୧୬୫ ରନରେ ଟିମ ଇଣ୍ଡିଆ ବିଜୟୀ
ଭାରତ-ଶ୍ରୀଲଙ୍କା ପ୍ରଥମ ଟେଷ୍ଟ
ଶ୍ରୀଲଙ୍କାର ଗାଲେ ଠାରେ ଭାରତ ଓ ଘରୋଇ ଶ୍ରୀଲଙ୍କା ଟିମ ମଧ୍ୟରେ ଖେଳାଯାଉଥିବା ପ୍ରଥମ ଟେଷ୍ଟ ମ୍ୟାଚରେ ଟିମ ଇଣ୍ଡିଆ ୧୬୫ ରନରେ ବିଜୟୀ ହୋଇଛି । ଭାରତୀୟ ବୋଲରଙ୍କ ମାପଚୁପ ଓ ଶାଣିତ ବୋଲିଂରେ ଧରାଶାୟୀ ହୋଇଥିଲା ଶ୍ରୀଲଙ୍କା ଦଳ । ଦ୍ୱିତୀୟ ଇନିଂସର ପଂଚମ ତଥା ଅନ୍ତିମ ଦିନରେ ୨୮୮ ରନର ବିଜୟ ଟାର୍ଗେଟକୁ ପିଛା କରିବାକୁ ଓହ୍ଲାଇଥିଲେ ଶ୍ରୀଲଙ୍କା ବ୍ୟାଟ୍ସମ୍ୟାନ । ହେଲେ ମାତ୍ର ୨୦୬ ରନ୍ କରି ଘରୋଇ ଦଳ ଅଲଆଉଟ ହୋଇଯାଇଥିଲା । ଫଳରେ ଭାରତ ଏହି ମ୍ୟାଚ୍କୁ ୧୬୫ ରନରେ ଜିତି ସିରିଜରେ ୧-୦ରେ ଆଗୁଆ ରହିଛି ।
ସୂଚନାଥାଉ କି, ଟିମ ଇଣ୍ଡିଆର ଅଧିନାୟକ ଶୁଭମନ ଗିଲ୍ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିର୍ଣ୍ଣୟ ନେଇଥିଲେ । ପ୍ରଥମ ଇନିଂସରେ ଭାରତୀୟ ଦଳ ୧୧୬.୪ ଓଭରରେ ୪୬୨ ରନ କରିଥିଲା । ଦଳ ପକ୍ଷରୁ ନବାଗତ ଦେବଦତ ପାଡିକଲ ଚିତାକର୍ଷକ ବ୍ୟାଟିଂ କରି ସର୍ବାଧିକ ୧୬୭ ରନ କରିଥିବାବେଳେ କେ.ଏଲ. ରାହୁଲ ୮୨ ଓ ଧ୍ରୁବ ଜୁରେଲ ୫୧ ରନ କରିଥିଲେ ।
ଘରୋଇ ଶ୍ରୀଲଙ୍କ ଦଳ ପକ୍ଷରୁ ସ୍ପିନର ପ୍ରବାଥ ଜୟସୂର୍ଯ୍ୟା ସର୍ବାଧିକ ୪ଟି ୱିକେଟ୍ ନେଇଥିବାବେଳେ କେଶରା ନୂଆନ୍ଥା ୩ଟି ଓ ଅସିଥା ଫର୍ଣ୍ଣାଣ୍ଡୋ ୨ଟି ୱିକେଟ ନେଇଥିଲେ । ଜବାବରେ ଶ୍ରୀଲଙ୍କା ଦଳ ୭୯.୪ ଓଭରରେ ସମସ୍ତ ୱିକେଟ ହରାଇ ମାତ୍ର ୨୮୪ ରନ କରିପାରିଥିଲା । ଦଳ ପକ୍ଷରୁ ସୋନାଲ ଡିନୁସା ସର୍ବାଧିକ ୧୦୦ ରନ କରିଥିବାବେଳେ ତାଙ୍କୁ ଅପରପଟୁ ନିରୋସାନ ଡିକୱାଲା ୮୦ ରନର ଉପାଦେୟ ସହଯୋଗ ଦେଇଥିଲେ ।
ଭାରତ ପକ୍ଷରୁ ବାମହାତୀ ସ୍ପିନର ମାନଭ ସୂଥାର ସର୍ବାଧିକ ୪ଟି ୱିକେଟ ନେଇଥିବାବେଳେ ଅଲରାଉଣ୍ଡର ରବୀନ୍ଦ୍ର ଜାଡ଼େଜା ୩ଟି ଏବଂ ମହମ୍ମଦ ସିରାଜ, ପ୍ରସିଦ୍ଧ କ୍ରିଷ୍ଣା ଓ କୁଳଦୀପ ଯାଦବ ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ ।
ଭାରତ ତା’ର ଦ୍ୱିତୀୟ ଇଂନିସରେ ୧୯୩ ରନ କରି ଆଉଟ ହୋଇଥିଲା । ଦଳ ପକ୍ଷରୁ ୱିକେଟ ରକ୍ଷକ ବ୍ୟାଟ୍ସମ୍ୟାନ ଋଷଭ ପନ୍ଥ ଲଢ଼ୁଆ ୬୬ ରନ କରିଥିବାବେଳେ ଦେବଦତ ପାଡିକାଲ ୪୪ ଏବଂ କେ.ଏଲ.ରାହୁଲ ୩୫ ରନ କରିଥିଲେ । ଶ୍ରୀଲଙ୍କା ପକ୍ଷରୁ ଫାଷ୍ଟ ବୋଲର ଆସିଥା ଫର୍ଣ୍ଣାଣ୍ଡୋ ସର୍ବାଧିକ ୪ଟି ୱିକେଟ ଅକ୍ତିଆର କରିଥିବାବେଳେ ସ୍ପିନର ଜୟସୂର୍ଯ୍ୟା ୩ଟି, ଲାହିରୁ କୁମାରା ୨ଟି ଏବଂ କେସର ନୂଆନ୍ଥା ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ ।
ଅନ୍ୟପଟେ ଶ୍ରୀଲଙ୍କାର ୨ୟ ଇନିଂସ ପ୍ରଥମରୁ ହିଁ ବିପର୍ଯ୍ୟସ୍ତ ହୋଇପଡ଼ିଥିଲା । ଭାରତୀୟ ବୋଲର ଶାଣିତ ବୋଲିଂ କରି ନିୟମିତ ବ୍ୟବଧାନରେ ଗୋଟିଏ ପରେ ଗୋଟିଏ ୱିକେଟ ନେଇଥିଲେ । ଫଳରେ ଶ୍ରୀଲଙ୍କା ଦଳ ମାତ୍ର ୨୦୬ ରନ ସଂଗ୍ରହ କରିପାରିଥିଲା । ଦଳ ପକ୍ଷରୁ ସୋନାଲ ଡିନୁସା ସର୍ବାଧିକ ୮୪ ରନ କରିଥିଲେ ।
ଭାରତ ପକ୍ଷରୁ ସ୍ପିନର ମାନବ ସୂଥାର ସର୍ବାଧିକ ୬ଟି ୱକେଟ ନେଇଥିବାବେଳେ ପ୍ରସିଦ୍ଧ କି୍ରଷ୍ଣା ୨ଟି ଏବଂ ମହମ୍ମଦ ସିରାଜ ଓ ରବୀନ୍ଦ୍ର ଜାଡ଼େଜା ଉଭୟ ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ । ତେବେ ପ୍ରଥମ ଇନିଂସରେ ୧୬୭ ଓ ଦ୍ୱିତୀୟରେ ୪୪ ରନ କରିଥିବା ଡେବୁ୍ୟ ଖେଳାଳି ଦେବଦତ ପାଡିକାଲ ପ୍ଲେୟାର ଅଫ୍ ଦି ସିରିଜ ଘୋଷିତ ହୋଇଛନ୍ତି ।








