ଇଣ୍ଡିଗୋ ସିଇଓ ପଦ ଛାଡ଼ିଲେ ପିଟର ଏଲବର୍ସ
ପିଟର ଏଲବର୍ସ ଯାହାଙ୍କ ଅମଳରେ ଇଣ୍ଡିଗୋ ନୂତନ ନୂତନ ଉଡାଣ ଦେଇଥିଲା । ଯାହାଦ୍ୱାରା ରାଜସ୍ୱ ବୃଦ୍ଧି ଘଟିଥିଲା । ପୁଣି ତାଙ୍କ ଅମଳରେ ହିଁ ଏୟାରଲାଇନ୍ସ ଇତିହାସରେ ସବୁଠୁ ବଡ଼ ସଂକଟ ସଂସ୍ଥା ପାଇଁ ସୃଷ୍ଟି ହୋଇଥିଲା । ଗୋଟିକ ପରେ ଗୋଟିଏ ଉଡାଣ ବାତିଲ, ଶୋକଜ, ନୋଟିସ୍ ଜୋରିମାନା ଇତ୍ୟାଦି ସହ୍ୟ କରିବାକୁ ପଡ଼ିଥିଲା । ଅବଶେଷରେ ମଙ୍ଗଳବାର ଇଣ୍ଡିଗୋର ସିଇଓ ପଦରୁ ପିଟର ଏଲବର୍ସ ପଦତ୍ୟାଗ କରିଥିବା ଜଣାପଡ଼ିଛି ।
ତେବେ ଏହା ସମ୍ପୂର୍ଣ୍ଣ ବ୍ୟକ୍ତିଗତ କାରଣ ବୋଲି ସେ ତାଙ୍କ ପଦତ୍ୟାଗ ପଦରେ ଦର୍ଶାଇଛନ୍ତି । ତାଙ୍କ ସ୍ଥାନରେ ମଧ୍ୟବର୍ତୀକାଳୀନ ସିଇଓ ଭାବେ ସଂସ୍ଥା ସହ ପ୍ରତିଷ୍ଠାତା ରାହୁଳ ଭାଟିଆ ଦାୟିତ୍ୱ ସମ୍ଭାଳିବେ ବୋଲି ବିଶେଷ ସୂତ୍ରରୁ ଜଣାପଡ଼ିଛି ।
୨୦୨୨ ମସିହା ସେପ୍ଟେମ୍ବରରେ ଇଣ୍ଡିଗୋର ସିଇଓ ପଦ ପିଟର ଏଲବର୍ସ ଗ୍ରହଣ କରିଥିଲେ । ତାଙ୍କରି ମାଧ୍ୟମରେ ବାର୍ଷିକ ଆୟ ୧୦ ବିଲିୟନ ଆମେରିକା ଡଲାର ହୋଇଥିଲା । କେବଳ ଘରୋଇ ବଜାରରେ ନୁହେଁ, ଆନ୍ତର୍ଜାତିକ ବଜାରରେ ଏହି ଇଣ୍ଡିଗୋ ଗୁରୁତ୍ୱପୂର୍ଣ୍ଣ ବ୍ୟବସାୟୀକ ସଫଳତା ହାସଲ କରିବାରେ ସମର୍ଥ ହୋଇଛି । କିନ୍ତୁ ଗତ ଡିସେମ୍ବରରେ କୌଣସି କାରଣ ବଶତଃ ସଂସ୍ଥା ସମସ୍ୟାର ସମ୍ମୁଖୀନ ହୋଇଥିଲା ।
ଡାଇରେକ୍ଟରେଟ ଜେନେରାଲ ଅଫ୍ ସିଭିଲ ଆଭିୟେସନର ପ୍ରେସ୍ ନୋଟ ଅନୁଯାୟୀ ୨୦୨୫ ମସିହା ଡିସେମ୍ବର ୩ରୁ ୫ ତାରିଖ ମଧ୍ୟରେ ୨,୫୦୭ଟି ଫ୍ଲାଇଟ୍ ବାତିଲ କରିବାକୁ ଇଣ୍ଡିଗୋ ସଂସ୍ଥା ବାଧ୍ୟ ହୋଇଥିଲା । ୧,୮୫୨ଟି ଫ୍ଲାଇଟ୍ ବିଳମ୍ବରେ ଛାଡ଼ିଥିଲା ଯାହାଦ୍ୱାରା ୩ଲକ୍ଷରୁ ଅଧିକ ଯାତ୍ରୀ ହଟହଟାର ସମ୍ମୁଖୀନ ହୋଇଥିଲେ । ସଂସ୍ଥାର କେତେକ ନିୟମକୁ ପାଇଲଟ, ବିମାନ କ୍ରୁ ମାନେ ବିରୋଧ କରିଥିଲେ । ଯାହାଦ୍ୱାରା ବହୁ ବିମାନ ବାତିଲ ହୋଇଥିଲା ।
ଏହି ଘଟଣାରେ ଇଣ୍ଡିଗୋକୁ ୨୨.୨୦କୋଟି ଟଙ୍କା ଡିଜିସିଏ ଜାରି କରିଥିଲା । ଏପରିକି ସଂସ୍ଥାର ତକ୍ରାଳୀନ ସିଇଓ ପିଟର ଏଲବର୍ସଙ୍କୁ ମଧ୍ୟ ଶୋ କଜ କରାଗଲା । ଶେଷରେ ସେ କ୍ଷମା ମାଗିଥିଲେ । ଦଶ ଦିନ ପରେ ପରିସ୍ଥିତି କ୍ରମଶଃ ସ୍ୱାଭାବିକ ହୋଇଥିଲା ।
ଏହି ଘଟଣାର ତିନିମାସ ପରେ ଅର୍ଥାତ୍ ମଙ୍ଗଳବାର ପିଟର ଏଲବର୍ସ ପଦତ୍ୟାଗ କରିଛନ୍ତି, ଯାହାକି ଚର୍ଚାର ବିଷୟ ହୋଇଛି । ତେବେ ଏହି ପଦତ୍ୟାଗ ସମ୍ପୂର୍ଣ୍ଣ ବ୍ୟକ୍ତିଗତ ବୋଲି ସେ ଦର୍ଶାଇଥିବା ଜଣାପଡ଼ିଛି ।