ଇତିହାସ ରଚିଲେ ପ୍ରଜ୍ଞାନନ୍ଦ
ଭାରତୀୟ ଗ୍ରାଣ୍ଡମାଷ୍ଟର ଆର ପ୍ରଜ୍ଞାନନ୍ଦ ନୂଆ ଇତିହାସ ରଚିଛନ୍ତି ।
ପ୍ରଥମ ଭାରତୀୟ ଭାବେ ସେ ନରୱେ ଚେସରେ ବିଜେତା ହେବାର ଗୌରବ ଅର୍ଜନ କରିଛନ୍ତି । ଏଠାରେ ଖେଳାଯାଇଥିବା ପ୍ରତିଯୋଗିତାର ଦଶମ ତଥା ଶେଷ ରାଉଣ୍ଡରେ ପ୍ରଜ୍ଞାନନ୍ଦ ଜର୍ମାନୀର ଭିନସେଂଟ କିମରଙ୍କୁ ପରାସ୍ତ କରିଥିଲେ । ଏହି ବିଜୟ ସହ ୨୦ବର୍ଷୀୟ ପ୍ରଜ୍ଞାନନ୍ଦ ମୋଟ ୧୮ ପଏଂଟ ପାଇ ଟେବୁଲର ଶୀର୍ଷରେ ରହିଥିଲେ ।
ଏଥିସହ ସେ ଆମେରିକାର ୱେସଲେ ସୋଙ୍କୁ ପଛରେ ପକାଇ ଟ୍ରଫି ଜିତିବାରେ ସଫଳ ହୋଇଥିଲେ । ୯ ରାଉଣ୍ଡ ପର୍ଯ୍ୟନ୍ତ ପଏଂଟ ଟେବୁଲର ଶୀର୍ଷ ସ୍ଥାନରେ ରହି ଆସୁଥିବା ୱେସଲେ କିନ୍ତୁ ଶେଷ ରାଉଣ୍ଡରେ ଫ୍ରାନ୍ସର ଅଲୀରେଜା ଫିରୌଜାଙ୍କ ସହ ଡ୍ର ରଖିବା ମହଙ୍ଗା ପଡ଼ିଥିଲା ।
ସେ ୧୭ପଏଂଟ ସହ ଦ୍ୱିତୀୟ ସ୍ଥାନରେ ଅଭିଯାନ ଶେଷ କରିଥିଲେ । ଫିରୌଜା ତୃତୀୟ ସ୍ଥାନରେ ରହିଥିଲେ । ବିଶ୍ୱ ବିଜେତା ତଥା ଭାରତୀୟ ତାରକା ଡି ଗୁକେଶ ନିଜର ଶେଷ ରାଉଣ୍ଡରେ ମାନନଓ କାର୍ଲସେନଙ୍କଠୁ ହାରି ୮ ପଏଂଟ ସହ ଷଷ୍ଠ ସ୍ଥାନରେ ରହିଥିଲେ । ସୂଚନାଯୋଗ୍ୟ ଯେ ପ୍ରଜ୍ଞାନନ୍ଦ ଏହି କ୍ଲାସିକାଲ ପ୍ରତିଯୋଗିତାରେ ବିଶ୍ୱର ଏକ ନମ୍ବର ଖେଳାଳୀ କାର୍ଲେସନଙ୍କୁ ଦୁଇଥର ହରାଇଥିଲେ ।
କୌଣସି ଏକ ପ୍ରତିଯୋଗିତାରେ କାର୍ଲସେନଙ୍କୁ ଦୁଇଥର ହରାଇବାରେ ସେ ବିଶ୍ୱର ତୃତୀୟ ଖେଳାଳି ହୋଇଥିଲେ । ତାଙ୍କ ପୂର୍ବରୁ ଭାରତୀୟ ଚେସ କିମ୍ବଦନ୍ତି ବିଶ୍ୱନାଥ ଆନନ୍ଦ ଏବଂ ଭେସେଲିନ ଟେପଲଭ କାର୍ଲସେନଙ୍କୁ ଦୁଇଥର ହରାଇବାର ସଫଳ ହୋଇଥିଲେ ।
ମହିଳା ବର୍ଗରେ କାଜାଖସ୍ତାନର ବିବିସାରା ଆସୁବାୟେଭା ବିଜେତା ହୋଇଥିବାବେଳେ ଚୀନର ଝୁ ଜିନର ଉପବିଜେତା ହୋଇଥିଲେ ।
ଭାରତର ଦିବ୍ୟା ଦେଶମୁଖ ଓ କୋନେରୁ ହମ୍ପି ଯଥାକ୍ରମେ ପଂଚମ ଓ ଷଷ୍ଠ ସ୍ଥାନରେ ଅଭିଯାନ ଶେଷ କରିଥିବା ଜଣାପଡ଼ିଛି ।