯାଇଛି ।