ଭାରତ ଶରଣରେ ଇରାନୀ ଜାହାଜ
ଦିନକୁ ଦିନ ମଧ୍ୟପ୍ରାଚ୍ୟରେ ଯୁଦ୍ଧ ପରିସ୍ଥିତି କ୍ରମଶଃ ଖରାପ ହେବାକୁ ଲାଗିଛି । ନିକଟରେ ଆମେରିକା ଏକ ଇରାନୀ ଯୁଦ୍ଧ ଜାହାଜ ଉପରେ ଆକ୍ରମଣ କରି ବୁଡ଼ାଇ ଦେଇଥିବାବେଳେ ଆଉ ଏକ ଇରାନୀ ଜାହାଜ ଆଇଆରଆଇଏସ୍ ଲାଭନ୍, ଶୁକ୍ରବାର ଭାରତର କୋଚି ବନ୍ଦରରେ ପହଂଚିଛି ।
ସମ୍ବାଦ ସରବରାହ ସଂସ୍ଥା ଏଏନ୍ଆଇ ରିପୋର୍ଟ କହିଛି ଯେ ଫେବୃଆରୀ ୨୮ ତାରିଖରେ ଜାହାଜରେ କୌଣସି ଯାନ୍ତ୍ରିକ ତ୍ରୁଟି ଦେଖାଦେବା ପରେ ଇରାନ ଭାରତକୁ ସହାୟତା ଅନୁରୋଧ କରିଥିଲା । ମାର୍ଚ ୧ ତାରିଖରେ ଜାହାଜକୁ କୋଚିରେ ଡେକିଂ କରିବାକୁ ଭାରତ ଅନୁମତି ଦେଇଥିଲା ଏବଂ ମାର୍ଚ ୪ ତାରିଖରେ ଜାହାଜ ବନ୍ଦରରେ ପହଂଚିଥିଲା ।
ଜାହାଜରେ ଥିବା ୧୮୩ଜଣ ସଦସ୍ୟ ବର୍ତମାନ କୋଚିରେ ଭାରତୀୟ ନୌସେନା ପ୍ରତିଷ୍ଠାନରେ ରହିଛନ୍ତି । ଉଲ୍ଲେଖନୀୟ, ଗୁରୁବାର ଆମେରିକା ଆକ୍ରମଣ ଆଶଙ୍କା ମଧ୍ୟରେ ଶ୍ରୀଲଙ୍କା ତ୍ରିଙ୍କୋମାଲି ବନ୍ଦରରେ ଇରାନୀ ନୌସେନା ଜାହାଜ ଆଇଆରଆଇଏନ୍ଏସ୍ ବୁସେହରକୁ ଆଶ୍ରୟ ଦେଇଥିଲା ।
ରାଷ୍ଟ୍ରପତି ଏହାକୁ ମାନବିକତା ଦୃଷ୍ଟିରୁ ନିଆଯାଇଥିବା ଏକ ସ୍ୱାଧୀନ ନିଷ୍ପତି ବୋଲି ବର୍ଣ୍ଣନା କରିଥିଲେ । ଏହି ଜାହାଜରେ ମୋଟ ୨୦୮ଜଣ ଲୋକ ଥିଲେ, ଯେଉଁଥିରେ ୫୩ଜଣ ଅଧିକାରୀ, ୮୪ଜଣ କ୍ୟାଡେଟ୍ ଓ ୭୧ଜଣ ଅନ୍ୟ ନାବିକ ରହିଛନ୍ତି ।