ବନ୍ୟା ପରେ ସାପ ଉଜାଡ଼ୁଛି ସଂସାର
ରାଜ୍ୟରେ ଆସିଥିବା ବନ୍ୟା କମିଗଲାଣି । ଅନେକ ଜିଲାରେ ବଢ଼ିପାଣି ଖସିଲାଣି । ହେଲେ ଏବେ ନୂଆ ସଙ୍କଟ ସାମ୍ନାକୁ ଆସିଛି ।
ବନ୍ୟା ପାଣିରେ ଭାସିଆସିଥିବା ସାପଗୁଡ଼ିକ ଏବେ କାଳ ସାଜିଛନ୍ତି । ବନ୍ୟା ପ୍ରଭାବିତ ଅଂଚଳରେ ବୁଲୁଛନ୍ତି ମାଳମାଳ ସାପ ।
ପ୍ରତିଦିନ ରାଜ୍ୟର କୌଣସି ନା କୌଣସି ବନ୍ୟା ପ୍ରଭାବିତ ଜିଲା ବା ଅଂଚଳରୁ ସାପକାମୁଡ଼ା ଖବର ସାମ୍ନାକୁ ଆସୁଛି ।
ପ୍ରାୟତଃ ଲୋକେ ଶୋଇଥିବା ସମୟରେ ସାପ ଦଂଶନର ଶିକାର ହେଉଛନ୍ତି ।
ଏହା ଭିତରେ ବହୁ ଲୋକେ ସାପ କାମୁଡ଼ାରେ ମୃତାହତ ହେଲେଣି ।
ମଙ୍ଗଳବାର ୨୫ ତାରିଖରେ ସାପ କାମୁଡ଼ିବାରୁ ୬ ଜଣଙ୍କ ମୃତ୍ୟୁ ଘଟିଛି । କେବଳ ରାଉରକେଲାରେ ୪ ଜଣ ଆଖି ବୁଜିଦେଇଛନ୍ତି । ବଣାଇରେ ଅଜା-ନାତି ଏବଂ ଚାନ୍ଦିପୋଷର ଭାଇ-ଭଉଣୀଙ୍କ ସର୍ପ ଦଂଶନରେ ମୃତୁ୍ୟ ଘଟିଛି ।
ଲାଠିକଟା ଥାନା ଅନ୍ତର୍ଗତ ହାତୀଓଡ଼ା ଗାଁରେ ୨ ଜଣଙ୍କ ମୃତ୍ୟୁ ଘଟିଛି ।
ସେମାନେ ଶୋଇଥିବା ଅବସ୍ଥାରେ ସର୍ପ ଦଂଶନରେ ପ୍ରାଣ ହରାଇଛନ୍ତି ।
ସେହିପରି ବାଲେଶ୍ୱର ଓ ଭଦ୍ରକରେ ଜଣେ ଲେଖାଏଁ ନାବାଳିକା ସାପ କାମୁଡ଼ାରେ ମରିଛନ୍ତି ।
ତେବେ ସାପ କାମୁଡ଼ିଲେ ତୁରନ୍ତ ଡାକ୍ତରଖାନା ଯାଅ ବୋଲି ରାଜସ୍ୱ ମନ୍ତ୍ରୀ କହିଛନ୍ତି ।








