ବିଧର୍ମୀ ଇସ୍କନର ଅଦିନିଆ ରଥଯାତ୍ରା
ପ୍ରବାସୀ ଓଡ଼ିଆଙ୍କୁ ‘ଡଗ୍ସ’ କହି ଗାଳିଗୁଲଜ
ଜଗନ୍ନାଥ ସଂସ୍କୃତି ଓ ପରମ୍ପରାକୁ ଉଲ୍ଲଂଘନ କରୁଛି ଇସ୍କନ । ବାରମ୍ବାର ତାଗିଦା କରିବା ସତ୍ୱେ ସୁଧୁରୁନି ଇସ୍କନ ।
ସେ ତା’ର ମନମାନି ଚଳାଇଛି । ମନଇଚ୍ଛା ଜଗତର ନାଥ ଶ୍ରୀଜଗନ୍ନାଥଙ୍କ ପୂଜା, ନୀତିକାନ୍ତି ଓ ରଥଯାତ୍ରା ଅଦିନିଆ ବିଶ୍ୱର ବିଭିନ୍ନ ଦେଶରେ କରୁଛି ।
ଏହାକୁ ନେଇ ଓଡ଼ିଶା ତଥା ଭାରତ ସମେତ ବିଶ୍ୱର ଅଗଣିତ ସନାତନୀ ଜଗନ୍ନାଥପ୍ରେମୀ କ୍ଷୁବ୍ଧ ।
ନିକଟରେ ଆମେରିକାରେ ମଧ୍ୟ ଇସ୍କନ ଅନୁଗାମୀମାନେ ରଥଯାତ୍ରା କରିଛନ୍ତି ।
ଯାହାକୁ ନେଇ ଶ୍ରୀମନ୍ଦିର ପ୍ରଶାସନ, ଗଜପତି ମହାରାଜ ଉଦ୍ବେଗ ପ୍ରକାଶ କରିବା ସହ କଡ଼ା ଭାଷାରେ ଇସ୍କନକୁ ତାଗିଦା କରିଥିଲେ ।
ଏଥିରେ ଅସହିଷ୍ଣୁ ହୋଇ ଇସ୍କନ ତା’ର ସୋସିଆଲ ପେଜରେ ଓଡ଼ିଆ ଶ୍ରଦ୍ଧାଳୁଙ୍କୁ ଅଭଦ୍ର ଭାଷାରେ ଗାଳିଗୁଲଜ କରିଛି । ବିଦେଶରେ ରହୁଥିବା ପ୍ରବାସୀ ଓଡ଼ିଆ ଶ୍ରଦ୍ଧାଳୁଙ୍କୁ ଇସ୍କନ କଟୂ ଭାଷାରେ ଗାଳି ଦେଇଛି ।
ନିକଟରେ ନ୍ୟୁୟର୍କ ସହରରେ ଅଦିନିଆ ରଥଯାତ୍ରାକୁ ସେଠାରେ ଥିବା ପ୍ରବାସୀ ଓଡ଼ିଆମାନେ ବିରୋଧ କରିବାରୁ ସେମାନଙ୍କୁ ଇସ୍କନ ନୁ୍ୟୟର୍କ ଶାଖା ତା’ର ସୋସିଆଲ ଆକାଉଂଟରେ ଅତି ଅଭଦ୍ର ଭାଷାରେ ଗାଳି ଦେଇଛି ।
ଏ ଏପରିକି ଓଡ଼ିଆ ଶ୍ରଦ୍ଧାଳୁଙ୍କୁ ଏହି ଶାଖା ‘ଡଗ୍ସ’ ବା ‘କୁକୁର’ କହିବାକୁ ମଧ୍ୟ କୁଣ୍ଠାବୋଧ କରିନାହିଁ ।
ଏହାକୁ ନେଇ ବିଶ୍ୱର କୋଟିକୋଟି ଓଡ଼ିଆ ଓ ସନାତନୀ ଜଗନ୍ନାଥପ୍ରେମୀ ଦୃଢ଼ ପ୍ରତିବାଦ କରିବା ସହ ନିନ୍ଦା କରିଛନ୍ତି ।