କାଠଗଡ଼ାରେ ଡିଜିପି ମନୋନୟନ
ସର୍ବୋଚ୍ଚ ଅଦାଲତର କାଠଗଡ଼ାରେ ହେବ ଓଡ଼ିଶା ଡିଜିପି ମନୋନୟନ । ନିଯୁକ୍ତି ପ୍ରକ୍ରିୟାରେ ମାନ୍ୟବର ସୁପ୍ରିମକୋର୍ଟଙ୍କ ରାୟ ଉଲ୍ଲଂଘନ ହୋଇଥିବା ନେଇ ଅଭିଯୋଗ ହୋଇଛି ।
ନିଯୁକ୍ତି ସମ୍ପର୍କରେ ମାନ୍ୟବର ସର୍ବୋଚ୍ଚ ନ୍ୟାୟାଳୟ ଦେଇଥିବା ରାୟକୁ ଏଡ଼ାଇବାକୁ ଚେଷ୍ଟା କରାଯାଇଥିବା ନେଇ ଅଭିଯୋଗ ହୋଇଛି ।
ଏ ସଂକ୍ରାନ୍ତୀୟ ଏକ ଜନସ୍ୱାର୍ଥ ମାମଲା ଦାୟର ହୋଇଛି । ଓଡ଼ିଶା ସରକାର ଉଦେ୍ଦଶ୍ୟମୂଳକ ଭାବେ ଡିଜିପି ନିଯୁକ୍ତି ସମ୍ପର୍କରେ ସର୍ବୋଚ୍ଚ ନ୍ୟାୟାଳୟଙ୍କ ରାୟକୁ ଏଡ଼ାଇବାକୁ ଚେଷ୍ଟା କରୁଛନ୍ତି ବୋଲି ଉକ୍ତ ପିଆଇଏଲ୍ରେ ଅଭିଯୋଗ ହୋଇଛି ।
ସେଥିପାଇଁ ସିଲେକ୍ସନ ପ୍ୟାନେଲରେ ଅଯୋଗ୍ୟ ହିତାଧିକାରୀଙ୍କୁ ସାମିଲ କରୁଛନ୍ତି ।
ରାଜ୍ୟ ସରକାର ୟୁପିଏସସି ନିକଟକୁ ପଠାଇଥିବା ଅଧିକାରୀଙ୍କ ପ୍ୟାନେଲକୁ ପ୍ରତ୍ୟାହାର କରି ଏକ ସାନି ତାଲିକା ପ୍ରସ୍ତୁତ କରୁଛନ୍ତି ।
ରାଜ୍ୟ ସରକାର ୨ ଜଣ ଏଡିଜି ର୍ୟାଙ୍କର ପୁଲିସ ଅଧିକାରୀଙ୍କୁ ପଦୋନ୍ନତି ଦେଇ ସେମାନଙ୍କ ନାମ ୟୁପିଏସସି ନିକଟକୁ ପଠାଯିବାକୁ ଥିବା ନୂତନ ପ୍ୟାନେଲରେ ଅନ୍ତର୍ଭୁକ୍ତ କରିବାକୁ ଚେଷ୍ଟା କରୁଛନ୍ତି ।
ସୂଚନାଥାଉ କି, ବର୍ତମାନ ଓଡ଼ିଶା ଡିଜିପି ରେସରେ ବରିଷ୍ଠ ଆଇପିଏସ ଅଧିକାରୀ ସୁଧାଂଶୁ ଷଡ଼ଙ୍ଗୀ, ଆର.ପି.କୋଚେ, ସୁଶାନ୍ତ ରଥ, ସଂଜୀବ ପଣ୍ଡା ଏବଂ ଯଶୱନ୍ତ ଜେଠ୍ୱା ପ୍ରମୁଖ ଅଛନ୍ତି ।
ଅନ୍ୟପଟେ ଏହି ପିଆଇଏଲକୁ ବିଚାର ପାଇଁ ଗ୍ରହଣ କରିଛନ୍ତି ମାନ୍ୟବର ସୁପ୍ରିମକୋର୍ଟ ।
ତେବେ କିଏ ଯୋଗ୍ୟ ଏବଂ କାହାର ନାଁ ବିଚାର କରାଯବା ଆବଶ୍ୟକ ତାହା ୟୁପିଏସସି ଭଲ ଭାବେ ଜାଣେ ବୋଲି ପ୍ରଧାନ ବିଚାରପତି ଟିପ୍ପଣୀ ଦେଇଛନ୍ତି ।
ଏଥିସହ ୟୁପିଏସସି ଆମ ନିର୍ଦେଶ ଅନୁସାରେ କାର୍ଯ୍ୟ କରିବ ବୋଲି ଆଶା କରୁଛୁ ବୋଲି ପ୍ରଧାନ ବିଚାରପତି କହିଛନ୍ତି । ଏହାର ଶୁଣାଣି ଆସନ୍ତା କାଲି ବୁଧବାର ହେବ ।
ତେବେ ଏ ସଂକ୍ରାନ୍ତରେ ଆସନ୍ତା ୧୩ ତାରିଖରେ ୟୁପିଏସସିର ସାନି ବୈଠକ ହେବାକୁ ଯାଉଛି । ଉକ୍ତ ବୈଠକରେ ୩ ଆଇପିଏସଙ୍କ ନାମ ଚୂଡ଼ାନ୍ତ ହୋଇପାରେ ।








