ଗୋଟିଏ ଜୁଇରେ ଜଳିଲେ ବାପ-ପୁଅ
ଖୋର୍ଦ୍ଦା ଜିଲା ବାଣପୁର ଥାନା କେଶପୁର ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି । ଧାର ଉଧାରକୁ କେନ୍ଦ୍ରକରି ବାପ ଓ ପୁଅ ମଧ୍ୟରେ ଝଗଡ଼ା ପରେ ଉଭୟ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି ।
ଶେଷରେ ଦୁହିଁଙ୍କୁ ଗୋଟିଏ ଜୁଇରେ ପୋଡ଼ାଯାଇଥିବା ଜଣାପଡ଼ିଛି ।
ପୁଲିସ ସୂତ୍ରରୁ ପ୍ରକାଶ ଯେ ମୃତକ ବାପ-ପୁଅ ହେଉଛନ୍ତି ନବଘନ ପ୍ରଧାନ ଓ ତାଙ୍କ ସାନ ପୁଅ ତୋଫାନ ପ୍ରଧାନ । ଘଟଣା ଅନୁସାରେ ମୃତକ ବାପା ନବଘନ ଗ୍ରାମରୁ ଧାର ଉଧାର କରି ୧୦ଲକ୍ଷରୁ ଊର୍ଦ୍ଧ ଟଙ୍କା କରଜ କରିଥିଲେ । ବିଦେଶରେ ରହି ସାନପୁଅ ତୋଫାନ କରଜ ସୁଝୁଥିଲା ।
ଦଶଦିନ ପୂର୍ବରୁ ତୋଫାନ ବିଦେଶରୁ ଫେରିଥିଲେ । ବାପା କରଜ କରି ବିବାହିତ ଝିଅକୁ ଅତ୍ୟଧିକ ୫ଲକ୍ଷ ଟଙ୍କା ଦେବାକଥା ଶୁଣି ଗତ ରାତିରେ ବାପ-ପୁଅଙ୍କ ମଧ୍ୟରେ ଝଗଡ଼ା ଲାଗିଥିଲା । ଘଟଣା ଶେଷରେ ଏପରି ତୀବ୍ର ରୂପ ନେଇଥିଲା ଯେ ଶେଷରେ ଜୀବନ ହାରି ଗୋଟିଏ ଜୁଇରେ ଦୁହିଁଙ୍କ ଚିତା ଜଳିଥିବା ଜଣାପଡ଼ିଛି ।
ଆହୁରି ଜଣାପଡ଼ିଛି ଯେ ଦୁହିଁଙ୍କ ମଧ୍ୟରେ ଝଗଡ଼ା ପରେ ରାତ୍ରି ପ୍ରାୟ ୨ଟାରେ ବାପା ସାଇକଲ ନେଇ କୁଆଡ଼େ ପଳେଇଯିବି କହି ଘରୁ ବାହାରିଥିଲେ । ଏହି ରାଗରେ ପୁଅ ବିଷ ଖାଇ ଦେଇଥିଲା । ପୁଅକୁ ସଙ୍ଗେ ସଙ୍ଗେ ବାଣପୁର ଡାକ୍ତରଖାନା ଓ ପରେ ଖୋର୍ଦ୍ଦା ମେଡ଼ିକାଲରେ ଭର୍ତି କରିଥିଲେ ।
ଅନ୍ୟପଟେ ଭୋରରୁ ବାପାଙ୍କୁ ଖୋଜାଖୋଜି କରିବା ପରେ ବାଲୁଗାଁ ଷ୍ଟେସନ ନିକଟ ରେଳ ଧାରଣାରେ ବାପାଙ୍କ ମୃତଦେହ ପରିବାର ଲୋକେ ପାଇଥିଲେ ।
ପରେ ଉଭୟଙ୍କ ଶବ ବ୍ୟବଚ୍ଛେଦ କରାଯିବା ପରେ ଦୁହିଁଙ୍କୁ ଗୋଟିଏ ଜୁଇରେ ପୋଡ଼ା ଯାଇଥିଲା । ତେବେ ଘଟଣା ପଛରେ ଅନ୍ୟ କୌଣସି ରହସ୍ୟ ଲୁଚି ରହିଛି କି ନାହିଁ ତାହା ନେଇ ପୁଲିସ ଅନୁସନ୍ଧାନ ଜାରି ରଖିଛି ।