ନୀଳାଦ୍ରି ବିଜେ ପରେ ରତ୍ନଭଣ୍ଡାର ଗଣତି
ଶୁକ୍ରବାର ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟ ପରିସରରେ ଗଜପତି ମହାରାଜଙ୍କ ଅଧ୍ୟକ୍ଷତାରେ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି ।
ଏହି ପରିଚାଳନା କମିଟି ବୈଠକରେ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନିଆଯାଇଛି । ପରିଚାଳନା କମିଟି ଦେବସ୍ନାନ ପୂର୍ଣ୍ଣମୀ, ରଥଯାତ୍ରା ଓ ବାହୁଡ଼ା ଯାତ୍ରା ନୀତି ନିର୍ଘଂଟ ଓ ବ୍ୟବସ୍ଥାବଳୀକୁ ମୋହର ମାରିଛି । ତେବେ ବଡ଼ କଥା ହେଉଛି ନୀଳାଦ୍ରି ବିଜେ ପର୍ଯ୍ୟନ୍ତ ଭିତର ରତ୍ନଭଣ୍ଡାରର ଗଣତି ସ୍ଥଗିତ ରହିବ ।
ପୁରୁଣା ଆଲମିରାକୁ ବାହାରକୁ ଅଣାଯିବ । ଆକାାର ଅନୁସାରେ ନିର୍ଦ୍ଦିଷ୍ଟ କିଛି ଅଳଙ୍କାରର ଗଣତି ଖଟ ଶେଯ ଘରେ ଗଣତି କରାଯିବ । ନୀଳାଦ୍ରି ବିଜେ ପରେ ପୁନର୍ବାର ରତ୍ନ ଅଳଙ୍କାରର ଗଣତି ହେବ । ଆକାରରେ ବଡ଼ ଥିବା ଅଳଙ୍କାର ଖଟଶେଜ ଘରେ ଗଣତି କରି ଫଟୋଗ୍ରାଫି, ଭିଡ଼ିଓଗ୍ରାଫି ଓ ୩ଡି ମ୍ୟାପିଂ କରି ପୁନର୍ବାର ଭିତର ରତ୍ନଭଣ୍ଡାରରେ ରଖାଯିବା ନେଇ ନିଷ୍ପତି କରାଯାଇଛି ।
ବାହାର ରତ୍ନଭଣ୍ଡାରରେ ତିନିଟି ତାଲା ପଡ଼ିଥାଏ । ବାହାର କବାଟ ତାଲା ଭଣ୍ଡାର ମେକାପ ପାଖରେ, ଗଜପତି ମହାରାଜାଙ୍କ ପାଖରେ ଏବଂ ଶ୍ରୀମନ୍ଦିର ପ୍ରଶାସନ ପାଖରେ ରହିଥାଏ । ହେଲେ ଏହି ତାଲା ଖରାପ ହେବାରୁ ଏହାକୁ ବଦଳାଯିବ ବୋଲି ସୂଚନା ମିଳିଛି ।
ଶୁକ୍ରବାର ଏହି ପରିଚାଳନା କମିଟି ବୈଠକରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. ଅରବିନ୍ଦ ପାଢ଼ୀ, ଶ୍ରୀମନ୍ଦିର ସୁରକ୍ଷା ସବ-କମିଟିର ଅଧ୍ୟକ୍ଷ ଡ. ଗିରିଶ ଚନ୍ଦ୍ର ମୁର୍ମୁ, ଜିଲାପାଳ ଦିବ୍ୟଜ୍ୟୋତି ପରିଡ଼ା, ଜିଲା ଆରକ୍ଷୀ ଅଧିକ୍ଷକ ପ୍ରୀତକ ସିଂହ, ପରିଚାଳନା କମିଟିର ସମସ୍ତ ସଦସ୍ୟ ଉପସ୍ଥିତ ରହିଥିଲେ ।
ଅନ୍ୟ ପକ୍ଷରେ ଦୃଶ୍ୟସଂଚାରୀ ମାଧ୍ୟମରେ ରାଜ୍ୟ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ଯୋଗ ଦେଇଥିଲେ ବୋଲି ସୂଚନା ମିଳିଛି ।