ଯୁଦ୍ଧ ପ୍ରଭାବ : ଅଶୋଧିତ ତୈଳ ଓ ଏଲ୍ପିଜି ଦର ବୃଦ୍ଧି
ମଧ୍ୟପ୍ରାଚ୍ୟରେ ଇରାନ ଏବଂ ଆମେରିକା-ଇସ୍ରାଏଲ ମଧ୍ୟରେ ଚାଲିଥିବା ଭୟଙ୍କର ଯୁଦ୍ଧ ଶନିବାର ଅଷ୍ଟମ ଦିନରେ ପହଂଚିଛି । ଉଭୟ ଉଭୟଙ୍କ ଉପରକୁ ଭୟାନକ କ୍ଷେପଣାସ୍ତ୍ର ଏବଂ ବୋମାମାଡ଼ ଜାରି ରଖିଛନ୍ତି । ଇତିମଧ୍ୟରେ ଇରାନ ଏବଂ ଓମାନ ଜଳସୀମାରେ ଅବସ୍ଥିତ ଷ୍ଟ୍ରେଟ୍ ଅଫ୍ ହର୍ମୋଜକୁ ବନ୍ଦ କରିଛି ଇରାନ ।
ଏହି ଷ୍ଟ୍ରେଟ୍ ଅଫ୍ ହର୍ମୋଜ ଦେଇ ବିଶ୍ୱର ଅନ୍ୟାନ୍ୟ ଦେଶଗୁଡ଼ିକୁ ମଧ୍ୟପ୍ରାଚ୍ୟ ବିଶେଷ କରି ଇରାନ, କୁଏତ, ବାହାରିନରୁ ଅଶୋଧିତ ତୈଳ ଜାହାଜ ଯୋଗେ ରପ୍ତାନୀ ହୋଇଥାଏ । କିନ୍ତୁ ଆଗକୁ ହର୍ମୋଜ ଷ୍ଟ୍ରେଟ୍ ଦେଇ କୌଣସି ଜାହାଜକୁ ତେଲ ପରିବହନ କରିବାକୁ ଦିଆଯିବ ନାହିଁ ଏବଂ ଯଦି କୌଣସି ଜାହାଜ ତେଲ ପରିବହନ କରିବାକୁ ଚେଷ୍ଟା କରେ ତା’ହେଲେ ତାକୁ କ୍ଷେପଣାସ୍ତ୍ର ମାଡ଼ କରି ବୁଡ଼ାଇ ଦିଆଯିବ ବୋଲି ଇରାନ କଡ଼ା ଚେତାବନୀ ଦେଇଛି । ଫଳରେ ସମଗ୍ର ବିଶ୍ୱରେ ତେଲ ଏବଂ ରନ୍ଧନ ଗ୍ୟାସକୁ ନେଇ ଚିନ୍ତା ବଢ଼ାଇଛି ।
ଏବେ ଅଶୋଧିତ ତୈଳ ଦରର ମୂଲ୍ୟ ବୃଦ୍ଧି ପାଇଛି । ସେହିପରି ୧୪.୨ କିଲୋ ଓଜନର ରନ୍ଧନ ଏଲ୍ପିଜି ସିଲିଣ୍ଡରର ଦର ୬୦ ଟଂକା ବଢ଼ିଥିବାବେଳେ ୧୯ କିଲୋ ବିଶିଷ୍ଟ ବାଣିଜି୍ୟକ ଏଲ୍ପିଜି ସିଲିଣ୍ଡରର ମୂଲ୍ୟ ୧୧୫ ଟଂକା ବୃଦ୍ଧି ପାଇଛି ।