ଜିଲା ପରିଷଦ ସଭ୍ୟଙ୍କ ଆତ୍ମାହୁତି ଉଦ୍ୟମ
ଜନ ପ୍ରତିନିଧି ଓ ସରକାରୀ ବାବୁଙ୍କ ମଧ୍ୟରେ ଚାଲିଥିବା ବିବାଦ ଆଜି ସବୁ ସୀମା ପାର କରିଛି । ଖୋର୍ଦ୍ଦା ଜିଲା ବୋଲଗଡ଼ ବିଡିଓ ସୁମନ ସୁଧା କୁଣ୍ଡୁଙ୍କ ମନମାନିକୁ ବିରୋଧ କରି ଆଜି ଜିଲା ପରିଷଦ ବୈଠକ ଚାଲିଥିବାବେଳେ ୨୭ନମ୍ବର ଜୋନର ଜିଲା ପରିଷଦ ସଭ୍ୟ ପ୍ରଦୀପ୍ତ କୁମାର ଛୋଟରାୟ ନିଜ ଦେହରେ ପେଟ୍ରୋଲ ଢାଳି ଆତ୍ମାହୁତି ଉଦ୍ୟମ ଗ୍ରହଣ କରିଥିଲେ ।
ତେବେ ପେଟ୍ରୋଲ ଢାଳି ନିଆଁ ସଂଯୋଗ କରିବାକୁ ଉଦ୍ୟମ ବେଳେ ପାଖରେ ଥିବା ଦୁଇ ଜିଲା ପରିଷଦ ସଭ୍ୟ ବିଜୟ କୁମାର ବରାଳ ଓ ବିଜୟ ଜେନା ତାଙ୍କୁ ଅଟକାଇଥିଲେ । ଖୋଦ ଜିଲାପାଳ ଅମି୍ରତ ଋତୁରାଜ, ତିନି ବିଧାୟକଙ୍କ ଉପସ୍ଥିତିରେ ଜଣେ ଜନ ପ୍ରତିନିଧିଙ୍କ ଆତ୍ମାହୁତି ଉଦ୍ୟମ ଗଣତାନ୍ତ୍ରିକ ବ୍ୟବସ୍ଥା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।
ବୋଲଗଡ଼ ବିଡିଓ ଶ୍ରୀମତୀ କୁଣ୍ଡୁଙ୍କ ବିରୋଧରେ ଜନ ପ୍ରତନିଧିଙ୍କ କୁହୁଳିଥିବା ଅସନ୍ତୋଷ ଆଜିର ନୁହେଁ, ବିଡିଓ ମନମୁଖୀ କାମ ଚଳାଇଥିବା ଅଭିଯୋଗ କରି କିଛି ଜନ ପ୍ରତିନିଧି ଜିଲା ପ୍ରଶାସନର ଦ୍ୱାରସ୍ଥ ମଧ୍ୟ ହୋଇଛନ୍ତି । ବୋଲଗଡ଼ରେ ପ୍ରତିବାଦ ସଭା, ଶୋଭାଯାତ୍ରାଠୁ ଆରମ୍ଭ କରି ସପ୍ତାହେରୁ ଅଧିକ ଦିନ ଧରି ଧାରଣା ବି ଦିଆଯାଇଛି । ମଝିରେ ବିଡିଓଙ୍କର ଅନ୍ୟତ୍ର ବଦଳି ହୋଇଥିଲା । ମାତ୍ର କେଇଟା ଦିନ ଭିତରେ ସେ ପୁଣି ବୋଲଗଡ଼କୁ ଫେରିଥିଲେ । ତଥାପି ତାଙ୍କ ବ୍ୟବହାରରେ ସୁଧାର ଆସିନାହିଁ ବୋଲି ଜନ ପ୍ରତିନିଧିମାନେ ଅଭିଯୋଗ ଆଣିଛନ୍ତି ।
ଆଜି ଜିଲା ପରିଷଦର ସାଧାରଣ ବୈଠକ ଆରମ୍ଭରୁ ବିଡିଓଙ୍କ ମନମାନି ପ୍ରସଙ୍ଗ ନେଇ ବେଗୁନିଆ-ବୋଲଗଡ଼ ବିଧାୟକ ପ୍ରଦୀପ ସାହୁ ବର୍ଷିଥିଲେ । ପଛକୁ ପଛ ଅନ୍ୟ ବିଧାୟକମାନେ ନିଜ ପ୍ରସଙ୍ଗ ଉପସ୍ଥାପନ କରିଥିବା ଦେଖାଯାଇଥିଲା । ବିଧାୟକଙ୍କ ପରେ ଜିଲା ପରିଷଦ ସଭ୍ୟମାନଙ୍କୁ ସେମାନଙ୍କର ପ୍ରସଙ୍ଗ ରଖିବାକୁ କୁହାଯାଇଥିଲା । ପ୍ରଥମ ଜିଲା ପରିଷଦ ସଦସ୍ୟ ଭାବେ ଶ୍ରୀ ଛୋଟରାୟ ବିଡିଓଙ୍କ ଉପରେ ବର୍ଷିଥିଲେ । ସମସ୍ତ ପ୍ରକାର ପ୍ରତିବାଦ ସତ୍ୱେ ବିଡିଓଙ୍କ ବିରୋଧରେ କୌଣସି ପଦକ୍ଷେପ ନିଆଯାଇ ନଥିବାରୁ ସେ ଆତ୍ମାହୁତି ଉଦ୍ୟମ କରିଥିବା କୁହାଯାଇଛି ।
ଏହି ଘଟଣା ପରେ ବିଡିଓଙ୍କର ବଦଳି ଦାବି ହେଉଛି । ଜିଲାପାଳ ଶ୍ରୀ ଋତୁରାଜ କହିଛନ୍ତି ଯେ ବିଡିଓଙ୍କ ବଦଳି ମୋ ହାତର କଥା ନୁହେଁ, ତେବେ ଜନ ପ୍ରତିନିଧିମାନେ ଉଠାଇଥିବା ସମସ୍ୟାର ଆପୋଷ ସମାଧାନ ପାଇଁ ଚେଷ୍ଟା କରାଯିବ । ସେଥିପାଇଁ ଏହି ବୈଠକ ଡକାଯାଇଛି ବୋଲି ଜିଲାପାଳ କହିଛନ୍ତି ।








