ରାଜସ୍ଥାନରେ ଅଦିନିଆ ରଥଯାତ୍ରା ବନ୍ଦ
ଗଜପତି ମହାରାଜ ଓ ପୁରୀ ଶ୍ରୀମନ୍ଦିର ପ୍ରଶାସନର କଡ଼ା ପ୍ରତିବାଦ ପରେ ଓଡ଼ିଶା ବାହାରେ ବିଭିନ୍ନ ରାଜ୍ୟ ତଥା ଦେଶ ବିଦେଶରେ ହେଉଥିବା ଅଦିନିଆ ରଥଯାତ୍ରାକୁ ବନ୍ଦ କରିବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି ।
ଗତ ଗୁରୁବାର ଏହି ଅଦିନିଆ ରଥଯାତ୍ରାକୁ ବନ୍ଦ କରିବା ପାଇଁ ପୁରୀ ଗଜପତି କେନ୍ଦ୍ର ସରକାର ଓ ପ୍ରଧାମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଯୋଗେ ଅନୁରୋଧ କରିଥିଲେ ।
ଏଥିସହ ପଞ୍ଜିକାର ତିଥି ଅନୁସାରେ ରଥଯାତ୍ରା ପାଳନ କରାଯାଉ ବୋଲି ନିବେଦନ କରିଥିଲେ ।
ଏହାର ଫଳସ୍ୱରୂପ ରାଜସ୍ଥାନ ସିକରରେ ହେବାକୁ ଥିବା ଅଦିନିଆ ରଥଯାତ୍ରାକୁ ପ୍ରଶାସନ ବନ୍ଦ କରିଛି ।
ଏଥିପାଇଁ ସେଠାରେ ଶ୍ରୀ ଖଟୁ ଶ୍ୟାମ ମଣ୍ଡଳ ଓ ବିଶ୍ୱ ସନାତନ ଧର୍ମ ସେବା ସଂସ୍ଥାନକୁ ଏହି ଅଦିନିଆ ରଥଯାତ୍ରା ବନ୍ଦ କରିବାକୁ ପ୍ରଶାସନ ନିର୍ଦେଶ ଦେଇଛି ।
ଏଥିସହିତ ଦନ୍ତାରାମଗଡ଼ ଉପଖଣ୍ଡ ଅଧିକାରୀଙ୍କୁ ଏହି ଅଦିନିଆ ରଥଯାତ୍ରା ବନ୍ଦ ହେଲା ବୋଲି ସୁନିଶ୍ଚିତ କରିବାକୁ ପ୍ରଶାସନ ନିର୍ଦେଶ ଦେଇଛି ।