ସୋନିଆଙ୍କୁ ଭେଟିଲେ ମମତା
ଦଳକୁ ନେଇ ତୃଣମୂଳ କଂଗ୍ରେସ ନେତ୍ରୀ ମମତା ବାନାର୍ଜୀ ଅଡ଼ୁଆ ପରିସ୍ଥିତିର ସମ୍ମୁଖୀନ ହୋଇଥିବାବେଳେ ମଙ୍ଗଳବାର ଦିଲ୍ଲୀରେ କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀଙ୍କୁ ତାଙ୍କ ବାସଭବନରେ ଉପସ୍ଥିତ ହୋଇ ବୈଠକ କରିଛନ୍ତି ।
ଦୁଇ ନେତ୍ରୀ ଇଣ୍ଡି ମେଂଟ ବୈଠକ ପରେ କଂଗ୍ରେସ ଏବଂ ତୃଣମୂଳ କଂଗ୍ରେସ ମଧ୍ୟରେ ସମନ୍ୱୟ ରକ୍ଷା କରି ରଣନୀତି ଅନୁସାରେ ଆଗକୁ ବଢ଼ିବା ଏବଂ ସଂପ୍ରତି ବଙ୍ଗଳ ନିର୍ବାଚନରେ ବିଜେପିଠାରୁ ଟିଏମସିର ପରାଜୟ ପରେ ତୃଣମୂଳ ସଦସ୍ୟ ଦଳ ଛାଡ଼ିବା ଇତ୍ୟାଦି ଉପରେ ଆଲୋଚନା ହୋଇଥିବା ଜଣାପଡ଼ିଛି ।
ଚଳିତ ବିଧାନସଭା ନିର୍ବାଚନରେ ଭାରତୀୟ ଜନତା ପାର୍ଟିଠାରୁ ହାରିବା ପରେ ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ତାଙ୍କ ଦଳ ତୃଣମୂଳ କଂଗ୍ରେସକୁ ଏକାଠି ରଖିବା ପାଇଁ ସବୁଠାରୁ ବଡ଼ ଚ୍ୟାଲେଞ୍ଜର ସମ୍ମୁଖୀନ ହେଉଛନ୍ତି । ଆଭ୍ୟନ୍ତରୀଣ ଝଟକା ମଧ୍ୟରେ ବିଧାୟକ ଏବଂ ସାଂସଦମାନେ ଦଳ ବିଭାଜନ କରିବା ସହ ମମତାଙ୍କୁ ଖୋଲା ଚ୍ୟାଲେଞ୍ଜ କରିଛନ୍ତି । ପ୍ରଥମେ ବିଧାୟକ ଋତୁବ୍ରତ ବାନାର୍ଜୀ ଗତ ସପ୍ତାହରେ ୫୮ଜଣ ବିଧାୟକଙ୍କ ସମର୍ଥନ ନେଇ ବିରୋଧୀ ଦଳ ନେତା ପଦ ଦାବି କରିଥିଲେ ।
ଏବେ ସାଂସଦ କାକଳି ଘୋଷ ଦୋସ୍ତିଦାର ୧୯ଜଣ ବିଦ୍ରୋହୀ ସାଂସଦଙ୍କ ସମର୍ଥନରେ ଦଳରୁ ଅଲଗା ହେବା ସହ ବିଜେପି ନେତୃତ୍ୱାଧୀନ ଏନଡିଏ ସମର୍ଥନ ପାଇଁ ପ୍ରକାଶ କରିଛନ୍ତି । ବାଚସ୍ପତି ରଥୀନ୍ଦ୍ର ନାଥ ବୋଷ ଗତ ସପ୍ତାହରେ ବିଧାୟକ ଋତୁବ୍ରତ ବାନାର୍ଜୀଙ୍କ ନେତୃତ୍ୱରେ ୫୮ଜଣ ବିଦ୍ରୋହୀ ଟିଏମସି ବିଧାୟକଙ୍କୁ ପ୍ରମୁଖ ବିରୋଧୀ ଦଳ ଭାବେ ମାନ୍ୟତା ଦେଇଥିଲେ । ବିଦ୍ରୋହୀମାନେ ଦଳର ନେତୃତ୍ୱକୁ ଏକଚାଟିଆ ଭାବେ କାର୍ଯ୍ୟ କରିବାର ଅଭିଯୋଗ କରିଛନ୍ତି ଏବଂ ଦଳର ଜାତୀୟ ସାଧାରଣ ସମ୍ପାଦକ ତଥା ସାଂସଦ ଅଭିଷେକ ବାନାର୍ଜୀଙ୍କ ଭୂମିକାକୁ ଖୋଲାଖୋଲି ଚ୍ୟାଲେଞ୍ଜ କରିଛନ୍ତି ।
ସେହିପରି ସାଂସଦ କାକଲି ଘୋଷ ଦୋସ୍ତିଦାରଙ୍କ ନେତୃତ୍ୱରେ ୧୪ଜଣ ବିଧାୟକ ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀଙ୍କ ଉପସ୍ଥିତିରେ ଦଳକୁ ଭାଙ୍ଗିବା ବିଷୟରେ ଆଲୋଚନା କରିଥିବା ସୂଚନା ମିଳିଥିଲା ।
ସବୁଠୁ ଆଶ୍ଚର୍ଯ୍ୟର ବିଷୟ େଉଛି ଯେ ଦଳର ମୁଖ୍ୟ ମମତା ବାନାର୍ଜୀ ଯେଉଁ ବିରୋଧୀ ଇଣ୍ଡିଆ ମେଂଟର ବୈଠକରେ ଯୋଗ ଦେଉଥିଲେ, ସେତେବେଳେ ବୈଠକଠାରୁ ମାତ୍ର ତିନି କିଲୋମିଟର ଦୂରରେ ବିଦ୍ରୋହୀ ଟିଏମସି ସାଂସଦମାନେ କେନ୍ଦ୍ରମନ୍ତ୍ରୀ ଓ ପଶ୍ଚିମବଙ୍ଗ ନିର୍ବାଚନ ବିଜେପି ପର୍ଯ୍ୟବେକ୍ଷକ ଭୁପେନ୍ଦର ଯାଦବଙ୍କ ଘରେ ଦୁଇଘଂଟା ପାଇଁ ସାକ୍ଷାତ ଆଲୋଚନା କରିଥିଲେ । ସନ୍ଧ୍ୟାରେ ବୀରଭୂମ ସାଂସଦ ଶତାବ୍ଦୀ ରାୟଙ୍କ ବାସଭବନରେ ଏହି ଗୋଷ୍ଠୀ ପୁଣି ଥରେ ବୈଠକ କରିଥିଲେ ।
ବାରାସାତ ସାଂସଦ କାକଲି ଘୋଷ ଦୋସ୍ତିସାର କହିଛନ୍ତି ଯେ ସେ ବିଦ୍ରୋହୀ ଗୋଷ୍ଠୀ ଏନଡିଏକୁ ସମର୍ଥନ କରିବାକୁ ନିଷ୍ପତି ନେଇଛନ୍ତି । ନିଜକୁ ମିଶାଇ ମୋଟ ୨୦ଜଣ ଟିଏମସି ସାଂସଦ ରାଜ୍ୟର ବିକାଶ ପାଇଁ ଏନଡିଏକୁ ସମର୍ଥନ କରିବାକୁ ନିଷ୍ପତି ନେଇଥିବା ସେ କହିଛନ୍ତି ।