ଦେଶରେ ପର୍ଯ୍ୟାପ୍ତ ଗ୍ୟାସ ସିଲିଣ୍ଡର ଅଛି : ମନ୍ତ୍ରୀ
ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ଇତିମଧ୍ୟରେ ୧୧ ଦିନରେ ପଂହଚିଛି । ଇରାନ ଏବଂ ଆମେରିକା-ଇସ୍ରାଏଲ ପରସ୍ପର ଉପରକୁ ଘାତକ ବୋମା ଏବଂ କ୍ଷେପଣାସ୍ତ୍ର ମାଡ଼ କରିଚାଲିଛନ୍ତି । ଫଳରେ ସମ୍ପୂର୍ଣ୍ଣ ମଧ୍ୟପ୍ରାଚ୍ୟ ଏବେ ଡହ ଡହ ହୋଇ ଜଳୁଛି । ଏଥିସହିତ ନିଜର ସର୍ବୋଚ ନେତା ଆୟୋତଲ୍ଲା ଖେମିନେଇଙ୍କୁ ହରାଇ ରକ୍ତମୁଖା ହୋଇପଡ଼ିଥିବା ଇରାନ ସମଗ୍ର ବିଶ୍ୱକୁ ପାନେ ଦେବାକୁ ସ୍ଥିର କରିସାରିଛି ।
ଏଣୁ ଓମାନ ଏବଂ ଇରାନ ମଧ୍ୟରେ ଥିବା ୩୩ କି.ମି.ର ସଂକୀର୍ଣ୍ଣ ଜଳପଥ ଷ୍ଟ୍ରେଟ୍ ଅଫ୍ ହର୍ମୁଜକୁ ବନ୍ଦ କରିଛି ଇରାନ । ଯଦି କୌଣସି ଦେଶର ଜାହାଜ ଏହି ଜଳପଥ ଦେଇ ତେଲ ପରିବହନ କରିବାକୁ ଚେଷ୍ଟା କରେ ତା’ହେଲେ ତାକୁ ଉପସାଗରରେ ମାରି ବୁଡ଼ାଇ ଦେବୁ ବୋଲି ଇରାନ କଡ଼ା ଚେତାବନୀ ଦେଇଛି । ଫଳରେ ଏବେ ମଧ୍ୟପ୍ରାଚ୍ୟରୁ ବିଶ୍ୱର ଅନ୍ୟ କୌଣସି ଦେଶକୁ ପେଟ୍ରୋଲ, ଡିଜେଲ ଏବଂ ରନ୍ଧନ ଗ୍ୟାସ ଯୋଗାଣ ହୋଇପାରୁ ନାହିଁ ।
ଏହାକୁ ନେଇ ସମଗ୍ର ବିଶ୍ୱବାସୀ ଚିନ୍ତିତ । ଭାରତୀୟ ମଧ୍ୟ ଏହାକୁ ନେଇ ଆଶଙ୍କାରେ ରହୁଛନ୍ତି । ଗ୍ୟାସ ସିଲିଣ୍ଡର ନହେଲେ କିଭଳି ରୋଷେଇ କରିବେ ତାହାକୁ ନେଇ ସେମାନେ ଚିନ୍ତିତ । ତେବେ ଏହି ଘଡ଼ିସନ୍ଧି ମୁହୂର୍ତରେ ଦେଶବାସୀଙ୍କୁ ଆଶ୍ୱାସନା ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ପିୟୁଷ ଗୋଏଲ ।
ସେ କହିଛନ୍ତି କାହାରିକୁ ଡରିବାର ଆବଶ୍ୟକତା ନାହିଁ । ମଧ୍ୟପ୍ରାଚ୍ୟର ପରିସ୍ଥିତି ଉପରେ ସରକାର ତୀକ୍ଷ୍ଣ ଦୃଷ୍ଟି ରଖିଛନ୍ତି । ଦେଶରେ ଏବେ ପର୍ଯ୍ୟାପ୍ତ ପରିମାଣର ରନ୍ଧନ ଗ୍ୟାସ୍ ସିଲିଣ୍ଡର ମହଜୁଦ ରହିଛି । ଏଣୁ ଏ ନେଇ କୌଣସି ଗୁଜବକୁ ଆଦୌ ବିଶ୍ୱାସ ନ କରିବା ପାଇଁ ଶ୍ରୀ ଗୋଏଲ ଦେଶବାସୀଙ୍କୁ ସତର୍କ କରାଇଛନ୍ତି ।