୨୩ହଜାର ଭାରତୀୟ ନାବିକଙ୍କ ସୁରକ୍ଷା ଚିନ୍ତା
ଇରାନ-ଆମେରିକା ବିବାଦ ମଧ୍ୟରେ ୨୩ହଜାର ଭାରତୀୟ ନାବିିକଙ୍କ ସୁରକ୍ଷାକୁ ନେଇ ଚିନ୍ତା ବଢ଼ିଛି । ଏପର୍ଯ୍ୟନ୍ତ ତିନିଜଣ ଭାରତୀୟ ନାବିକଙ୍କ ମୃତ୍ୟୁ ହୋଇଛି ଏବଂ ନଅଟି ଜାହାଜ ଉପରେ ଆକ୍ରମଣ ହୋଇଛି । ଯାହାକି ଭୟର ବାତାବରଣ ସୃଷ୍ଟି କରିଛି ।
ଗତ ଏକ ସପ୍ତାହ ମଧ୍ୟରେ ଅନେକ ଆକ୍ରମଣ ଏବଂ ତିନିଜଣ ଭାରତୀୟ ସହକର୍ମୀଙ୍କ ମୃତ୍ୟୁ ନାବିକ ସଂଗଠନଗୁଡ଼ିକୁ ସରକାରଙ୍କଠାରୁ ସାହାଯ୍ୟ ଲୋଡ଼ିବାକୁ ବାଧ୍ୟ କରିଛି । ନାବିକ ସଂଘଗୁଡ଼ିକ ମୁମ୍ବାଇରେ ଜାହାଜ ଚଳାଚଳ ମହାନିର୍ଦେଶାଳୟକୁ ଭେଟି ତୁରନ୍ତ କଠିନ ପଦକ୍ଷେପ ଓ ସୁରକ୍ଷା ସୁନିଶ୍ଚିତ କରିବାକୁ ଦୃଢ଼ ଦାବି କରିଛନ୍ତି ।
ସରକାରୀ ସଂଖ୍ୟା ଅନ୍ୁଯାୟୀ ଯୁଦ୍ଧ ଆରମ୍ଭ ପରଠୁ ଭାରତୀୟ କର୍ମଚାରୀଙ୍କ ସହିତ ଜାହାଜ ଉପରେ ଅତି କମ୍ରେ ନଅଟି ଆକ୍ରମଣ ହୋଇଛି । ଏହି ଆକ୍ରମଣଗୁଡ଼ିକ ହର୍ମୁଜ୍ ପ୍ରଣାଳୀ, ପାରସ୍ୟ ଉପସାଗର ଓ ଓମାନ ଉପସାଗର ଭଳି ବାଣିଜ୍ୟ ପଥଗୁଡ଼ିକୁ ଅତ୍ୟନ୍ତ ବିପଦ୍ଜନକ ଏବଂ ଅସୁରକ୍ଷିତ କରି ଦେଇଛି ।
ଏହି ଅଂଚଳଗୁଡ଼ିକୁ ନୌଚାଳନା କରିବା ଏବେ ନାବିକମାନଙ୍କ ପାଇଁ ଜୀବନ-ମୃତ୍ୟର ସଂଘର୍ଷ ଭଳି ପରିସ୍ଥିତି ସୃଷ୍ଟି କରିଛି । ସୁରକ୍ଷା ଏଜେନ୍ସିଗୁଡ଼ିକ ଏବେ ସମଗ୍ର ସାମୁଦ୍ରିକ ଅଂଚଳକୁ ଏକ ଉଚ୍ଚ ବିପଦପୂର୍ଣ୍ଣ ଅଂଚଳ ଘୋଷଣା କରିଛନ୍ତି, ଯେଉଁଠାରେ ବର୍ତମାନ ୩୬ଟି ଭାରତୀୟ ଜାହାଜ ରହିଛିି ।
ତେବେ ଯେକୌଣସି ସମୟରେ ଆକ୍ରମଣର ସମ୍ଭାବନା ରହିଛି । ଏଥି ମଧ୍ୟରୁ ୨୪ଟି ହର୍ମୁଜ ପ୍ରଣାଳୀର ପଶ୍ଚିମ ଭାଗରେ ଓ ପୂର୍ବ ଭାଗରେ ୧୨ଟି ଜାହାଜ ଫସି ରହିଛି, ଯେକୌଣସି ସମୟରେ ଆକ୍ରମଣର ସମ୍ଭାବନା ରହିଛି । ଆଡେନ୍ ଉପନାଗରରେ ମଧ୍ୟ ତିନିଟି ଭାରତୀୟ ଜାହାଜ ରହିଛି, ଯାହାର ନାବିକମାନେ ସେମାନଙ୍କର ସୁରକ୍ଷା ପାଇଁ କେନ୍ଦ୍ର ସରକାରଙ୍କ ଉପରେ ନିର୍ଭର କରୁଛନ୍ତି ।
ତେବେ ଯୁଦ୍ଧ କ୍ଷେତ୍ରରେ ଫସି ରହିଥିବା ଏହି ଭାରତୀୟଙ୍କୁ ଉଦ୍ଧାର କରିବା ପାଇଁ ଭାରତୀୟ ନୌସେନା ଓ ବୈଦେଶିକ ମନ୍ତ୍ରଣାଳୟ ତୁରନ୍ତ ମିିଳିତ ଭାବେ କାର୍ଯ୍ୟ କରିବାକୁ ନାବିକ ସଂଗଠନଗୁଡ଼ିକ ଦାବି କରିଛନ୍ତି । କୌଣସି ଅପ୍ରୀତିକର ଘଟଣା ଘଟିଲେ ନାବିକଙ୍କ ପରିବାରକୁ ୪୫ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ଫରୱାର୍ଡ ନାବିକ ସଂଘ ଦାବି କରିଛି ।