‘ସିଜେପି’କୁ ମିଳିଲେ ନୂଆ ସମର୍ଥକ
‘ସିଜେପି’ (କକ୍ରୋଚ ଜନତା ପାର୍ଟି) ଶନିବାର ନୂଆଦିଲ୍ଲୀର ଯନ୍ତରମନ୍ତରଠାରେ ବଡ଼ ଧରଣର ଆନେ୍ଦାଳନ କରିବାକୁ ଘୋଷଣା କରିଥିବାବେଳେ ସଂଗଠନ ପ୍ରତି ବିିଭିନ୍ନ ପ୍ରତିଷ୍ଠିତ ବ୍ୟକ୍ତି ବିଶେଷଜ୍ଞଙ୍କ ସମର୍ଥନ ବଢ଼ିବାରେ ଲାଗିଛି । ଆସନ୍ତାକାଲିର ଆନେ୍ଦାଳନ ପାଇଁ ସିଜେପିର ପ୍ରତିଷ୍ଠାତା ଅଭିଜିତ ଦୀପକେ ଆମେରିକାରୁ ନୂଆଦିଲ୍ଲୀ ଅଭିମୁଖେ ତାଙ୍କ ଯାତ୍ରା ଆରମ୍ଭ କରିଛନ୍ତି ।
ନିଟ ୨୦୨୬ ପ୍ରଶ୍ନପତ୍ର ଲିକ ଓ ସିବିଏସଇ ପରୀକ୍ଷା ତ୍ରୁଟିକୁ ନେଇ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବିରେ ଆନେ୍ଦାଳନ ଡକାଯାଇଛି । ସିଜେପିକୁ ସମର୍ଥନ ଜଣାଇଥିବା ବ୍ୟକ୍ତି ବିଶେଷଜ୍ଞ ମଧ୍ୟରେ ପରିବେଶ କର୍ମୀ ତଥା ଶିକ୍ଷାବିତ ସୋନମ ୱାଙ୍ଗଚୁକ, ଅଭିନେତା ପ୍ରକାଶ ରାଜ ଓ ଶିବସେନା ନେତା ଆଦିତ୍ୟ ଠାକରେ ଅଛନ୍ତି ।
ଜୁନ ୫ ତାରିଖ ସୁଦ୍ଧା ଯଦି ଧର୍ମେନ୍ଦ୍ର ପ୍ରଧାନ ଇସ୍ତଫା ନ ଦିଅନ୍ତି ତେବେ ସେ ଜୁନ ୬ତାରିଖରେ ଦିଲ୍ଲୀର ଜନ୍ତରମନ୍ତରଠାରେ ଆନେ୍ଦାଳନରେ ଯୋଗ ଦେବେ ବୋଲି ୱାଙ୍ଗଚୁକ ଘୋଷଣା କରିଛନ୍ତି । ଦେଶର ଶିକ୍ଷା ବ୍ୟବସ୍ଥାର ଅବସ୍ଥା ଓ ଦେଶରେ ଯେଉଁ ଭାବେ ଶିକ୍ଷା ସଂସ୍କାର ଲାଗୁ କରାଯାଉଛି, ସେ ବିରୋଧରେ ସେ ଆନେ୍ଦାଳନ ଯୋଗ ଦେବେ ବୋଲି କହିଛନ୍ତି ସିଜେପି ୱାଙ୍ଗଚୁକଙ୍କ ନିଷ୍ପତିକୁ ସ୍ୱାଗତ କରିଛି । ଅଭିନେତା ପ୍ରକାଶ ରାଜ ଆନେ୍ଦାଳନକୁ ତାଙ୍କର ସମର୍ଥନ ଘୋଷଣା କରିଛନ୍ତି ।
‘ଏକ୍ସ’ରେ ଏକ ପୋଷ୍ଟ କରି ପ୍ରକାଶ ରାଜ କହିଛନ୍ତି ଯେ ଫିଲ୍ମ ସୁଟିଂରେ ବ୍ୟସ୍ତ ଥିବା ସତ୍ୱେ ସେ ଦିଲ୍ଲୀରେ ଶନିବାର ପହଂଚିବାକୁ ଚେଷ୍ଟା କରୁଛନ୍ତି । ଶିବସେନା (ୟୁବିଟି) ନେତା ଆଦିତ୍ୟ ଠାକରେ ମଧ୍ୟ ଆନେ୍ଦାଳନକୁ ସମର୍ଥନ ଜଣାଇଛନ୍ତି । ଠାକରେ କହିଛନ୍ତି ଯେ ସେମାନେ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଚାହୁଁଛନ୍ତି ।
ନିଟ-ୟୁଜି ଓ ସିବିଏସଇ ବିବାଦ ପ୍ରଶାସନିକ ଶୂନ୍ୟତା ଓ ମନ୍ତ୍ରୀଙ୍କ ଦାୟିତ୍ୱହୀନତାର ଅଭାବକୁ ଦର୍ଶାଉଛି । ଏହା ପୂର୍ବରୁ ‘ଏକ୍ସ’ରେ ପୋଷ୍ଟ କରି ଦୀପକେ ଆନେ୍ଦାଳନ ପାଇଁ ଭାରତ ଆସୁଥିବା ଘୋଷଣା କରିଛନ୍ତି । ସମର୍ଥକମାନଙ୍କୁ ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନ ବନ୍ଦର ପରିବର୍ତେ ଯନ୍ତରମନ୍ତରକୁ ଆସିବାକୁ ସିଜେପି ନିବେଦନ କରିଛି । ବହୁ ସଂଖ୍ୟକ ସମର୍ଥକ ବିମାନ ବନ୍ଦରରେ ପହଂଚି ଦୀପକେଙ୍କୁ ସ୍ୱାଗତ କରିବା ସହିତ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବି କରିବାକୁ ଆଗ୍ରହ ବ୍ୟକ୍ତ କରିଥିବାରୁ ଦଳ ଏହାର ଯୋଜନାରେ ପରିର୍ବତନ କରିଛି ।
ତୃଣମୂଳ କଂଗ୍ରେସର ମହୁଆ ମୈତ୍ର ଓ କୀର୍ତି ଆଜାଦଙ୍କ ଭଳି ବିରୋଧୀ ଦଳ ନେତାମାନେ ମଧ୍ୟ ସିଜେପିକୁ ସମର୍ଥନ କରିଥିଲେ । ପାନିପଥର ଓକିଲ ସୁଧୀର ଜାଖର ନିଜକୁ ସିଜେପିର ସଭାପତି ଦାବି କରୁଛନ୍ତି ଓ ଯନ୍ତରମନ୍ତରଠାରେ ଦୀପକେଙ୍କ ପ୍ରତିବାଦକୁ ସମର୍ଥନ କରିବାକୁ ନିଷ୍ପତି ନେଇଛନ୍ତି ।
କୁରୁକ୍ଷେତ୍ରରେ କୃଷକ ନେତା ଗୁରନାମ ସିଂହ ଚାରୁନିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ବୈଠକରେ ସିଜେପିର ପ୍ରତିବାଦକୁ ସମର୍ଥନ କରିବାର ନିଷ୍ପତି ନିଆଯାଇଥିବା ଜଣାପଡ଼ିଛି ।