ଯୁଦ୍ଧ : ହୋଟେଲ ଓ ରେଷ୍ଟୁରାଂଟ ଠପ୍
ଅଧିକାଂଶ ମେଟ୍ରୋ ସହରରେ ରେଷ୍ଟୁରାଂଟ ବନ୍ଦ
ଭାରତର ବଡ଼ ବଡ଼ ମହାନଗରର ଅଧିକାଂଶ ପ୍ରତିଷ୍ଠିତ ହୋଟେଲ ଓ ରେଷ୍ଟୁରାଂଟ ଗୁଡ଼ିକୁ ବନ୍ଦ ରଖାଯାଇଛି । କାରଣ ଭୟଙ୍କର କର୍ମସିଆଲ ଇନ୍ଧନ ଗ୍ୟାସ ସିଲିଣ୍ଡରର ସଂକଟ ଦେଖାଯାଇଛି । ମୁମ୍ବାଇ ମହାନଗରର ୨୦ ପ୍ରତିଶତ ବଡ଼ ବଡ଼ ହୋଟେଲ ଓ ରେଷ୍ଟୁରାଂଟ ବନ୍ଦ ରଖାଯାଇଛି ।
ସେହିପରି ଦିଲ୍ଲୀରେ ମଧ୍ୟ ସମାନ ଅବସ୍ଥା । ବେଂଗାଲୁରରେ ପ୍ରାୟ ସମସ୍ତ ବଡ଼ ବଡ଼ ରେଷ୍ଟୁରାଂଟ ଓ ହୋଟେଲ ବନ୍ଦ ଅଛି । ତତ୍ସହିତ ଅନ୍ୟାନ୍ୟ ମହାନଗରଗୁଡ଼ିକରେ ମଧ୍ୟ ବଡ଼ ବଡ଼ ପଂଚତାରକା ହୋଟେଲଗୁଡ଼ିକ ବନ୍ଦ ରହିଛି ।
ଏହି ବାବଦରେ ଅଲ୍ ଇଣ୍ଡିଆ ହୋଟେଲ ଆସୋସିଏସନ ଏକ ପତ୍ର ମାଧ୍ୟମରେ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀଙ୍କୁ ଏ ସଂକ୍ରାନ୍ତରେ ଦୃଷ୍ଟିପାତ କରିବାକୁ ଅନୁରୋଧ କରିଛନ୍ତି । ଏହାର ପ୍ରଭାବରେ ବହୁତ ବଡ଼ ବଡ଼ ହସ୍ପିଟାଲର କ୍ୟାଂଟିନ, କଲେଜର କ୍ୟାଂଟିନଗୁଡ଼ିକରେ ରନ୍ଧନପ୍ରକ୍ରିୟା ଭୟଙ୍କର ଭାବେ ପ୍ରଭାବିତ ହୋଇଛି ।
କାରଣ ସରକାର ଘରୋଇ ଗ୍ୟାସ ଉପଭୋକ୍ତାଙ୍କୁ ଅଧିକ ପ୍ରାଧାନ୍ୟ ଦେବା ଯୋଗୁଁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି । ଭାରତ ଆଗାମୀ ଦିନରେ ଭୟଙ୍କର ପେଟ୍ରୋଲ, ଡିଜେଲ ଏବଂ ଗ୍ୟାସ ସଂକଟ ଦେଇ ଗତ କରିବା ଏକ ପ୍ରକାରର ସୁନିଶ୍ଚିତ ହୋଇଛି । ଭାରତର ଅଧିକାଂଶ ପେଟ୍ରୋଲିୟମ ଦ୍ରବ୍ୟ ଓ ଗ୍ୟାସ ମଧ୍ୟପ୍ରାଚ୍ୟରୁ ଆମଦାନୀ ହୋଇଥାଏ ।
ତେବେ ଇରାନ ଏବଂ ଆମେରିକା-ଇସ୍ରାଏଲ ଯୁଦ୍ଧ ଯୋଗୁଁ ଇରାନର ଆକ୍ରମଣ ଫଳରେ ଏହି ମଧ୍ୟପ୍ରାଚ୍ୟ ଦେଶଗୁଡ଼ିକରୁ ଭାରତକୁ ପେଟ୍ରୋଲ ଓ ଗ୍ୟାସ ଆଣିବା କଷ୍ଟକର ହୋଇପଡ଼ିଛି । ଆଗାମୀ ଦିନରେ ଏହି ସମସ୍ୟା ଆହୁରି ଉଗ୍ର ରୂପ ନେବ ବୋଲି ବିଶେଷଜ୍ଞମାନେ ଆଶଙ୍କା ବ୍ୟକ୍ତ କରିଛନ୍ତି ।