ହାତୀ ବେଶରେ ଦର୍ଶନ ଦେଲେ ଶ୍ରୀଜୀଉ
ଶ୍ରୀକ୍ଷେତ୍ର ପୁରୀରେ ଆଜି ମହାବାହୁ ବଳଭଦ୍ର, ମା’ ସୁଭଦ୍ରା ଓ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦେବସ୍ନାନ ନୀତି ସମ୍ପନ୍ନ ହୋଇଯାଇଛି । ସୋମବାର ସକାଳୁ ଧାର୍ଯ୍ୟ ନୀତିନିର୍ଘଂଟ ଅନୁଯାୟୀ ପୁରୀ ଶ୍ରୀକ୍ଷେତ୍ରରେ ଶ୍ରୀଜୀଉଙ୍କ ଦେବସ୍ନାନ ନୀତି ଆରମ୍ଭ ହୋଇଥିଲା ।
ପ୍ରଥମେ ସୁଦର୍ଶନଙ୍କୁ ଧାଡ଼ି ପହଣ୍ଡିରେ ସ୍ନାନବେଦୀକୁ ଅଣାଯାଇଥିଲା । ଏହାପରେ ପର୍ଯ୍ୟାୟକ୍ରମେ ମହାବାହୁ ବଳଭଦ୍ର, ମା’ସୁଭଦ୍ରା ଓ ଶେଷରେ କାଳିଆ ସାଆନ୍ତଙ୍କୁ ସେବାୟତମାନେ ପହଣ୍ଡି କରି ସ୍ନାନବେଦୀକୁ ଆଣିଥିଲେ । ମଧ୍ୟାହ୍ନ ସମୟରେ ଗଜପତି ମହାରାଜ ତାନଝାନରେ ବସି ନଅରରୁ ବାହାରିଥିଲେ ।
ସେ ସ୍ନାନବେଦୀରେ ପହଂଚିବା ପରେ ପରମ୍ପରାନୁଯାୟୀ ସୁନା ଖଡ଼ିକାରେ ସ୍ନାନବେଦୀକୁ ପହରା କରିଥିଲେ । ଏହି ସମୟରେ ସେଠାରେ ଉପସ୍ଥିତ ସେବାୟତମାନେ ସୁନା ପାତ୍ରରେ ଥିବା ଚନ୍ଦନ ପାଣିକୁ ସେଠାରେ ସିଂଚନ କରିବା ପରେ ଗଜପତି ମହାରାଜ ସୁନା ଖଡ଼ିକାରେ ପହରା କରିବା ସହ ପୂଜାର୍ଚନା କରିଥିଲେ । ପରେ ସେ ପୁନର୍ବାର ତାମଝାନରେ ବସି ନଅରକୁ ଫେରିଯାଇଥିଲେ ।
ଏହାପରେ ଶ୍ରୀଜୀଉମାନଙ୍କୁ ସୁନା କୂଅରୁ ୧୦୮ ଗରାରେ ପାଣି କଢ଼ାଯାଇ ସ୍ନାନ କରାଯାଇଥିଲା । ସନ୍ଧ୍ୟା ସମୟରେ ଶ୍ରୀଜୀଉମାନେ ସ୍ନାନବେଦୀରେ ଭକ୍ତଙ୍କୁ ହାତୀ ବେଶରେ ଦର୍ଶନ ଦେଇଥିଲେ ।
ତେଣେ ଶ୍ରୀଜୀଉଙ୍କ ଦେବସ୍ନାନ ଓ ହାତୀବେଶ ଦେଖିବା ପାଇଁ ପୂର୍ବଦିନ ଅର୍ଥାତ ରବିବାର ରାତିରୁ ପୁରୀକୁ ଜିଲା ତଥା ଜିଲା ଏବଂ ରାଜ୍ୟ ବାହାରୁ ଭକ୍ତଙ୍କ ସୁଅ ଛୁଟିଥିଲା ।
ସୋମବାର ସକାଳୁ ଶ୍ରୀକ୍ଷେତ୍ରରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଥିବାବେଳେ ସନ୍ଧ୍ୟାବେଳେ ଅସମ୍ଭାଳ ଭିଡ଼ ପରିଲକ୍ଷିତ ହୋଇଥିଲା ।
ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ଶ୍ରୀମନ୍ଦିର ପ୍ରଶାସନ ଓ ପୁଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା । ଭକ୍ତଙ୍କୁ ବ୍ୟାରିକେଡରେ ସ୍ନାନବେଦୀ ନିକଟକୁ ଛଡ଼ାଯାଇଥିଲା । ଆଜି ସ୍ୱତନ୍ତ୍ର ଭାବେ ଶ୍ରୀମନ୍ଦିରରେ ଭକ୍ତଙ୍କ ନିମନ୍ତେ ସନ୍ଧ୍ୟା ସାଢ଼େ ୭ଟାରୁ ରାତି ସାଢ଼େ ୯ଟା ପର୍ଯ୍ୟନ୍ତ ସାହାଣମେଲା ଦର୍ଶନର ବ୍ୟବସ୍ଥା ହୋଇଥିଲା ।
ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ଶତାଧିକ ପ୍ଲାଟୁନ ପୁଲିସ ଫୋର୍ସ, ସ୍ୱେଚ୍ଛାସେବୀ ସଂଗଠନର ସଦସ୍ୟମାନେ ଉପସ୍ଥିତ ଥିଲେ ।